ପୃଷ୍ଠା:Odisha Itihasa.pdf/୧୦୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭାବେ କହିବା କଷ୍ଟକର । ସମ୍ଭବତଃ ସଂସ୍କୃତର ଅପଭ୍ରଂଶ ପ୍ରାଚ୍ୟ-ପ୍ରାକୃତ ଓ ସଂସ୍କୃତର ପ୍ରଚଳନ ପ୍ରାଚୀନ କାଳରୁ ଓଡ଼ିଶାରେ ରହିଆସିଥିଲା । ଭଦ୍ରକରୁ ପ୍ରାପ୍ତ ତୃତୀୟ ଶତାବ୍ଦୀର ଏକ ଶିଳାଲିପିରୁ ଜଣାଯାଏ ଯେ, ସେତେବେଳେ ରାଜଭାଷା ରୂପେ ପ୍ରାକୃତର ପ୍ରଚଳନ ଥିଲା । ମାତ୍ର ତହିଁରେ କେତକ ସ୍ଥାନୀୟ ଶବ୍ଦ ମଧ୍ୟ ରହିଥଲା । ଏହି କାରଣରୁ ତତ୍‍କାଳୀନ ରାଜଭାଷାକୁ ପ୍ରାଚ୍ୟ-ପ୍ରାକୃତ ବୋଲି କୁହାଯାଏ । ସପ୍ତମ ଶତାବ୍ଦୀରୁ ଶୈଳୋଦ୍ଭବ, ଭୌମ ଏବଂ ସୋମବଂଶୀ ରାଜତ୍ୱ ସମୟରେ ପ୍ରାଚ୍ୟ-ପ୍ରାକୃତ ସ୍ଥାନରେ ରାଜଭାଷା ରୂପେ ସଂସ୍କୃତର ପ୍ରଚଳନ ଚାଲିଲା । ଏହା ସହିତ ଅନ୍ତତଃ ବୌଦ୍ଧିକ ଓ ପ୍ରାଶାସନିକ ସ୍ତରରେ ଏକ ଭାଷାଭିତ୍ତିକ କେନ୍ଦ୍ରୀକରଣ ଦେଖିବାକୁ ମିଳିଲା । ରାଜଭାଷା ସଂସ୍କୃତ ହେବାରୁ ବ୍ରାହ୍ମଣ୍ୟ ଧର୍ମର ମଧ୍ୟ ସମାଜରେ କର୍ତ୍ତୃତ୍ୱ ବୃଦ୍ଧି ପାଇଲା ।

