ପୃଷ୍ଠା:Odisha Itihasa.pdf/୧୬୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସୃଷ୍ଟି କରାଗଲା । ଓଡ଼ିଶା ଡିଭିଜନର କମିସନର ଭାବରେ ସେ କଟକରେ ଅବସ୍ଥାପିତ ହେଲେ । ତାଙ୍କ ହାତରେ ରାଜସ୍ୱ ବୋର୍ଡ଼, ବାଣିଜ୍ୟ ବୋର୍ଡ଼, ପ୍ରାଦେଶିକ ଅପିଲ୍‍ ଓ ଭ୍ରମଣଶୀଳ ବିଚାରାଳୟର କ୍ଷମତା ରହିଲା । ଗୋଟାଏ ଦୃଷ୍ଟିରୁ ଦେଖିଲେ, ତାଙ୍କୁ ମୋଗଲ ଓ ମରାଠାକାଳୀନ ସର୍ବାଧିକାରପ୍ରାପ୍ତ ସୁବାଦାରଙ୍କ ସହ ତୁଳନା କରିହେବ । ୧୮୨୮ରେ ଓଡ଼ିଶାକୁ ତିନୋଟି ଜିଲ୍ଲା (କଟକ, ପୁରୀ ଓ ବାଲେଶ୍ୱର)ରେ ବିଭକ୍ତ କରାଗଲା ଏବଂ ପ୍ରତ୍ୟେକ ଜିଲ୍ଲାପାଇଁ ଜଣେ କଲେକ୍ଟର ଓ ଜଣେ ମାଜିଷ୍ଟ୍ରେଟ୍‍ ନିଯୁକ୍ତ ହେଲେ । ୧୮୨୯ରେ ମେଦିନୀପୁର, ନୂଆଗାଁ ଓ ହିଞ୍ଜିଳି ଅଞ୍ଚଳକୁ ଓଡ଼ିଶାରେ ଯୋଡ଼ି ଦିଆଗଲା ଏବଂ ଓଡ଼ିଶା ଡିଭିଜନକୁ ବଙ୍ଗପ୍ରେସିଡେନ୍‍ସିର ଊନବିଂଶତ୍ତମ କମିସନରଶାସିତ ଡିଭିଜନ ଘୋଷଣା କରାଗଲା ।

ରାଜସ୍ୱ ନୀତି ଇଂରେଜମାନେ ଓଡ଼ିଶା ଅଧିକାର କଲା ପରେ ଭୂ-ରାଜସ୍ୱ ଆଦାୟ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ । କାରଣ, ଓଡ଼ିଶା ପରି ଏକ କୃଷିଭିତ୍ତିକ ଅର୍ଥନୀତିରେ ଏହା ଆୟର ମୁଖ୍ୟ ଉତ୍ସ ଥିଲା । ମୋଗଲ ଶାସନ କାଳରେ ରାଜସ୍ୱ ଓ ପ୍ରାଶାସନିକ ସୁବିଧାପାଇଁ ରାଜ୍ୟକୁ ମୋଗଲବନ୍ଦି ଓ ଗଡ଼ଜାତ ଭଳି ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । ମରାଠାମାନଙ୍କ ପରି ଇଂରେଜମାନେ ମଧ୍ୟ ଏହି ବ୍ୟବସ୍ଥାକୁ ବଳବତ୍ତର ରଖିଲେ । ମୋଗଲବନ୍ଦି କ୍ଷେତ୍ର ପ୍ରତ୍ୟକ୍ଷ ଶାସନାଧୀନ ହେଲା; ଗଡ଼ଜାତ ରାଜାମାନଙ୍କ ଦାୟିତ୍ୱରେ ରହିଲା । ଗଡ଼ଜାତ ରାଜା ପ୍ରଜାଙ୍କଠାରୁ ଖଜଣା ଅସୁଲ କରି ନିର୍ଦ୍ଧାରିତ ବାର୍ଷିକ ଦେୟ ଇଂରେଜ ରାଜକୋଷରେ ଜମା କରୁଥିଲେ । ମୋଗଲବନ୍ଦିରେ ନିୟମିତ ବ୍ୟବଧାନରେ ଜମିଜମା ବନ୍ଦୋବସ୍ତ କରାଯାଉଥିଲା ଏବଂ ପ୍ରଜାଙ୍କ ଉପରେ ମାଲଗୁଜାରୀ ନିର୍ଦ୍ଧାରିତ ହେଉଥିଲା । ପ୍ରତି ବନ୍ଦୋବସ୍ତ ପରେ ପ୍ରଜାଙ୍କ ଉପରେ ମାଲଗୁଜାରୀ ବୃଦ୍ଧିପାଇବାରେ ଲାଗିଲା । ପୂର୍ବର ସମସ୍ତ ଶାସନ ତୁଳନାରେ ଇଂରେଜ ଶାସନ କାଳରେ ରାଜସ୍ୱ ଆଦାୟଲାଗି ଅଧିକ କଠୋର ନୀତି ଆଚରଣ କରାଯାଉଥିଲା । ଏହି କଠୋରତା ଇଂରେଜ ଶାସନକୁ ଦୁର୍ବିସହ କରିଦେଲା । ଇଂରେଜମାନେ ଆଦାୟ କରୁଥିବା ରାଜସ୍ୱକୁ ସାମ୍ରାଜ୍ୟ ବିସ୍ତାର ନିମନ୍ତେ ଆବଶ୍ୟକ ଯୁଦ୍ଧଖର୍ଚ୍ଚରେ ବିନିଯୋଗ କରିବାକୁ ପ୍ରୟାସ କରୁଥିଲେ । ଭାରତରୁ ହସ୍ତଶିଳ୍ପଜାତ ସାମଗ୍ରୀର ରପ୍ତାନିଲାଗି ଆବଶ୍ୟକ ପୁଞ୍ଜି ମଧ୍ୟ କମ୍ପାନି ସରକାର ମୁଖ୍ୟତଃ ମାଲଗୁଜାରୀରୁ ଭରଣା କରିବାକୁ ଚେଷ୍ଟା କରୁଥିଲେ ।

ଓଡ଼ିଶା ଦଖଲ ସମୟରେ ବଙ୍ଗରେ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଚଳିତ ଥିଲା । ତଦନୁଯାୟୀ ସ୍ଥିରୀକୃତ ରାଜସ୍ୱକୁ ଜମିଦାର ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ରାଜକୋଷରେ ଜମା କରି ପାରିଲେ ଜମିଦାରୀ ଉପରେ ତାଙ୍କର ମାଲିକାନା କାୟମ ରହିବାର ବ୍ୟବସ୍ଥା ଥିଲା । ମାତ୍ର ଓଡ଼ିଶାରେ ଜମିଦାରୀ ବା ଚିରସ୍ଥାୟୀ ବ୍ୟବସ୍ଥାକୁ ପୂର୍ଣ୍ଣତଃ ଲାଗୁ କରାଗଲା ନାହିଁ । ୧୮୦୫ରେ ତହିଁରେ ଆଂଶିକ ପରିବର୍ତ୍ତନ କରି ଅନୁଦେଶ ଜାରି ହେଲା ଯେ, ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପମିଆଦୀ ଭୂ-ବନ୍ଦୋବସ୍ତ ଲାଗୁ ହେବ । ତଦନୁସାରେ ୧୮୦୫ରେ ଏକ ବର୍ଷିଆ, ୧୮୦୬ରୁ ୧୮୦୯୧୬୦ . ଓଡ଼ିଶା ଇତିହାସ