ପୃଷ୍ଠା:Odisha Itihasa.pdf/୧୩୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରୁଥିଲେ । ଗଡ଼ଜାତଗୁଡ଼ିକ ଉପରେ ଧାର୍ଯ୍ୟ କର ପରିମାଣ ସମାନ ନଥିଲା । ମୟୂରଭଞ୍ଜ ଏକ ବଡ଼ ଗଡ଼ଜାତ ହେବା ସତ୍ତ୍ୱେ ତା'ର ରାଜାଙ୍କୁ ବାର୍ଷିକ ୬ ହଜାର ଟଙ୍କା କର ଦେବାକୁ ପଡୁଥିଲା । ନୀଳଗିରି ଏକ କ୍ଷୁଦ୍ର ରାଜ୍ୟ ହେବା ସତ୍ତ୍ୱେ ତାକୁ ୩୦ ହଜାର ଟଙ୍କା ବାର୍ଷିକ ଦେୟ ଦେବାକୁ ପଡ଼ୁଥିଲା । ଦଶପଲ୍ଲା ରାଜ୍ୟକୁ ଆଦୌ ଦେୟ ଦେବାକୁ ପଡୁ ନଥିଲା ଏବଂ ଖୋର୍ଦ୍ଧାକୁ ୧୦ ହଜାର ଟଙ୍କା ଦେବାକୁ ପଡୁଥିଲା । ଏଭଳି ପୃଥକ୍‍ କର ନିର୍ଦ୍ଧାରଣ ପଛରେ ଅନେକ କାରଣ ରହିଥିଲା । ଖୋର୍ଦ୍ଧାରୁ ବାର୍ଷିକ ୧୦ହଜାର ଟଙ୍କା ଦେୟ ନେବା ପରେ ଜଗନ୍ନାଥ ମନ୍ଦିରରୁ ଅଲଗା ଭାବେ ମରହଟ୍ଟାମାନେ ତୀର୍ଥଯାତ୍ରୀ କର ଅସୁଲ କରୁଥିଲେ । ସେହିଭଳି ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ଓ ମୟୂରଭଞ୍ଜ ଆଦି ରାଜ୍ୟରୁ ମରହଟ୍ଟାମାନେ ଅନେକ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରୁଥିଲେ । ଅନେକ ସମୟରେ ଧାର୍ଯ୍ୟ ଦେୟ ଓ ଆଦାୟ ହେଉଥିବା ଦେୟ ମଧ୍ୟରେ ଅନେକ ପାର୍ଥକ୍ୟ ରହୁଥିଲା । ଭୋଁସଲେ ରାଜାଙ୍କ ଶକ୍ତି ହ୍ରାସ ପାଉଥିବାର ଆଶା କରି କେତେକ ଗଡ଼ଜାତ ଦେୟ ଦେବାରେ ଅବହେଳା କରୁଥିଲେ । ସେମାନଙ୍କ ଉପରେ ମରହଟ୍ଟାମାନେ ଚାପ ପ୍ରୟୋଗ କରୁଥିଲେ । ବିଦ୍ରୋହ ଦମନପାଇଁ ମଧ୍ୟ ମରହଟ୍ଟା ପ୍ରଶାସନ ପ୍ରୟାସ କରୁଥିଲେ ।

ମୋଟ ଓଡ଼ିଶାର ମରାଠା ଶାସନ ମୁଖ୍ୟ ଥିଲେ ସୁବାଦାର । ମୋଗଲବନ୍ଦି ବ୍ୟତୀତ ଗଡ଼ଜାତରେ ରାଜସ୍ୱ ଆଦାୟ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା । ଏହା ଛଡ଼ା ବଙ୍ଗ ନବାବଙ୍କଠାରୁ ଚୌଠ ବା ମରାଠା ସୁରକ୍ଷା କର ମଧ୍ୟ ତାଙ୍କୁ ଆଦାୟ କରିବାକୁ ପଡ଼ୁଥିଲା । କର ପରିମାଣ ଖୁବ୍‍ ଅଧିକ ଥିବାରୁ ତାଙ୍କ ପକ୍ଷରେ ସମସ୍ତ କର ଅସୁଲ କରିବା କଷ୍ଟକର ଥିଲା । ଏହାର ପରିଣାମ ସ୍ୱରୂପ, ତାଙ୍କୁ ଅନେକ ସମୟରେ ପଦଚ୍ୟୁତ ହେବାକୁ ପଡ଼ୁଥିଲା (ଯାହା ପୂର୍ବରୁ ଉଲ୍ଲିଖିତ) । ଧାର୍ଯ୍ୟମତେ କର ଆଦାୟ କରି ଭୋଁସଲେ ରାଜାଙ୍କ ପ୍ରିୟଭାଜନ ହେବାକୁ ସେ ନାନା ପ୍ରୟାସ ମଧ୍ୟ କରୁଥଲୋ ଉଦାହରଣ ସ୍ୱରୂପ, ରାଜାରାମ ପଣ୍ଡିତ ସୁବାଦାର ଥିବା ସମୟରେ ଜମିଦାରମାନଙ୍କୁ ମଧ୍ୟସ୍ଥି ରୂପେ ନ ରଖି ସିଧାସଳଖ ସମ୍ପନ୍ନ ପ୍ରଜାଙ୍କଠାରୁ କର ଆଦାୟ କରିବାର ବ୍ୟବସ୍ଥା କରିଥିଲେ ।

ଭୂ-ରାଜସ୍ୱ ଅସୁଲପାଇଁ ମୋଗଲବନ୍ଦିକୁ ଏକଶହ ପଚାଶଟି ପ୍ରଗଣାରେ ବିଭକ୍ତ କରାଯାଇଥିଲା । ରାଜସ୍ୱ ଅସୁଲପାଇଁ ସୁବାଦାରଙ୍କ ଅଧୀନରେ ଚୌଧୁରୀ, କାନୁନ୍‌ଗୋ ଓ ତାଲୁକ୍‍ଦାର ଆଦି କର୍ମଚାରୀ ଥିଲେ । ମାସିକ ବେତନ ପରିବର୍ତ୍ତେ ସେମାନେ ଭୂ-ସମ୍ପତ୍ତି ଲାଭ କରିଥିଲେ । ଅସୁଲ ହୋଇଥିବା ରାଜସ୍ୱର କିୟଦଂଶ କମିଶନ ଆକାରରେ ମଧ୍ୟ ସେମାନଙ୍କୁ ମିଳୁଥିଲା ।

ଭୂ-ରାଜସ୍ୱ ଯେହେତୁ ରାଜକୋଷର ମୁଖ୍ୟ ଆୟ ଥିଲା, କୃଷିର ଉନ୍ନତିପାଇଁ ତକାବି ଋଣ ମଧ୍ୟ ଚାଷୀମାନଙ୍କୁ ସରକାରଙ୍କ ତରଫରୁ ଦିଆଯାଉଥିଲା । ମକଦ୍ଦମମାନେ ଗ୍ରାମର ଚାଷୀଠାରୁ ଖଜଣା ଆଦାୟ କରି ତାଲୁକ ଦାୟିତ୍ୱରେ ଥିବା ତାଲୁକ୍‍ଦାରଙ୍କ ନିକଟରେ ଜମା କରୁଥିଲେ । କେତେକ କ୍ଷେତ୍ରରେ ତାଲୁକ୍‍ଦାର୍‍ ସିଧାସଳଖ ଚାଷୀଠାରୁ ଖଜଣା ଅସୁଲ କରିବାର ବ୍ୟବସ୍ଥା{{right|ଓଡ଼ିଶା ଇତିହାସ . ୧୩୯