ପୃଷ୍ଠା:Odisha Itihasa.pdf/୧୦୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କଟକକୁ ବିଦ୍ରୋହୀ କବଳରୁ ରକ୍ଷା କରି ସେ ପ୍ରସିଦ୍ଧି ଅର୍ଜନ କରିଥିଲେ । ପରେ ଭୋଇ ରାଜାମାନଙ୍କ ଦୁର୍ବଳତାର ସୁଯୋଗ ନେଇ ସେ ନିଜେ ସିଂହାସନ ଆରୋହଣ କରିଥିଲେ । ମୁକୁନ୍ଦଦେବ ଦୁର୍ବଳ ନଥିଲେ । ସିଂହାସନ ଆରୋହଣ କଲା ପରେ ଏକ ରାଜନୈତିକ ଅସ୍ଥିରତା ମଧ୍ୟରୁ ଓଡ଼ିଶାକୁ ଫେରାଇ ଆଣିବାକୁ ମଧ୍ୟ ସେ ଯଥୋଚିତ ଉଦ୍ୟମ କରିଥିଲେ । ହିନ୍ଦୁ ତୀର୍ଥଯାତ୍ରୀମାନଙ୍କୁ ସନ୍ତୁଷ୍ଟ କରିବାପାଇଁ ସେ ହୁଗୁଳି ଜିଲ୍ଲାର ତ୍ରିବେଣୀଠାରେ ଗଙ୍ଗାନଦୀରେ ପାହାଚ ନିର୍ମାଣ କରିଥିଲେ, ଯାହା ମୁକୁନ୍ଦଘାଟ ନାମରେ ପରିଚିତ । ଗୌଡ଼ ରାଜାଙ୍କୁ ପରାଜିତ କରିବାଯୋଗୁଁ ସେ ଅନେକ ଧନରତ୍ନ ପ୍ରାପ୍ତ ହୋଇଥିଲେ । ଏହାର ନିଦର୍ଶନ ସ୍ୱରୂପ ସେ ବିବାହ ଉପରେ କରଛାଡ଼ ଘୋଷଣା କରିଥିଲେ । ରାଜ୍ୟରେ ଶାନ୍ତି ଓ ଶୃଙ୍ଖଳା ପ୍ରତିଷ୍ଠାପାଇଁ ମଧ୍ୟ ସେ ଅନେକ ପଦକ୍ଷେପ ନେଇଥିଲେ । ବ୍ରାହ୍ମଣମାନଙ୍କୁ ସନ୍ତୁଷ୍ଟ କରିବାପାଇଁ କେତେକ ବ୍ରାହ୍ମଣ ଶାସନ (ଯଥା: ଦାଣ୍ତମୁକୁନ୍ଦପୁର) ମଧ୍ୟ ପ୍ରତିଷ୍ଠା କରିଥିଲେ ।

ମୁକୁନ୍ଦଦେବଙ୍କପାଇଁ ବଡ଼ ସମସ୍ୟା ହେଲା ତତ୍‍କାଳୀନ ଭାରତର ରାଜନୀତି । ମୋଗଲ ସମ୍ରାଟ ଭାବରେ ଆକବର ନିଜର ସ୍ଥିତିକୁ ସୁଦୃଢ଼ କରିବା ପରେ ରାଜ୍ୟ ବିସ୍ତାରପାଇଁ ସେତେବେଳକୁ ପ୍ରସ୍ତୁତ ହେଉଥିଲେ । ହିମୁଙ୍କ ନେତୃତ୍ୱାଧୀନ ଆଫଗାନ ଶକ୍ତି ଦ୍ୱିତୀୟ ପାନିପଥ ଯୁଦ୍ଧରେ (୧୫୫୬) ମୋଗଲ ସେନା ହାତରେ ପରାଜିତ ହେବା ପରେ ଦେଶର କେତେକ ରାଜ୍ୟକୁ ବିସ୍ତାରିତ ହୋଇଯାଇଥିଲା । ଯଦିଓ ମୋଗଲ ଶକ୍ତିକୁ ପୁଣି ଥରେ ପରାସ୍ତ କରି