ପୃଷ୍ଠା:Odisha Itihasa.pdf/୧୪୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହେଲା । ମୋଗଲ ଓ ମରାଠା ସମୟରେ ସୁବାଦାରଙ୍କୁ ପ୍ରଶାସନରେ ତଥା ରାଜସ୍ୱ ଅସୁଲରେ ସାହାଯ୍ୟ କରିବାଲାଗି ଅନେକ ଅଧିକାରୀ ନିଯୁକ୍ତ ହୋଇଥିଲେ । ସେମାନଙ୍କ ପଦପଦବୀ ଅନେକ କ୍ଷେତ୍ରରେ ବଂଶାନୁକ୍ରମିକ ଥିଲା ଏବଂ ପାଉଣା ଆକାରରେ ସେମାନଙ୍କୁ ବିପୁଳ ପରିମାଣର ଜାଗିରମାନ ମିଳିଥିଲା । ଅନେକ ସମୟରେ ବଳ ପ୍ରୟୋଗ କରି ସେମାନେ ସାଧାରଣ ପ୍ରଜାଙ୍କଠାରୁ ବିନା ମୂଲ୍ୟରେ ଶ୍ରମ ନେଉଥିଲେ । ଏହା ସେମାନଙ୍କୁ (ଅଧିକାରୀ ବର୍ଗକୁ) ଧନ ସଞ୍ଚୟ କରିବାରେ ସାହାଯ୍ୟ କଲା । ସାମନ୍ତ ବା ସମ୍ଭ୍ରାନ୍ତ ଶ୍ରେଣୀର ଉତ୍‍ଥାନ ପରେ ସମାଜରେ ସଭ୍ୟତା ଓ ସଂସ୍କୃତି ନାମରେ ଅନେକ ନୂଆ ନୂଆ କଥା ଦେଖିବାକୁ ମିଳିଲା । ମୋଗଲ ଓ ମରହଟ୍ଟା ପ୍ରଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଏହି ସମ୍ଭ୍ରାନ୍ତ ଶ୍ରେଣୀ ସହଯୋଗ କଲା ଏବଂ ପ୍ରତିଦାନରେ ସ୍ୱ-ଅଭିବୃଦ୍ଧି ନିମନ୍ତେ ସହଯୋଗ ପାଇଲା । ସେତେବେଳେ ଧନୀ ତଥା ଉଚ୍ଚ ପଦ ପଦବୀଧାରୀ ଲୋକେ ଯାତାୟାତପାଇଁ ଘୋଡ଼ା ଓ ଘୋଡ଼ାଗାଡ଼ିର ବ୍ୟବହାର କରୁଥିଲେ । କ୍ରମଶଃ ଘୋଡ଼ାର ବ୍ୟବହାର ସମାଜରେ ମର୍ଯ୍ୟାଦା ଓ ରୁଚିର ପ୍ରତୀକ ହେଲା । ଘୋଡା ପିଠିରେ ଚଢ଼ୁଥିବା ଲୋକମାନଙ୍କୁ ଅନ୍ୟମାନେ ଭୟ ଓ ସମ୍ମାନର ସହିତ ଦେଖିଲେ । ସଂଭ୍ରାନ୍ତ ବର୍ଗର ଲୋକେ ପାଲିଙ୍କି ବ୍ୟବହାର କରୁଥିଲେ । ନିମ୍ନ ଶ୍ରେଣୀର ଲୋକଙ୍କପାଇଁ ଏହାର ବ୍ୟବହାର ବାରଣ ଥିଲା । ଏଥିପାଇଁ କୌଣସି ଲିଖିତ ଆଇନ ନଥିଲେ ସୁଦ୍ଧା ସ୍ଥାନୀୟ ଅଧିକାରୀ ଓ ଜମିଦାରମାନେ ତା'ର କ୍ରିୟାନ୍ୱୟନ ଦିଗରେ ବିଶେଷ ଧ୍ୟାନ ଦେଉଥିଲେ ।

