ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓଡ଼ିଶା ଇତିହାସ

ଇତିହାସ ଅତୀତର ଘଟଣାବଳୀକୁ ଲିପି ମାଧ୍ୟମରେ ଅଭିବ୍ୟକ୍ତ କରେ । ଯେହେତୁ ଲିପିର ଆରମ୍ଭ ସର୍ବତ୍ର ଏକା ସମୟରେ ହୋଇନାହିଁ, ତେଣୁ ଭିନ୍ନ ଭିନ୍ନ ସ୍ଥାନର ଇତିହାସ ଲେଖା ଅଲଗା ଅଲଗା ସମୟରେ ଆରମ୍ଭ ହୋଇଛି । ମାତ୍ର ଲିପି ଉଦ୍ଭାବନର ବହୁ ପୂର୍ବରୁ ପୃଥିବୀରେ ମାନବର ଅବତରଣ ହୋଇଛି, କାର୍ଯ୍ୟକଳାପ ଲାଗି ରହିଛି । ଚାର୍ଲ୍‌ସ ଡାରଉଇନ୍‌ଙ୍କ ବିବର୍ତ୍ତନବାଦ ଅନୁସାରେ ସୃଷ୍ଟି ବା ବିବର୍ତ୍ତନର ମୋଟ ଅବଧି ଯଦି ୪ ଘଣ୍ଟା, ତହିଁରୁ ମାତ୍ର ଶେଷ ସାତ ମିନିଟ୍‌ରେ ମାନବ ଧରାପୃଷ୍ଠରେ ରହିଛି । ଅର୍ଥାତ୍ ମାନବର ବହୁ ପୂର୍ବରୁ ଅନ୍ୟ ପ୍ରାଣୀ ଓ ବୃକ୍ଷଲତା ରହିବା ଆରମ୍ଭ କରିଛନ୍ତି । ପୁଣି, ଡାରଉଇନ୍ କହନ୍ତି ଯେ, ଏହି ଶେଷ ସାତ ମିନିଟ୍ର ପ୍ରକୃତ ଅବଧି ହେବ ପାଖାପାଖି ୧୮ ଲକ୍ଷ ବର୍ଷ । ଏଥିରୁ ମାତ୍ର ଶେଷ ପାଞ୍ଚ ହଜାର ବର୍ଷରେ ହିଁ ଲିପିର ଉଦ୍ଭାବନ ହୋଇଛି, ସଭ୍ୟତାର ଇତିହାସକୁ ଲିପିବଦ୍ଧ କରିବାକୁ ପ୍ରୟାସ କରାଯାଇଛି । ବିଶ୍ୱର ସମସ୍ତ ବୃହତ୍ ସଭ୍ୟତା, ଯଥା ମିଶରର ନୀଳନଦୀ ସଭ୍ୟତା, ମେସୋପୋଟାମିଆ ସଭ୍ୟତା, ଚୀନ୍ ଓ ହରପ୍ପା ସଭ୍ୟତା ଆଦି ଉକ୍ତ ୨୪ ଘଣ୍ଟାର ଶେଷ କିଛି ମୁହୂର୍ତ୍ତରେ ଜନ୍ମ ନେଇଛନ୍ତି, ବିକଶିତ ହୋଇଛନ୍ତି ଏବଂ ବିଲୟ ମଧ୍ୟ ହୋଇଛନ୍ତି । ମାନବ କାର୍ଯ୍ୟକଳାପର ପ୍ରାୟ ସବୁତକ କାଳାଂଶ ଲିପି ଉଦ୍ଭାବନର ପୂର୍ବ ଖଣ୍ତରେ ରହିଯାଇଛି ।

ଲିଖିତ ଇତିହାସର ଅଭାବଯୋଗୁଁ ଇତିହାସର ଯେଉଁ କାଳାଂଶ ଆବୃତ ରହେ, ତାକୁ ପ୍ରାକ୍- ଐତିହାସିକ ଯୁଗ ବୋଲି କୁହାଯାଏ । ମୋଟ ଇତିହାସର ୯୯ ପ୍ରତିଶତରୁ ଅଧିକ ଭାଗ ଏହି ପ୍ରାକ୍- ଐତିହାସିକ ଯୁଗରେ ସନ୍ନିବିଷ୍ଟ । ପ୍ରତ୍ନତତ୍ତ୍ୱବିତ୍‌ମାନେ ପ୍ରାକ୍- ଐତିହାସିକ ପ୍ରସ୍ତର ଖଣ୍ତ, ପଶୁହାଡ଼ନିର୍ମିତ ଅସ୍ତ୍ରଶସ୍ତ୍ର, ଆଦିମାନବଦ୍ୱାରା ନିର୍ମିତ ଓ ବ୍ୟବହୃତ ଅନ୍ୟ ଉପକରଣ ସବୁକୁ ଅଧ୍ୟୟନ କରି ସେହି ଆଧାରରେ ତତ୍କାଳୀନ ମଣିଷର ଜୀବନ ଯାତ୍ରା କହିବାକୁ ପ୍ରୟାସ କରନ୍ତି । ଉପଲବ୍ଧ ଉପକରଣକୁ ଭିତ୍ତି କରି ପ୍ରାକ୍- ଇତିହାସ କାଳର ଇତିବୃତ୍ତ ରଚନା ଅଗ୍ରଗତି କରେ । ମାତ୍ର ଏହି ସମୟରେ ସଂଘଟିତ ଘଟଣାବଳୀର ସତ୍ୟାସତ୍ୟ ସମ୍ବନ୍ଧରେ ଐତିହାସିକମାନେ ନିଶ୍ଚିତ ହୋଇ ପାରନ୍ତି ନାହିଁ ।

ଓଡ଼ିଶା ଇତିହାସ . ୧୧