ପୃଷ୍ଠା:Odisha Itihasa.pdf/୧୪୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୭୫୭ର ପଲାସୀ ଯୁଦ୍ଧର ସଫଳତା ପରେ ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ ବଙ୍ଗ, ବିହାର ଓ ଓଡ଼ିଶାର ଦେବାନୀ ଲାଭ କଲା । ମାତ୍ର ଏହି କ୍ଷେତ୍ରରେ ଓଡ଼ିଶାର ଅର୍ଥ ଥିଲା କେବଳ ମେଦିନିପୁରର କିଛି ଅଂଶ, ଯାହା ବଙ୍ଗ ନବାବଙ୍କ ଅଧୀନରେ ରହିଥିଲା । ମାତ୍ର ଏହା ପରେ ଇଂରେଜମାନେ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଲେ ଏବଂ ଓଡ଼ିଶା ଅଧିକାରର ଆବଶ୍ୟକତା ତୀବ୍ର ଭାବରେ ଅନୁଭବ କଲେ । ବଙ୍ଗ ଓ ମାଡ୍ରାସ୍‍ ପ୍ରେସିଡେନ୍‍ସି ମଧ୍ୟରେ ସ୍ଥଳପଥରେ ଯୋଗାଯୋଗପାଇଁ ଓଡ଼ିଶା ଦେଇ ଯିବାକୁ ପଡୁଥିଲା । ମରାଠା ଶକ୍ତିର ଦୁର୍ବଳତାର ସୁଯୋଗ ନେଇ ଓଡ଼ିଶାକୁ କବ୍‍ଜା କରିବାପାଇଁ ଇଂରେଜମାନେ ଯୋଜନା କଲେ । ପ୍ରଥମେ ଶାନ୍ତିପୂର୍ଣ୍ଣ ଭାବେ ଓଡ଼ିଶା ଅଧିକାରପାଇଁ ଭୋଁସ୍‍ଲେ ରାଜାଙ୍କୁ ସାମନ୍ତ ସନ୍ଧି ଗ୍ରହଣ କରିବାକୁ ଇଂରେଜମାନେ ପ୍ରସ୍ତାବ ଦେଲୋ ପ୍ରସ୍ତାବ ସ୍ୱୀକୃତ ନ ହେବାରୁ, ୧୮୦୩ରେ ଯୁଦ୍ଧରେ ଭୋଁସଲେମାନଙ୍କୁ ପରାସ୍ତ କରି ସେମାନେ ଓଡ଼ିଶା ଅଧିକାର କରିନେଲେ । ମରାଠାମାନେ ପ୍ରତିରୋଧ କରିପାରିଲେ ନାହିଁ । ଓଡ଼ିଶାର ସ୍ଥାନୀୟ ରାଜା ଓ ଜମିଦାରମାନେ ମଧ୍ୟ ସେମାନଙ୍କୁ କୌଣସି ସମର୍ଥନ ଦେଇ ନଥିଲେ କି ଇଂରେଜମାନଙ୍କୁ ପ୍ରତିରୋଧ କରି ନଥିଲେ; ବରଂ ଖୋର୍ଦ୍ଧାର ରାଜା ଇଂରେଜମାନଙ୍କୁ ସୈନ୍ୟ ସାହାଯ୍ୟ କରିଥିଲେ । ଏହିଭଳି ଭାବେ ଅକ୍ଟୋବର ୧୪, ୧୮୦୩ରେ ମରାଠାମାନଙ୍କ ସ୍ଥାନରେ ଇଂରେଜମାନେ ବାରବାଟୀ ଦୁର୍ଗ ଅଧିକାର କଲେ । ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳ ଅଧିକାର କରିବାକୁ ଯଦିଓ ଇଂରେଜମାନେ ଅଧିକ କିଛି ସମୟ ନେଇଥିଲେ, ବାରବାଟୀରେ ମରାଠାଙ୍କ ପରାଜୟ ପରେ ଓଡ଼ିଶାରେ ମରହଟ୍ଟା ଶାସନର ଯବନିକା ପଡ଼ିଲା ବୋଲି ବୁଝିବାକୁ ହେବ ।

...

{{right|ଓଡ଼ିଶା ଇତିହାସ . ୧୪୭