ପୃଷ୍ଠା:Odisha Itihasa.pdf/୧୨୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରାଜା ମୁକୁନ୍ଦଦେବ ପ୍ରଥମେ ପ୍ରାଣ ବିକଳରେ ପଳାୟନ କଲେ ଏବଂ କିଛିଦିନ ଉତ୍ତାରୁ ମୋଗଲ ସୁବାଦାରଙ୍କ ନିକଟରେ ଆତ୍ମ ସମର୍ପଣ କଲେ । ଗଜପତିଙ୍କ ଦୁରବସ୍ଥା ଦେଖି ଅନ୍ୟ ରାଜା ଓ ଜମିଦାରମାନେ ମଧ୍ୟ ସୁବାଦାରଙ୍କ କର୍ତ୍ତୃତ୍ୱକୁ ସ୍ୱୀକାର କରିନେଲେ । ସୁବାଦାର କେନ୍ଦୁଝର ରାଜ୍ୟ ଲୁଣ୍ଠନ କଲେ । ଖାନ୍‍ ଇ ଦୌରାନ୍‍ଙ୍କ ଉଦ୍ୟମରେ ଓଡ଼ିଶାରେ ମୋଗଲ ଶାସନ ଦୃଢ଼ ହେଲା । ତା' ସାଙ୍ଗକୁ ରାଜକୋଷ ମଧ୍ୟ ଭର୍ତ୍ତିି ହେଲା । ଖାନ୍‍ ଇ ଦୌରାନ୍‍ ଖୋର୍ଦ୍ଧା ଆକ୍ରମଣ କରିଥିଲେ । କିନ୍ତୁ କିଛି ଦିନ ପରେ ଗଜପତି ମୁକୁନ୍ଦ ଦେବ ଆତ୍ମ ସମର୍ପଣ କରିବାରୁ ଏବଂ ତାଙ୍କ ପରେ ପରେ ଅନ୍ୟ ବିଦ୍ରୋହୀମାନେ ନିୟନ୍ତ୍ରଣକୁ ଆସିବାରୁ ସେ ପୁରୀ ଆକ୍ରମଣ କରି ନଥିଲେ । ସେ କେନ୍ଦ୍ରାପଡ଼ାର ବଳଦେବ ଜୀଉ ମନ୍ଦିର ଲୁଣ୍ଠନ କରିଥିଲେ । ସୁବାଦାର ଶାୟସ୍ତା ଖାଁ (୧୬୮୦-୮୮) ଝଙ୍କଡ଼ର ଶାରଳା ମନ୍ଦିର ଓ ଯାଜପୁର ଆଖପାଖର କେତୋଟି ମନ୍ଦିର ଲୁଣ୍ଠନ କରିଥିଲେ । ଶାୟସ୍ତ ଖାଁଙ୍କ ପରେ ତାଙ୍କ ପୁତ୍ର ଆବୁ ନାସେର୍‍ ଓଡ଼ିଶାର ସୁବାଦାର ନିଯୁକ୍ତ ହେଲେ । ତାଙ୍କ ସମୟରେ ପୁରୀ ଜଗନ୍ନାଥ ମନ୍ଦିର ଆକ୍ରମଣ ପାଇଁ ସେନା ଚାଳନା ହୋଇଥିଲା । ମାତ୍ର ଝଡ଼ ତୋଫାନଯୋଗୁଁ ମୋଗଲ ସେନା ପିପିଲିଠାରୁ କଟକ ପ୍ରତ୍ୟାବର୍ତ୍ତନ କଲେ । ସଂଭବତଃ ମୁକୁନ୍ଦଦେବ କିଛି ପେଶ୍‍କସ୍‍ ଦେଇ ମୋଗଲ ସେନାଙ୍କୁ ଜଗନ୍ନାଥ ମନ୍ଦିର ଆକ୍ରମଣରୁ ନିବୃତ୍ତ କରିଥିଲେ ।