ସେ ସମୟରେ କୌଣସି ବ୍ୟକ୍ତି ବା ଅଧିକାରୀ ନିଜଠାରୁ ଅଧିକ କ୍ଷମତାସଂପନ୍ନ ଅନ୍ୟ କୌଣସି ଅଧିକାରୀଙ୍କ ପାଖକୁ ସାକ୍ଷାତପାଇଁ ଗଲେ ମର୍ଯ୍ୟାଦା ଓ ପଦବୀ ଅନୁସାରେ ଭେଟି ନେଇ ଯାଉଥିଲେ । ସୁବାଦାର ଯେତେବେଳେ ନାଗପୁର ରାଜାଙ୍କୁ ଭେଟିବାକୁ ଯାଉଥିଲେ, ତାଙ୍କୁ ମଧ୍ୟ ଭେଟି ଦେବାକୁ ପଡୁଥିଲା । ଓଡ଼ିଶାର ଗଡ଼ଜାତରେ ମଧ୍ୟ ଏହି ଭେଟି ବ୍ୟବସ୍ଥା ରହିଥିଲା ।

ଅତିଥିମାନଙ୍କୁ ଗଦି ପକାଇ ସାଦର ଅଭ୍ୟର୍ଥନା କରିବା ଏକ ସାଧାରଣ ପରମ୍ପରା ଥିଲା । ଅତି ସଂଭ୍ରାନ୍ତ ଅତିଥି ନିମନ୍ତେ ଅଭ୍ୟର୍ଥନା ବେଳେ ଗାଲିଚା ପଡ଼ୁଥିଲା । ଅତିଥିମାନେ ବସିବା ମାତ୍ରେ ପାନ ଓ ଅତର ପ୍ରଦାନ କରାଯାଉଥିଲା । ଉପର ଶ୍ରେଣୀର ଲୋକଙ୍କପାଇଁ ଚିତ୍ତବିନୋଦନର ଏକ ପ୍ରମୁଖ ମାଧ୍ୟମ ଥିଲା ମୃଗୟା ବା ଶିକାର । ଏଥିପାଇଁ ଅନେକ ଲୋକ ସାଙ୍ଗରେ ଯାଉଥିଲେ ଏବଂ ଶିକାର ନିମନ୍ତେ ଆବଶ୍ୟକୀୟ ସୁବିଧା ସୃଷ୍ଟି କରୁଥିଲେ । ରାଜା, ଜମିଦାର ବା ସଂଭ୍ରାନ୍ତ ବ୍ୟକ୍ତି ଯେଉଁ ବନ୍ୟଜନ୍ତୁ ଶିକାର କରୁଥିଲେ, ତା' ପଛରେ ଅନେକ ସାଧାରଣ ଲୋକଙ୍କ ପରିଶ୍ରମ ଥିଲା ।

ଲୋକମାନେ ସାଧାରଣତଃ ପାନ ଖାଉଥିଲେ । କାରଣ ଓଡ଼ିଶାରେ ପ୍ରଚୁର ପାନ ଉତ୍ପାଦନ ହେଉଥିଲା । ସଂଭ୍ରାନ୍ତ ବର୍ଗର ଲୋକେ ମନୋରଞ୍ଜନର ମାଧ୍ୟମ ରୂପେ ସଂଗୀତ ଓ ନୃତ୍ୟର ପୃଷ୍ଠପୋଷକତା କରୁଥିଲେ । ଗ୍ରାମାଞ୍ଚଳରେ ମନୋରଞ୍ଜନ ଭାବରେ ସୁଆଙ୍ଗ, କୃଷ୍ଣଲୀଳା ଓ ରାମଲୀଳା ପ୍ରଚଳିତ ଥିଲା । ଅଧିକାଂଶ ଗ୍ରାମରେ ବ୍ୟାୟାମଶାଳା ଥିଲା । ସେଠାରେ ଶରୀରଗଠନ୧୪୪ . ଓଡ଼ିଶା ଇତିହାସ