ପୃଷ୍ଠା:Odisha Itihasa.pdf/୧୧୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟ ଜଣେ ପ୍ରସିଦ୍ଧ କବି ଥିଲେ ଅଚ୍ୟୁତାନନ୍ଦ ଦାସ । ସେ ୧୪୯୭ରେ କଟକ ଜିଲ୍ଲାର ତିଳକଣା ଗ୍ରାମରେ ଏକ ଶୂଦ୍ର ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ନେମାଳଠାରେ ଏକ ମଠ ପ୍ରତିଷ୍ଠା କରି ନିଜର ବିଚାରକୁ ଶିଷ୍ୟମାନଙ୍କ ମାଧ୍ୟମରେ ପ୍ରସାର କରିଥିଲେ । ତାଙ୍କ ରଚନା ମଧ୍ୟରେ 'ଶୂନ୍ୟ ସଂହିତା', 'ମାଳିକା', 'କୈବର୍ତ୍ତ୍ୟ ଗୀତା', 'ଗୋପାଳଙ୍କ ଓଗାଳ', ଓ 'ହରିବଂଶ' ପ୍ରଧାନ । ତାଙ୍କ ଶିଷ୍ୟମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ କୈବର୍ତ୍ତ, କମାର ଓ ଗୋପାଳ ସଂପ୍ରଦାୟର । ପଞ୍ଚସଖାଙ୍କ ମଧ୍ୟରେ ଅଚ୍ୟୁତାନନ୍ଦଙ୍କ ରଚନାର ପରିମାଣ ସବୁଠାରୁ ଅଧିକ ।

ପଞ୍ଚସଖାଙ୍କ ମଧ୍ୟରେ ଯଶୋବନ୍ତ ଦାସ ଜଗତ୍‍ସିଂହପୁର ନିକଟସ୍ଥ ଅଢ଼ଙ୍ଗ ଗ୍ରାମରେ ୧୪୮୭ରେ ଜନ୍ମ ଗ୍ରହଣ କରିଥିଲେ । ସେ 'ପ୍ରେମଭକ୍ତି ବ୍ରହ୍ମଗୀତା', 'ଶିବସ୍ୱରୋଦୟ', 'ଆତ୍ମପରଚେ ଗୀତା' ଓ 'ଷଷ୍ଠିମେଳା' ଆଦି ଦାର୍ଶନିକ ପୁସ୍ତକମାନ ରଚନା କରିଥିଲେ । ତାଙ୍କ ରଚନାରେ ନିରାକାର, ଅଣାକାର ଓ ଓଁକାର ବ୍ରହ୍ମର ବ୍ୟାଖ୍ୟା ଦେଖିବାକୁ ମିଳେ । ତହିଁରେ ଜ୍ଞାନ ମିଶ୍ରିତ ଭକ୍ତିକୁ ପ୍ରାଧାନ୍ୟ ଦିଆଯାଇଛି । ତାଙ୍କର ଏକ ପ୍ରମୁଖ ରଚନା 'ଗୋବିନ୍ଦଚନ୍ଦ୍ର' ସାମାଜିକ ବିଷୟବସ୍ତୁ ଉପରେ ଆଧାରିତ । ଜଣେ ରାଜପୁତ୍ର ଅଳ୍ପାୟୁ ବୋଲି ପୂର୍ବାନୁମାନରୁ ଜଣାପଡିଲା । ଫଳରେ ତାକୁ ଏକ ଅସ୍ପୃଶ୍ୟ ପରିବାରରେ ପ୍ରତିପାଳନପାଇଁ ତ୍ୟାଗ କରି ଦିଆଗଲା । ଅସ୍ପୃଶ୍ୟର ଶିଷ୍ୟତ୍ୱ ରାଜପୁତ୍ରକୁ ତ୍ୟାଗୀ ଓ ଦୀର୍ଘାୟୁ କଲା ! ଏହି କାହାଣୀରେ ଯଶୋବନ୍ତ ତଥାକଥିତ ନୀଚ ଜାତିର ମହତ୍ତ୍ୱ ଦର୍ଶାଇ ଜାତିବ୍ୟବସ୍ଥାର ଦୃଢ଼ ପ୍ରତିବାଦ କରିଛନ୍ତି । ତା' ସହିତ ବିଷୟ ବାସନାର ନିରର୍ଥକତାକୁ ଦର୍ଶାଇଛନ୍ତି । ବର୍ଣ୍ଣ ଅପେକ୍ଷା କର୍ମ ଅନୁସାରେ ହିଁ ଜଣେ ମଣିଷକୁ ବଡ଼ ବା ଛୋଟ କୁହାଯିବା ଉଚିତ ବୋଲି ସେ କହିଛନ୍ତି । ଯଶୋବନ୍ତଙ୍କ ଶିଷ୍ୟ ଲିଖିତ 'ଚଉରାଶୀ ଆଜ୍ଞା'ରେ କବିଙ୍କ ଜୀବନୀ ସମ୍ବନ୍ଧରେ ଅନେକ ବର୍ଣ୍ଣନା ରହିଛି ।

ପଞ୍ଚସଖାଙ୍କ ମଧ୍ୟରେ ପଞ୍ଚମ ସଖା ଥିଲେ ଅନନ୍ତ ଦାସ । ଯଦିଓ ସେ ଜଗନ୍ନାଥ ଦାସ ଓ ଯଶୋବନ୍ତ ଦାସଙ୍କଠାରୁ ବୟସରେ ବଡ଼, ତାଙ୍କୁ ଶିଶୁ ଅନନ୍ତ ଦାସ ବୋଲି କୁହାଯାଏ । ୧୪୮୬ରେ ଭୁବନେଶ୍ୱର ନିକଟସ୍ଥ ବାଲିପାଟଣା ଗ୍ରାମରେ ତାଙ୍କର ଜନ୍ମ; ପିତା କପିଳ ମହାନ୍ତି ଓ ମାତା ଗୌରୀଦେବୀ । ଅନନ୍ତଙ୍କର ଅନ୍ୟ ଏକ ପରିଚୟ ହେଲା, ସେ ଥିଲେ ଚୈତନ୍ୟଙ୍କର ଜଣେ ଘନିଷ୍ଠ ସହଯୋଗୀ । ତାଙ୍କ ରଚନାଗୁଡ଼ିକ ମଧ୍ୟରେ 'ଆଗତ ଭବିଷ୍ୟ ମାଳିକା', 'ଅର୍ଥ ତାରେଣୀ', 'ପିଣ୍ତ ବ୍ରହ୍ମାଣ୍ତ ଗୀତା' ଓ 'ହେତୁ ଉଦୟ ଭାଗବତ' ଅନ୍ୟତମ । ତାଙ୍କ ରଚନା ଗୁଡ଼ିକରେ ଭକ୍ତି ଓ ଯୋଗର ମାହାତ୍ମ୍ୟ ଦର୍ଶାଯାଇଛି । ଭଗବାନଙ୍କୁ ସେ 'ଅବର୍ଣ୍ଣ' ବୋଲି ବର୍ଣ୍ଣନା କରିଛନ୍ତି । ଈଶ୍ୱରଙ୍କ ସାନ୍ନିଧ୍ୟପାଇଁ ସମର୍ପଣ ଭାବ ଉପରେ ମହତ୍ତ୍ୱ ଦେଇଛନ୍ତି । ତାଙ୍କ ରଚନା ଦର୍ଶନ ଆଧାରିତ ହେଲେ ସୁଦ୍ଧା ଭାଷାର ସରଳତାଯୋଗୁଁ ସାଧାରଣ ସ୍ତରରେ ଆଦୃତ । ଅନନ୍ତ ଦାସଙ୍କ ଶିଷ୍ୟମାନେ ମଧ୍ୟ ନିଜ ନାମରେ 'ଶିଶୁ' ଶବ୍ଦଟିକୁ ଯୋଡ଼ନ୍ତି, ଯଥା- ଶିଶୁ ବନମାଳୀ ଦାସ, ଶିଶୁ ଶଙ୍କର ଦାସ, ଶିଶୁ ଦୟାନିଧି ଦାସ ଆଦି । 'ଶିଶୁ'କୁ ସେମାନେ ଅବୋଧ ଅର୍ଥରେ ବ୍ୟବହାର କରି ନମ୍ରତାର ପରିଚୟ ଦେଇଛନ୍ତି ।{{right|ଓଡ଼ିଶା ଇତିହାସ . ୧୧୩