ପୃଷ୍ଠା:Odisha Itihasa.pdf/୧୦୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜୟଦେବ ତାଙ୍କ ଜନ୍ମମାଟିର ନାମ 'କେନ୍ଦୁବିଲ୍ୱ' ବୋଲି କହିଛନ୍ତି । ଏହି ଗ୍ରାମ ତେନ୍ଦୁଲି ନାମରେ ବୀରଭୂମ ଜିଲ୍ଲାରେ ରହିଥିବା କୁହାଯାଏ । ଅନେକ ଗବେଷକ ଜୟଦେବ ଓଡ଼ିଶାର ବୋଲି କହିଥାନ୍ତି । ତାଙ୍କ ଜନ୍ମ ଭୁବନେଶ୍ୱର ନିକଟସ୍ଥ 'କେନ୍ଦୁଲି' ଗ୍ରାମ ବୋଲି ଦାବି କରାଯାଏ । ସେହି ଗ୍ରାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ମାରକୀ ଓ ସ୍ମୃତିସଂଗ୍ରହାଳୟ ମଧ୍ୟ ପ୍ରତିଷ୍ଠା ହୋଇଛି । ମାତ୍ର କେତେକ ଐତିହାସିକ ଭୁବନେଶ୍ୱର ନିକଟସ୍ଥ ଏହି କେନ୍ଦୁଲି ଗ୍ରାମର ପ୍ରାଚୀନତାକୁ ନେଇ ସନ୍ଦେହ ପ୍ରକାଶ କରନ୍ତି । ଅନ୍ୟ ପକ୍ଷରେ ଓଡ଼ିଶାର ସାହିତ୍ୟିକ ପରମ୍ପରାରେ କବିଙ୍କୁ ଓଡ଼ିଶାର ବୋଲି ଦୃଢ଼ ଭାବରେ ପ୍ରତିପାଦନ କରାଯାଏ । ସେ ଯାହାହେଉ, ଜୟଦେବଙ୍କ ଜନ୍ମସ୍ଥାନକୁ ନେଇ ବୌଦ୍ଧିକ ବିବାଦକୁ ଦେଖିଲେ ମନେହୁଏ ଯେ, ଏକ କାବ୍ୟ ଓ ତା'ର କାବ୍ୟକାର ସମାଜ ନିମନ୍ତେ ମନ୍ଦିର-ମସ୍‍ଜିଦ ବା ମିନାର-ବିହାର ଭଳି ସାଂସ୍କୃତିକ ବିଭବ ହେବାର ସାମର୍ଥ୍ୟ ରଖନ୍ତି । ଏହା କାବ୍ୟର ମହତ୍ତ୍ୱକୁ ହିଁ ଦର୍ଶାଏ ।

