ପୃଷ୍ଠା:Odisha Itihasa.pdf/୧୦୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗଜପତିଙ୍କ ସମୟର ପ୍ରାଶାସନିକ ବ୍ୟବସ୍ଥା

ଗଜପତି ବା ସୂର୍ଯ୍ୟବଂଶୀ ପ୍ରାଶାସନିକ ବ୍ୟବସ୍ଥାରେ କାର୍ଯ୍ୟତଃ ରାଜା ବା ଗଜପତି ରାଜ୍ୟର ସର୍ବେସର୍ବା ଥିଲେ । ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ବୋଲି ତାଙ୍କୁ ମନେ କରାଯାଉଥିଲା । ବିଶ୍ୱାସ ଥିଲା ଯେ ତାଙ୍କର (ରାଜାଙ୍କର) ବିରୋଧ କରିବା ଅର୍ଥ ଜଗନ୍ନାଥଙ୍କର ବିରୋଧୀ ହେବା ! ଅନେକ ଥର ପରମ୍ପରା ଓ ରୀତି ବହିର୍ଭୂତ ଆଚରଣ କରି ସୁଦ୍ଧା ରାଜା ଜନବିରୋଧକୁ ଏଡାଇ ଯାଉଥିଲେ,କାରଣ ଜଗନ୍ନାଥଙ୍କ ଆଦେଶରେ ପଦକ୍ଷେପଟି ନିଆଗଲା ବୋଲି ପ୍ରଚାର କରାଯାଉଥିଲା । ବ୍ରାହ୍ମଣମାନେ ଜଗନ୍ନାଥଙ୍କ ତଥାକଥିତ ବାଣୀକୁ ଆବଶ୍ୟକମତେ ବ୍ୟାଖ୍ୟା କରୁଥିଲେ । ତେଣୁ ବ୍ରାହ୍ମଣମାନଙ୍କ ସମର୍ଥନ ଲାଭ କରିବା ସକାଶେ ଗଜପତି ତଥା ଅନ୍ୟ ରାଜାମାନେ ବ୍ରାହ୍ମଣମାନଙ୍କୁ ଆଶାନୁରୂପ ପୃଷ୍ଠପୋଷକତା ପ୍ରଦାନ କରୁଥିଲେ । ରାଜବଂଶଜ ନ ହେବା ସତ୍ତ୍ୱେ, ଗଙ୍ଗରାଜାଙ୍କୁ ବିତାଡ଼ିତ କରି କପିଳେନ୍ଦ୍ରଦେବଙ୍କ ସିଂହାସନ ଆରୋହଣ, ଜ୍ୟେଷ୍ଠ ପୁତ୍ର ନ ହେବା ସତ୍ତ୍ୱେ ପୁରୁଷୋତ୍ତମଦେବଙ୍କ ରାଜତ୍ୱପ୍ରାପ୍ତି ଆଦି ରୀତି ବହିର୍ଭୂତ କାର୍ଯ୍ୟ ଜଗନ୍ନାଥଙ୍କ ନାମରେ ନିଆଯାଇ ଥିବାରୁ ଗୃହୀତ ହୋଇଗଲା । ଅନ୍ୟ ଶବ୍ଦରେ କହିଲେ, ମଧ୍ୟ-ଯୁଗରେ, ରାଜା ଓ ବ୍ରାହ୍ମଣମାନଙ୍କ ମଧ୍ୟରେ ମେଣ୍ଟ ଥିଲା ରାଷ୍ଟ୍ରର ପ୍ରମୁଖ ଆଧାର ।

ଗଜପତିଙ୍କୁ ପ୍ରଶାସନରେ ସାହାଯ୍ୟ କରିବାପାଇଁ ବ୍ରାହ୍ମଣ ବା ପୁରୋହିତବର୍ଗଙ୍କ ବ୍ୟତୀତ ମନ୍ତ୍ରିପରିଷଦ ଓ ଅନ୍ୟ ଅଧିକାରୀମାନେ ମଧ୍ୟ ରହିଥିଲେ । ସେମାନଙ୍କୁ 'ପାତ୍ର', 'ମହାପାତ୍ର', 'ବେହେରା-ମହାପାତ୍ର' ଓ 'ସାମନ୍ତ' କୁହାଯାଉଥିଲା । ଗଜପତି ସାମ୍ରାଜ୍ୟ 'ମହାରାଜ୍ୟ' ନାମରେ ପରିଚିତ ଥିଲା । ତାକୁ କେତେକ ଦଣ୍ତପାଟ ଓ ରାଜ୍ୟରେ ବିଭକ୍ତ କରାଯାଇଥିଲା । ରାଜ୍ୟର ସର୍ବୋଚ୍ଚ ଅଧିକାରୀଙ୍କୁ ରାଜା ବା ପରୀକ୍ଷ କୁହାଯାଉଥିଲା । ସାଧାରଣତଃ ରାଜପରିବାରର ବ୍ୟକ୍ତି ବା ରାଜକୁମାରଙ୍କୁ ରାଜ୍ୟର ପ୍ରାଶାସନିକ ଦାୟିତ୍ୱ ଦିଆଯାଉଥିଲା । ରାଜ୍ୟପାଳ ରାଜସ୍ୱର କିଛି ଅଂଶ ରଖି ବଳକା ଅଂଶକୁ ରାଜକୋଷରେ ଜମା କରୁଥିଲେ । କପିଳେନ୍ଦ୍ରଦେବଙ୍କ ସମୟରେ ମହାରାଜ୍ୟ ଖୁବ୍‍ ବିସ୍ତାର ଲାଭ କରିଥିଲା । ସାମନ୍ତ ରାଜାମାନେ ଗଜପତିଙ୍କୁ ବାର୍ଷିକ ଦେୟ ଓ ଯୁଦ୍ଧ ସମୟରେ ସୈନ୍ୟ ସହାୟତା ପ୍ରଦାନ କରୁଥିଲେ । ଆଭ୍ୟନ୍ତରୀଣ ଶାସନ ସେମାନଙ୍କ ଦାୟିତ୍ୱରେ ଚାଲିଥିଲା । ଗଜପତି ତହିଁରେ ହସ୍ତକ୍ଷେପ କରୁ ନଥିଲେ । ଅନେକ ସମୟରେ ଗଜପତିଙ୍କ ଦୁର୍ବଳତାର ସୁଯୋଗ ନେଇ ସେମାନେ ନିଜକୁ ସ୍ୱାଧୀନ ଘୋଷଣା କରୁଥିଲେ ।

କେତେକ ସ୍ଥାନରେ ଗଜପତିଙ୍କ ପ୍ରତ୍ୟକ୍ଷ କର୍ତ୍ତୃତ୍ୱରେ ଥିବା ରାଜ୍ୟକୁ ଦଣ୍ତପାଟ ମଧ୍ୟ କୁହାଯାଇଛି । ତା'ର ପ୍ରାଶାସନିକ ମୁଖ୍ୟଙ୍କୁ ଦଣ୍ତପରୀକ୍ଷ ବା ଅଧ୍ୟକ୍ଷ ବୋଲି କୁହାଯାଉଥିଲା । ସେମାନଙ୍କୁ ଗଜପତି ନିଯୁକ୍ତି ଦେଉଥିଲେ । ଦଣ୍ତପାଟକୁ କେତୋଟି ବିଶିରେ ବିଭକ୍ତ କରାଯାଉଥିଲା ଏବଂ ତା'ର ଅଧିକାରୀଙ୍କୁ 'ବିଶୋୟୀ' କୁହାଯାଉଥିଲା । ସେହିଭଳି ଗ୍ରାମର ମୁଖ୍ୟ ଥିଲେ 'ଭୋଇ' । କାଳକ୍ରମେ ଏହି ଅଧିକାରୀମାନେ ବଂଶାନୁକ୍ରମିକ ଭାବେ ନିଜ ନିଜ ପଦବୀରେ ରହି ଉକ୍ତ ପଦବୀକୁ ବଂଶର ସାଙ୍ଗିଆ ଭାବରେ ବ୍ୟବହାର କରୁଥିଲେ । ରାଜପ୍ରଦତ୍ତ ଏହି 'ସାଙ୍ଗିଆ' ସେମାନଙ୍କୁ ସାମାଜିକ ପ୍ରତିଷ୍ଠା ଦେଲା ତଥା ଅସ୍ମିତା ପ୍ରଦାନ କରିବାରେ ସାହାଯ୍ୟ କଲା । ଗଜପତି ଶାସନର ଅବସାନ ପରେ ମଧ୍ୟ ସେମାନେ ଉକ୍ତ ସାଙ୍ଗିଆକୁ ବ୍ୟବହାର କଲେ ।୧୦୨ . ଓଡ଼ିଶା ଇତିହାସ