ସପ୍ତମ ଶତାବ୍ଦୀରେ ଓଡ଼ିଶା ଭ୍ରମଣରେ ଆସିଥିବା ଚୀନ୍‍ ପରିବ୍ରାଜକ ହୁଏନ୍‍ସାଂ ତାଙ୍କ ବିବରଣୀରେ କହିଛନ୍ତି ଯେ ଓଡ୍ର ଓ କଙ୍ଗୋଦ (ଗଞ୍ଜାମ-ପୁରୀ କ୍ଷେତ୍ର) ଲୋକେ ଉତ୍ତର-ଭାରତୀୟଙ୍କ ଠାରୁ ଭିନ୍ନ ଏକ ଭାଷା କହନ୍ତି । ଯଦିଓ ହୁଏନ୍‍ସାଂ ଉତ୍ତର-ଭାରତ ଓ ଓଡ଼ିଶା ମଧ୍ୟରେ ରହିଥିବା ଉଭୟ ଭାଷାକୁ ବିଶେଷ ଅଧ୍ୟୟନ କରିନାହାନ୍ତି, ତାଙ୍କଠାରୁ ମିଳିଥିବା ତଥ୍ୟ ଭିତ୍ତିରେ କୁହାଯିବ ଯେ ସପ୍ତମ ଶତାବ୍ଦୀରେ ଓଡ଼ିଶାରେ କଥିତ ଭାଷା ତା'ର ସ୍ୱାତନ୍ତ୍ର୍ୟ ରଖିଥିଲା । ହୁଏତ ସେତେବେଳକୁ ଲିଖିତ ଓଡ଼ିଆ ଏକ ପ୍ରାରମ୍ଭିକ ସ୍ତରରେ ରହିଥିଲା । ଦଶମ ଶତାବ୍ଦୀରେ ସୋମବଂଶୀ ରାଜା ପ୍ରଥମ ଯଯାତି କୋଶଳ, ଉତ୍କଳ ଓ କଙ୍ଗୋଦକୁ ଏକଶାସନାଧୀନ କଲେ । ରାଜନୀତିକ ପରିବର୍ତ୍ତନ ଓଡ଼ିଶାରେ ଏକ ସାଧାରଣ ଭାଷାର କ୍ରମବିକାଶକୁ ସହଯୋଗ କଲା । ମାତ୍ର ଓଡ଼ିଆ ଭାଷାର କ୍ରମବିକାଶର ଧାରାକୁ ଦର୍ଶାଇବା ଲାଗି ଆମ ପାଖରେ ତତ୍‍କାଳୀନ ଓଡ଼ିଆ ଲିପି ନାହିଁ । ଦ୍ୱିତୀୟତଃ, ଯଦିଓ ଓଡ଼ିଆକୁ ପ୍ରାକୃତିକ ଓଡ଼ିଶାର ଅଧିବାସୀଙ୍କ ସାଧାରଣ ଭାଷା ବୋଲି କୁହାଯାଉଛି, ତହିଁରେ ମଧ୍ୟ ଆଞ୍ଚଳିକ ସ୍ୱତନ୍ତ୍ରତାମାନ ଯଥେଷ୍ଟ ମାତ୍ରାରେ ରହିଛି । ଉଦାହରଣ ସ୍ୱରୂପ, ପଶ୍ଚିମ ଓଡ଼ିଶା ବା ତତ୍କାଳୀନ କୋଶଳ ଅଞ୍ଚଳରେ କଥିତ ଭାଷା ସହିତ ଉପକୂଳରେ କଥିତ ଓଡ଼ିଆ ଭାଷାର ଯେପରିି ସାମଞ୍ଜସ୍ୟ ଅଛି, ଉତ୍ତର-ଭାରତର ଭୋଜପୁରୀ ଓ ପ୍ରାକୃତ ଆଦି ସହ ସେହିପରିି ସାମଞ୍ଜସ୍ୟ ଅଛି । ସେହିଭଳି ଓଡ଼ିଆର ଉଭୟ ସ୍ୱରୂପ ମଧ୍ୟରେ ପାର୍ଥକ୍ୟ ମଧ୍ୟ ରହିଛି । ଏହି ଆଧାରରେ ଆଧୁନିକ ସମୟରେ ପଶ୍ଚିମ-ଓଡ଼ିଶାରେ ପ୍ରଚଳିତ ଭାଷାକୁ ଏକ ସ୍ୱତନ୍ତ୍ର ଭାଷା ବୋଲି କୁହାଯାଏ ।

ଗଙ୍ଗରାଜତ୍ୱ ସମୟର କେତେକ ଶିଳାଲିପି ଓ ତାମ୍ରଶାସନରେ ତାମିଲ ଓ ତେଲୁଗୁ ଲିପିରେ ଓଡ଼ିଆ ଶବ୍ଦର ବ୍ୟବହାର ଦେଖିବାକୁ ମିଳିଥାଏ । ଏଥିରୁ ମନେହୁଏ, ଚତୁର୍ଦ୍ଦଶ ଶତାବ୍ଦୀ ବେଳକୁ ରାଜନଥିପତ୍ରରେ ସଂସ୍କୃତ ସହିତ ଆଞ୍ଚଳିକ ଭାଷାଗୁଡ଼ିକର ମଧ୍ୟ ବ୍ୟବହାର ଆରମ୍ଭ ହେଲା । ଦ୍ୱିତୀୟତଃ, ଏହି ସମୟ ପର୍ଯ୍ୟନ୍ତ ହୁଏତ ଓଡ଼ିଆ ଲିପିର ପ୍ରଚଳନ ନଥିଲା, ଅଥବା ତାକୁ ପ୍ରାଶାସନିକ ଓ ବୌଦ୍ଧିକ ସ୍ୱୀକୃତି ମିଳିନଥିଲା । କେବଳ କଥିତ ଭାଷା ଭାବରେ ତାହା ରହିଥିଲା ଏବଂ ତା'ର ସାହିତ୍ୟ ମଧ୍ୟ କଥିତ ରୂପରେ ରହିଯାଇଥିଲା ।

ପଞ୍ଚଦଶ ଶତାବ୍ଦୀର ଆରମ୍ଭରେ ଓଡ଼ିଆ ଭାଷା, ସାହିତ୍ୟ ଓ ଲିପିର ବିକାଶ ହେଲା । ସାରଳା ଦାସଙ୍କ ମହାଭାରତକୁ ଏହି ବିକାଶର ଆରମ୍ଭ ଭାବରେ ନିଆଯାଏ । 'ସାରଳା ମହାଭାରତ'ର୧୦୮ . ଓଡ଼ିଶା ଇତିହାସ