ପୃଷ୍ଠା:Odisha Itihasa.pdf/୧୪୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଇଂରେଜମାନଙ୍କ ଓଡ଼ିଶା ଦଖଲ

ନିଜାମ ଓ ମରାଠାମାନଙ୍କ ପାଖରୁ ଇଂରେଜମାନେ ତିନୋଟି ପର୍ଯ୍ୟାୟରେ ଓଡ଼ିଶାକୁ ଦଖଲ କରିଥିଲେ । ପ୍ରଥମେ ନିଜାମଶାସିତ ଦକ୍ଷିଣ-ଓଡ଼ିଶା, ତତ୍‍ପରେ ଭୋଁସଲେ ଶାସିତ ଉତ୍ତର- ଓଡ଼ିଶା (ବାଲେଶ୍ୱର, କଟକ ଓ ପୁରୀ ଜିଲ୍ଲା) ଓ ତୃତୀୟ ପର୍ଯ୍ୟାୟରେ ପଶ୍ଚିମ-ଓଡ଼ିଶା ସେମାନଙ୍କ ଦଖଲକୁ ଆସିଥିଲା । ଦଖଲ ଅନୁସାରେ ଦକ୍ଷିଣ-ଓଡ଼ିଶାକୁ ମାଡ଼୍ରାସ୍‍ ପ୍ରେସିଡେନ୍‍ସିରେ ଏବଂ ଉତ୍ତର-ଓଡ଼ିଶାକୁ ବଙ୍ଗ ପ୍ରେସିଡେନ୍‍ସି ସହିତ ସଂଲଗ୍ନ କରାଗଲା । ପଶ୍ଚିମ ଓଡ଼ିଶା ରହିଲା କେନ୍ଦ୍ର ପ୍ରଦେଶରେ । ୧୯୦୫ରେ ପଶ୍ଚିମ ଓଡ଼ିଶା ବଙ୍ଗ ସହିତ ସଂଯୋଜିତ ହେଲା । ଓଡ଼ିଶା ୧୯୩୬ରେ ସ୍ୱତନ୍ତ୍ର ପ୍ରଦେଶ ଘୋଷିତ ହେବା ପର୍ଯ୍ୟନ୍ତ ଏହି ପ୍ରାଶାସନିକ ବିଭକ୍ତୀକରଣ ପ୍ରାୟ ଅବ୍ୟାହତ ରହିଲା । ଓଡ଼ିଶାର ଏକତ୍ରୀକରଣ ପ୍ରକ୍ରିୟାରେ ଆଧୁନିକ ଓଡ଼ିଶାର ରାଜନୈତିକ ଆନ୍ଦୋଳନ ଉତ୍‍ଥାନ ଲାଭ କଲା । ଓଡ଼ିଶାରେ ଜାତୀୟତା ଆନ୍ଦୋଳନର ମୂଳ, ଇଂରେଜମାନଙ୍କଦ୍ୱାରା ବିଭିନ୍ନ ପର୍ଯ୍ୟାୟରେ ପ୍ରଦେଶର ଦଖଲ ପ୍ରଶ୍ନ ସହ ସଂଯୋଜିତ ।

ଦକ୍ଷିଣ ଓଡ଼ିଶା ଦଖଲ ଅଷ୍ଟାଦଶ ଶତାବ୍ଦୀରେ ମୋଗଲ ସାମ୍ରାଜ୍ୟର ପତନ ପରେ ମଧ୍ୟ ଓଡ଼ିଶାରେ ଆଞ୍ଚଳିକ ଶକ୍ତିର ବିକାଶ ଘଟି ନଥିଲା । ଫଳରେ ବଙ୍ଗର ନବାବ ଓ ହାଇଦ୍ରାବାଦର ନିଜାମଙ୍କ ହାତକୁ ଏହା ଚାଲିଗଲା । ସେମାନେ ପରସ୍ପର ମଧ୍ୟରେ ଓଡ଼ିଶାକୁ ବାଣ୍ଟିନେଲେ ବୋଲି କହିଲେ ଭୁଲ ହେବ ନାହିଁ । ସେହି ପ୍ରକ୍ରିୟାରେ ଦକ୍ଷିଣ-ଓଡ଼ିଶା ନିଜାମଙ୍କ ହାତକୁ ଗଲା; ଉତ୍ତର-ଓଡ଼ିଶା ଗଲା ବଂଗ ନବାବଙ୍କ ହାତକୁ । ଗଡ଼ଜାତରେ ପୂର୍ଣ୍ଣ ପଶ୍ଚିମ ଓଡ଼ିଶା ନିଜର ସ୍ୱତନ୍ତ୍ର ଭୌଗୋଳିକ ଅବସ୍ଥିତିଯୋଗୁଁ ଏକ ରକମର ଭିନ୍ନ ହୋଇ ରହିଲା ।୧୪୮ . ଓଡ଼ିଶା ଇତିହାସ