ପୃଷ୍ଠା:Malunira Fula O Anyanya Galpa.pdf/୮୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଚାଷୀ ଓ ନାରଦ ଋଷି

ଥରେ ନାରଦ ଋଷିଙ୍କ ହୃଦୟରେ ଅହଂଭାବ ପ୍ରବେଶ କଲା । ସେ ଭାବିଲେ, ସେ ସବୁବେଳେ ହରିନାମ ନେଉଛନ୍ତି । ତାଙ୍କ ଭଳି ଭକ୍ତ ସାରା ସଂସାରରେ ନାହାନ୍ତି । ଏହା ଜାଣି ପ୍ରଭୁ ତାଙ୍କୁ କହିଲେ, "ହେ ମହର୍ଷି ! ଆପଣ ମର୍ତ୍ତ୍ୟପୁରକୁ ଯା'ନ୍ତୁ । ସେଠାରେ ମୋ'ର ଜଣେ ପରମ ଭକ୍ତ ଅଛନ୍ତି । ତାଙ୍କର ଯାହା ସବୁ ସଦ୍‌ଗୁଣ ଅଛି, ତାହା ଜାଣିବାକୁ ଚେଷ୍ଟା କରନ୍ତୁ ଓ ତା'ପରେ ଏଠାକୁ ଫେରି ଆସନ୍ତୁ ।"

"ଆଚ୍ଛା", ନାରଦ ମନେ ମନେ କହିଲେ, "ପ୍ରଭୁ ଯେପରି କହୁଛନ୍ତି, ମୁଁ ସେପରି କରିବି । ସେ ଭକ୍ତଙ୍କର କ'ଣ ସବୁ ବିଶିଷ୍ଟ ଗୁଣ ଅଛି, ମୁଁ ନିଜେ ଯାଇ ତାହା ଜାଣି ପାରିବି । ମୋ'ଠାରୁ କିଏ ଆଉ ବଡ଼ ଭକ୍ତ ଅଛି? ଯାହାହେଉ, ମୋତେ ପ୍ରଭୁଙ୍କର ଆଦେଶ ପାଳନ କରିବାକୁ ହେବ ।"

ନାରଦ ପୃଥିବୀକୁ ଆସି ଜଣେ ଚାଷୀକୁ ଦେଖିଲେ । ସକାଳୁ ଉଠିବା କ୍ଷଣି ଥରେ ସେ ହରିଙ୍କର ନାମ ନିଏ ଓ ଲଙ୍ଗଳ କାନ୍ଧେଇ ଖେତକୁ ଚାଲିଯାଏ । ଦିନ ସାରା ଖେତରେ କାମ କରେ ଓ ସଂଧ୍ୟାକୁ ଘରକୁ ଫେରେ । ଶୋଇବାକୁ ଯିବା ପୂର୍ବରୁ ପୁଣି ଥରେ ହରି ନାମ କରେ ।

ନାରଦ ଏସବୁ ଦେଖି ପାଟିକରି କହିଲେ, "ତା'ହେଲେ ଏଇ ଲୋକଟା ହେଲା ପ୍ରଭୁଙ୍କର ପରମ ଭକ୍ତ; ଆଉ ମୋ'ଠାରୁ ବଡ଼ । ଆଚ୍ଛା ହଉ ।" ଏହା କହି ନାରଦ ମନେ ମନେ ହସି ଲୋକଟି ପୁଣି କ'ଣ କରିବ, ଦେଖିବାପାଇଁ ଅପେକ୍ଷା କଲେ । ପୁଣି ସକାଳେ ଉଠିବାମାତ୍ରେ ଚାଷୀଟି ହରି ନାମ ନେଲା ଓ ପୂର୍ବପରି ଲଙ୍ଗଳ କାନ୍ଧେଇ ଖେତକୁ ଗଲା । ଦିନ ସାରା ଖଟି ସଞ୍ଜବେଳେ ଘରକୁ ଫେରିଲା ଓ ହରିଙ୍କର ନାମ ନେଇ ଶୋଇବାକୁ ଗଲା । "ଏଇ ତା'ହେଲେ ବିଶିଷ୍ଟ ଭକ୍ତ !" ଏହା କହି ନାରଦ ସିଧା ବୈକୁଣ୍ଠକୁ ଚାଲିଲେ ।

ବିଷ୍ଣୁଙ୍କୁ ସମ୍ବୋଧନ କରି ସେ କହିଲେ, "ମୁଁ ଆପଣଙ୍କ ଭକ୍ତଙ୍କୁ ଦେଖିଲି । ସେପରି ଜଣେ ପରମଭକ୍ତ ବୋଲି ମୋ'ର କାହିଁକି ମନେ ହେଲା ନାହିଁ । ଖେତ କାମରେ ସେ ସବୁବେଳେ ବ୍ୟସ୍ତ । ବୋଧହୁଏ, ମଜା କରିବା ପାଇଁ ଆପଣ ତା' ପାଖକୁ ମୋତେ ପଠାଇ ଥିଲେ ।"

ବିଷ୍ଣୁ ଭଗବାନ ନାରଦଙ୍କୁ କୌଣସି ଉତ୍ତର ନ ଦେଇ ଗୋଟିଏ ତୈଳପୂର୍ଣ୍ଣ ପାତ୍ର ତାଙ୍କୁ ଧରିବାକୁ ଦେଲେ । କହିଲେ, "ଏ ପାତ୍ରଟି ଧରି ପୁଣି ଥରେ ମର୍ତ୍ତ୍ୟ ଲୋକକୁ ବୁଲିବାକୁ ଯାଅ । ଦେଖ, ସେଠାରେ ବୁଲୁଥିବାବେଳେ ଗୋଟିଏ ଟୋପା ତେଲ ଯେପରି ତଳକୁ ନ ପଡେ଼ । ପାତ୍ରଟି ଯେପରି ଅଛି, ଠିକ୍ ସେହିପରି ମୋ' ପାଖରେ ଆଣି ପହଞ୍ଚାଇ ଦିଅ ।"

ନାରଦ ଖୁବ୍ ସାବଧାନ ହୋଇ ତୈଳ ପାତ୍ରଟି ଧରି ଚାଲିଲେ । ସେ ଏପରି ସାବଧାନ ଥିଲେ ଯେ ଟୋପାଏ ହେଲେ ତେଲ ତଳେ ପଡ଼ିଲା ନାହିଁ । କାର୍ଯ୍ୟଟିକୁ ସେ ସାଧନ କରି ପାରିଛନ୍ତି ବୋଲି ବିଜୟୋଲ୍ଲାସରେ ବିଷ୍ଣୁଙ୍କ ପାଖକୁ ଫେରି ଆସିଲେ ।

"ତା' ହେଲେ ତୁମେ ଫେରି ଆସିଲ । ବେଶ୍ ଭଲକଥା । କିନ୍ତୁ ମୋତେ ଗୋଟିଏ କଥା କହ । ତୁମେ ଏହି ତୈଳପାତ୍ର ଧରି ବୁଲୁଥିବା ବେଳେ କେତେଥର ମୋ' ନାମ ନେଇଚ?" ବିଷ୍ଣୁ ପଚାରିଲେ ।