ଜୟଦେବଙ୍କ ବ୍ୟତୀତ ମଧ୍ୟଯୁଗର ଅନ୍ୟ ଯେଉଁ କେତେଜଣ ସଂସ୍କୃତ କାବ୍ୟକାରଙ୍କ ନାମ ଆଲୋଚନାକୁ ଆସେ, ତନ୍ମଧ୍ୟରେ ଅଛନ୍ତି : 'ଏକାବଳୀ'ର ଲେଖକ ବିଦ୍ୟାଧର, 'ସ୍ମୃତି'ର ଲେଖକ ଶ୍ରୀଧର ଆଚାର୍ଯ୍ୟ ତଥା ନୀଳାମ୍ବର ଆଚାର୍ଯ୍ୟ ଓ ଶଙ୍ଖଧର । ବିଦ୍ୟାଧରଙ୍କୁ ଗଙ୍ଗରାଜ ପ୍ରଥମ ନରସିଂହ ଦେବଙ୍କ ସଭାକବି ବୋଲି ଅନୁମାନ କରାଯାଏ । ଏକାବଳୀରେ ସେ ନରସିଂହଦେବଙ୍କର ଯବନ ସେନା ସହିତ ହୋଇଥିବା ଯୁଦ୍ଧର ଉଲ୍ଲେଖ କରିଛନ୍ତି । ଶ୍ରୀଧର, ନୀଳାମ୍ବର ଓ ଶଙ୍ଖଧରଙ୍କୁ ଦ୍ୱାଦଶ ଶତାବ୍ଦୀର କାବ୍ୟକାର ବୋଲି ମନେ କରାଯାଏ, ଯଦିଓ ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମତରେ ସେମାନେ ପରବର୍ତ୍ତୀକାଳୀନ କାବ୍ୟକାର । ଶ୍ରୀଧର ଘୁମୁସର ଭଞ୍ଜ ରାଜସଭାର ପଣ୍ତିତ ଥିଲେ । ଗଙ୍ଗ ରାଜା ଦ୍ୱିତୀୟ ନରସିଂହ ଦେବଙ୍କ ସମକାଳୀନ ଶମ୍ଭୁକାର ବାଜପେୟୀ ଥିଲେ ମଧ୍ୟକାଳର ଆଉ ଜଣେ ମହତ୍ତ୍ୱପୂର୍ଣ୍ଣ କାବ୍ୟକାର । ସେ ପୁରୀ ଜିଲ୍ଲା ଦାଣ୍ତମୁକୁନ୍ଦପୁରର ନିବାସୀ ଥିଲେ । ପ୍ରସିଦ୍ଧ 'ସାହିତ୍ୟ ଦର୍ପଣ'ର ରଚୟିତା କବି ବିଶ୍ୱନାଥ ଗଙ୍ଗରାଜା ଚତୁର୍ଥ ଭାନୁଦେବଙ୍କ ସମକାଳୀନ ଥିଲେ ବୋଲି ଅନୁମାନ କରାଯାଏ । ଅର୍ଥାତ୍‍ ସେ ପଞ୍ଚଦଶ ଶତାବ୍ଦୀର ସ୍ରଷ୍ଟା । ସଂସ୍କୃତ ବ୍ୟତୀତ ପ୍ରାକୃତ ଭାଷାରେ ସେ 'କୁବଳୟା ଚରିିତ କାବ୍ୟ' ରଚନା କରିଥିଲେ ।

ସୂର୍ଯ୍ୟବଂଶର ତିିନିଜଣ ଯାକ ଶାସକ କପିଳେନ୍ଦ୍ରଦେବ, ପୁରୁଷୋତ୍ତମ ଦେବ ଓ ପ୍ରତାପରୁଦ୍ର ଦେବଙ୍କୁ କାବ୍ୟ-ରଚୟିତା ଭାବରେ ଦର୍ଶାଯାଇଛି । 'ପର୍ଶୁରାମ ବିଜୟ' (କପିଳେନ୍ଦ୍ରଦେବ), ଅଭିନବ ଗୀତଗୋବିନ୍ଦ , 'ଅଭିନବ ବେଣୀ ସଂହାର' ଓ ମୁକ୍ତି ଚିନ୍ତାମଣି (ପୁରୁଷୋତ୍ତମଦେବ) ଏବଂ 'ସରସ୍ୱତୀ ବିଳାସମ୍‍' (ପ୍ରତାପରୁଦ୍ରଦେବ)ଆଦି କାବ୍ୟର ରଚନା ଗଜପତିମାନେ କରିଥିଲେ ବୋଲି ଉଲ୍ଲେଖ କରାଯାଇଛି । ଏହି କାବ୍ୟଗୁଡିକୁ ନିଜେ ଗଜପତି ରଚନା କରିଥିଲେ କି ନାହିଁ, ସେ ନେଇ ଏ ଯାଏ ସନ୍ଦେହ ଦୂରୀଭୂତ ହୋଇନାହିଁ । ମାତ୍ର ଏଥିରୁ ପ୍ରମାଣିତ ହୁଏ ଯେ, ଗଜପତିମାନେ ମଧ୍ୟ କାବ୍ୟକାରର ପରିଚୟ ଖୋଜିଛନ୍ତି, ଯାହା ମଧ୍ୟକାଳୀନ ସମାଜର ସାଂସ୍କୃତିକ ବିକାଶକୁ ଇଙ୍ଗିତ କରେ ।

ମଧ୍ୟକାଳୀନ ଓଡ଼ିଶାରେ ସଂସ୍କୃତ ସହିତ ଓଡ଼ିଆ ଭାଷା ଓ ସାହିତ୍ୟର ମଧ୍ୟ ବିକାଶ ଦେଖିବାକୁ ମିଳିଥାଏ । ଏକ ଲିଖିତ ଭାଷା ଭାବରେ ଓଡ଼ିଆର ଆରମ୍ଭ କେବେ ହୋଇଥିଲା, ତାହା ନିର୍ଦ୍ଦିଷ୍ଟ{{right|ଓଡ଼ିଶା ଇତିହାସ . ୧୦୭