ଆଫଗାନମାନେ ଦିଲ୍ଲୀ ପୁନରଧିକାର କରିବାକୁ ଅଭିଳାଷ ରଖିଥିଲେ, ସ୍ଥାନୀୟ ରାଜ୍ୟଗୁଡ଼ିକୁ କର୍ତ୍ତୃତ୍ୱରେ ରଖି ରାଜ୍ୟ ବିସ୍ତାର କରିବା ସେମାନଙ୍କର ଲକ୍ଷ୍ୟ ଥିଲା । ସେହିଭଳି ଜଣେ ମହତ୍ତ୍ୱାକାଂକ୍ଷୀ ଆଫଗାନ ଶାସକ ଥିଲେ ବଙ୍ଗର ସୁଲେମାନ କର୍‍ରାନୀ । ଆକବର ଓ ସୁଲେମାନଙ୍କ ମଧ୍ୟରେ ରାଜ୍ୟବିସ୍ତାରଲାଗି ଯେଉଁ ପ୍ରତିଦ୍ୱନ୍ଦ୍ୱିତା ଚାଲିଲା, ତା'ର ଶିକାର ହେଲା ଓଡ଼ିଶା । ସୁଲେମାନ ଓଡ଼ିଶା ଆକ୍ରମଣ କଲେ । ତାଙ୍କ ସେନାନାୟକ କଳାପାହାଡ଼ ମନ୍ଦିର ଲୁଣ୍ଠନ କରି ଓଡ଼ିଶାପାଇଁ ଖଳନାୟକ ସାଜିଥଲେ ମଧ୍ୟ ମୁସଲମାନଙ୍କପାଇଁ ଏକ ପ୍ରକାରର ଆଦର୍ଶ ପ୍ରତିଷ୍ଠା କରୁଥିଲେ । କାରଣ ମୂର୍ତ୍ତିପୂଜାର ବିଲୋପ କରିବା ତାଙ୍କପାଇଁ ଏକ ଧାର୍ମିକ କାର୍ଯ୍ୟ ଥିଲା । ଶେଷରେ ବଙ୍ଗର ଆଫଗାନ ଶକ୍ତି ସୁଲେମାନଙ୍କ ନେତୃତ୍ୱରେ ଓଡ଼ିଶାକୁ ପରାସ୍ତ କଲେ । ହେଲେ, ଉପସଂହାରରେ ମୋଗଲମାନଙ୍କ ଅଧୀନକୁ ଓଡ଼ିଶା ଆସିଲା । ଆଭ୍ୟନ୍ତରୀଣ ବିଦ୍ରୋହଯୋଗୁଁ ମୁକୁନ୍ଦଦେବ ବଙ୍ଗର ଆଫଗାନ ଶକ୍ତି ଏବଂ ପରେ ମୋଗଲମାନଙ୍କର ପ୍ରତିରୋଧ କରି ପାରିଲେ ନାହିଁ । ତାଙ୍କ ପରାଜୟପାଇଁ ବହିରାକ୍ରମଣ ଯେତିକି ମାତ୍ରାରେ ଦାୟୀ ଥିଲା, ତତୋଽଧିକ ଦାୟୀ ଥିଲା ଆଭ୍ୟନ୍ତରୀଣ ଷଡ଼ଯନ୍ତ୍ର, ବିଶ୍ୱାସଘାତକତା ଓ ହତ୍ୟା । ନିଜେ ମୁକୁନ୍ଦଦେବ ମଧ୍ୟ ଏହି ସବୁ ଉପାୟ ଅବଲମ୍ବନ କରି ରାଜପଦ ପ୍ରାପ୍ତ ହୋଇଥିଲେ । ଏହା ଥିଲା ତାଙ୍କ ସମୟର ରାଜନୈତିକ ପରମ୍ପରା । ରାଜାମାନେ ରାଜ୍ୟ ବିସ୍ତାରପାଇଁ ଦିଗ୍‍ବିଜୟକୁ ଏକ ପ୍ରଧାନ ମାଧ୍ୟମ ବୋଲି ମନେ କରୁଥିଲେ । ଠିକ୍‍ ସେହିଭଳି ଉଚ୍ଚ ରାଜାଧିକାରୀମାନେ ଏବଂ ରାଜ୍ୟପଦ ପାଇନଥିବା୧୦୦ . ଓଡ଼ିଶା ଇତିହାସ