ଅଷ୍ଟାଦଶ ଶତାବ୍ଦୀର ମଧ୍ୟ ଭାଗ ବେଳକୁ ଦକ୍ଷିଣ ଭାରତରେ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ପ୍ରତିପତ୍ତି ବିସ୍ତାରଲାଗି ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲା । ଏହି ଦୁଇ ୟୁରୋପୀୟ ବାଣିଜ୍ୟିକ ଶକ୍ତି ଆର୍କଟ, କର୍ଣ୍ଣାଟକ ଓ ହାଇଦ୍ରାବାଦ ଦେଶୀୟ ରାଜ୍ୟର ଆଭ୍ୟନ୍ତରୀଣ କନ୍ଦଳରେ ହସ୍ତକ୍ଷେପ କରି ନିଜ ନିଜ ସ୍ତରରେ ରାଜନୈତିକ ଶକ୍ତି ହେବାକୁ ଉଦ୍ୟମ କରୁଥିଲେ ।
ନିଜାମଙ୍କ ରାଜ୍ୟରେ ସେତେବେଳେ ଦକ୍ଷିଣ- ଓଡ଼ିଶାକୁ ଲୋକେ 'ଉତ୍ତର ସରକାର' ନାମରେ ଜାଣୁଥିଲେ । କାରଣ ଏହା ରାଜ୍ୟର ଉତ୍ତରରେ ଅବସ୍ଥିତ ଥିଲା । ୧୭୫୭ ବେଳକୁ ଏଠାରେ ଫରାସୀମାନଙ୍କ ଆଧିପତ୍ୟ ରହିଥିଲା । ନିଜାମ ଫରାସୀମାନଙ୍କ ସମର୍ଥନରେ ମରାଠାମାନଙ୍କଠାରୁ ସୁରକ୍ଷା ପାଇଥିଲେ । ସେହି ସୂତ୍ରରେ, ବିଜୟନଗରମ୍ ଓ ଉତ୍ତର ସରକାରକୁ ନିଜାମଙ୍କଠାରୁ ଫରାସୀମାନେ ଲାଭ କରିଥିଲେ । ମାତ୍ର ୧୭୫୯ରେ ନିଜାମ୍ ସଲାବତ୍ ଜଙ୍ଗଙ୍କୁ ତାଙ୍କ ଭାଇ ନିଜାମ୍ ଅଲି ହତ୍ୟା କରି ନିଜେ ନିଜାମ୍ ହେଲେ । ତାଙ୍କୁ ଇଂରେଜମାନେ ସାହାଯ୍ୟ କରୁଥିଲେ । ତେଣୁ ପ୍ରତିଦାନରେ ୧୭୬୫ ଅଗଷ୍ଟ ମାସରେ ଇଂରେଜମାନଙ୍କ ହାତରେ ସେ ଉତ୍ତର ସରକାରକୁ ସମର୍ପଣ କଲେ । ନାମ ମାତ୍ର ମୋଗଲ ସମ୍ରାଟ ଶାହ ଆଲାମ ଏକ ଫର୍ମାନ୍ ବା ରାଜାଦେଶ ଜାରି କରି ଉତ୍ତର ସରକାରକୁ ଇଷ୍ଟ ଇଣ୍ଡିଆ କମ୍ପାନି ହାତରେ ଟେକିଦେଲେ । ଫଳରେ ଗଞ୍ଜାମ ଓ କୋରାପୁଟ ଅଞ୍ଚଳ ଇଂରେଜ କର୍ତ୍ତୃତ୍ୱକୁ ଆସିଲା । ୧୭୬୮ ଡିସେମ୍ବର ୨ ତାରିଖରେ କମ୍ପାନୀ ଆଦେଶ ବଳରେ କଟ୍ସଫୋର୍ଡ଼ ନାମକ ଜଣେ ଇଞ୍ଜିନିୟର ଗଞ୍ଜାମର ପ୍ରଥମ ରେସିଡେଣ୍ଟ ହେଲେ ବୋଲି ବିଜ୍ଞପ୍ତି ବାହାରିଲା । ସେହିଦିନଠାରୁ ଗଞ୍ଜାମ ମାଡ଼୍ରାସ୍ ପ୍ରେସିଡେନ୍ସିର ଅଙ୍ଗ ହେଲା । ଏହା ପୂର୍ବରୁ ୧୭୬୬ ନଭେମ୍ବରରେ ନିଜାମ ଅଲି ଓ କମ୍ପାନୀ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ସେହି ଅନୁଯାୟୀ, ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀର ସାର୍ବଭୌମତ୍ୱ ସ୍ୱୀକାର କରିନେବାକୁ ଜମିଦାରମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଥିଲା । ଏହି ପ୍ରକ୍ରିୟାରେ ଦକ୍ଷିଣ-ଓଡ଼ିଶାର ଗଞ୍ଜାମ, ପାରଳାଖେମୁଣ୍ଡି, ଇଚ୍ଛାପୁର, ଜୟପୁର, କୋରାପୁଟ ଆଦି ମାଡ଼୍ରାସ୍ ପ୍ରେସିଡେନ୍ସିରେ ସାମିଲ୍ ହେଲେ । ସେଗୁଡ଼ିକ ଦଖଲ କରିବାଲାଗି ଇଂରେଜମାନଙ୍କୁ କୌଣସି ଯୁଦ୍ଧ କରିବାକୁ ପଡ଼ିଲା ନାହିଁ । ସମ୍ଭବତଃ, ଏହି କ୍ଷୁଦ୍ର ରାଜ୍ୟଗୁଡ଼ିକର ରାଜାମାନେ ଭାବିଥିଲେ ଯେ, ନାମମାତ୍ର ମୋଗଲ ବଦଳରେ ଏବେ କମ୍ପାନୀ ନାମମାତ୍ର ସାର୍ବଭୌମ ଅଧିକାର ଲାଭ କରିବେ । ସ୍ଥାନୀୟ ରାଜା ହିଁ ରାଜ୍ୟର ପ୍ରକୃତ ଶାସକ ହେବେ । ତେଣୁ ସେମାନେ ବିରୋଧ କଲେ ନାହିଁ । ମାତ୍ର ଇଂରେଜମାନଙ୍କ ଆସିବା ପରେ ସେମାନେ ନିଜ ଭୁଲ ବୁଝି ପାରିଲେ । ପରିଣାମ ସ୍ୱରୂପ ୧୭୬୮ ମେ' ମାସରେ ପାରଳାର ରାଜା ନାରାୟଣ ଦେବ ଇଂରେଜମାନଙ୍କୁ ବିରୋଧ କଲେ । ତାଙ୍କୁ ଯୁଦ୍ଧରେ ପରାସ୍ତ କରିବାକୁ କର୍ଣ୍ଣେଲ୍ ପିଚ୍ ଦାୟିତ୍ୱ ନେଲେ । ପାରଳା ରାଜା ପରାସ୍ତ ହେବା ପରେ ଗଞ୍ଜାମରେ ଇଂରେଜ ଶାସନ ସୁଦୃଢ଼ ହେଲା । ରେସିଡେଣ୍ଟ ଭାବରେ କଟ୍ସଫୋର୍ଡ଼ ୧୭୬୮ ଜୁଲାଇରୁ ଗଞ୍ଜାମରେ ଅବସ୍ଥାପିତ ହେଲେ, ଯଦିଓ ଏ ନେଇ ବିଜ୍ଞପ୍ତି ସେହି ବର୍ଷ ଡିସେମ୍ବରରେ ପ୍ରକାଶିତ ହେଲା ।{{right|ଓଡ଼ିଶା ଇତିହାସ . ୧୪୯