ଏହି ସବୁ ମନ୍ଦିର ଆକ୍ରମଣରୁ ମନେହୁଏ, ଆକ୍ରମଣର ଏକ ପ୍ରଧାନ କାରଣ ଥିଲା ଧନରତ୍ନ ଲୁଣ୍ଠନ । ଅନେକ ସମୟରେ ଜଗନ୍ନାଥ ମନ୍ଦିର ଆକ୍ରମଣର ଧମକ ଦେଇ ସୁବାଦାରମାନେ ଖୋର୍ଦ୍ଧା ରାଜାଙ୍କଠାରୁ ଅର୍ଥ ଆଦାୟ କରିଛନ୍ତି । ପୁଣି କେବେ କେବେ ଅର୍ଥ ଲାଭ ପରେ ମନ୍ଦିର ଆକ୍ରମଣ ଯୋଜନାରୁ ନିବୃତ୍ତ ରହିଛନ୍ତି । ମନ୍ଦିର ଆକ୍ରମଣ ପଛରେ ବିଧର୍ମୀ ଭାବନା ଯେ ଏକ କାରଣ ଥିଲା ଏହା ଅସ୍ୱୀକାର କରିହେବ ନାହିଁ । ମୁସଲିମ ଧର୍ମରେ ମୂର୍ତ୍ତିି ପୂଜା ନିଷେଧ । ତେଣୁ ମନ୍ଦିର ଉପରେ ଆକ୍ରମଣ କରି ମୂର୍ତ୍ତିିକୁ ଭାଙ୍ଗିରୁଜି ଦେବା ସେମାନଙ୍କ ମଧ୍ୟଯୁଗୀୟ ଧାର୍ମିକ ପରଂପରା ଅନୁଯାୟୀ ଯୁକ୍ତିସଂଗତ ଥିଲା । ଏ କ୍ଷେତ୍ରରେ ଆଉରଙ୍ଗଜେବଙ୍କର ଏକ ଦୃଷ୍ଟାନ୍ତ ନିଆଯାଇପାରେ । ୧୬୯୨ରେ ସେ କଟକରେ ନବନିଯୁକ୍ତ ସୁବାଦାର ନବାବ ଏକରାମ ଖାଁଙ୍କୁ ପୁରୀ ମନ୍ଦିର ଧ୍ୱଂସ କରିବାପାଇଁ ନିର୍ଦ୍ଦେଶ ଦେଲେ । ମାତ୍ର ମୋଗଲ ସେନା ପୁରୀ ଆକ୍ରମଣପାଇଁ କଟକରୁ ପ୍ରସ୍ଥାନ କରିବା ପୂର୍ବରୁ ଗଜପତି ଦିବ୍ୟସିଂହଦେବ (୧୬୮୮-୧୭୧୬) ସୁବାଦାରଙ୍କୁ ଜଣାଇଲେ ଯେ, ଆଦେଶ ମିଳିଲେ ସେ (ଗଜପତି) ନିଜେ ମନ୍ଦିର ଧ୍ୱଂସ କରିଦେବେ । ସୁବାଦାର ଏଥିରେ ସମ୍ମତ ହେବାରୁ ଗଜପତି ଉପରଠାଉରିଆ ଭାବେ ମନ୍ଦିରରୁ କିଛି ଭାଙ୍ଗିଦେଲେ ଏବଂ ଦେବପ୍ରତିମାଙ୍କର ଏକ ନକଲି ମୂର୍ତ୍ତିି ସୁବାଦାରଙ୍କ ମାଧ୍ୟମରେ ଆଉରଙ୍ଗଜେବଙ୍କ ପାଖକୁ ପ୍ରେରଣ କଲେ । ଅନ୍ୟ ପକ୍ଷରେ ମନ୍ଦିରର ମୁଖ୍ୟ ଫାଟକ ବନ୍ଦ ହେଲା, ପୂଜାବିଧି ମଧ୍ୟ ବନ୍ଦ ରହିଲା । ମନ୍ଦିରରେ ପାଳିତ ଅନ୍ୟାନ୍ୟ ପୂଜା ପାର୍ବଣକୁ ମଧ୍ୟ ବନ୍ଦ କରିଦିଆଗଲା । ଏହି ଉପାୟରେ ଆଉରଙ୍ଗଜେବଙ୍କ ସମୟରେ ଜଗନ୍ନାଥ ମନ୍ଦିର ଧ୍ୱଂସ ହେବାରୁ ରକ୍ଷା ପାଇଥିଲା । ସମ୍ରାଟଙ୍କର ହିନ୍ଦୁବିଦ୍ୱେଷ ନୀତି ମଧ୍ୟ ଏ କ୍ଷେତ୍ରରେ କାର୍ଯ୍ୟକାରୀ ହେଲା ।{{right|ଓଡ଼ିଶା ଇତିହାସ . ୧୨୩