ପୃଷ୍ଠା:Odisha Itihasa.pdf/୧୬୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହେଲା ଯେ, ସରକାର ଜଗନ୍ନାଥ ମନ୍ଦିରର କର୍ତ୍ତୃତ୍ୱ ହାତକୁ ନେଇ ମୂର୍ତ୍ତିି ପୂଜାକୁ ମାନ୍ୟତା ଦେଉଛନ୍ତି। ଏହା ସତ୍ତ୍ୱେ ମନ୍ଦିରର ପରିଚାଳନା ଓ ନିୟନ୍ତ୍ରଣକୁ ସରକାର ହାତଛଡ଼ା କରି ନଥିଲେ। ଏହା ପଛରେ ପ୍ରମୁଖ କାରଣ ଥିଲା ମନ୍ଦିରରୁ ଆଦାୟ ହେଉଥିବା ରାଜସ୍ୱ।

୧୮୦୩ରେ ଓଡ଼ିଶା ଦଖଲ ବେଳେ ଇଂରେଜମାନେ ଜଗନ୍ନାଥ ମନ୍ଦିରର ପରଂପରା ଓ ନୀତିନିୟମକୁ ସୁରକ୍ଷିତ ରଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପଣ୍ତାମାନଙ୍କ ମାଧ୍ୟମରେ କୁହାଯାଇଥିଲା ଯେ, ଇଂରେଜ ରାଜତ୍ୱରେ ଜଗନ୍ନାଥ ସୁରକ୍ଷିତ ରହିବେ। ଜଗନ୍ନାଥଙ୍କ ସଂରକ୍ଷକ ଭୂମିକା ଗ୍ରହଣ କରିବା ପରେ ଇଂରେଜମାନଙ୍କୁ ସ୍ଥାନୀୟ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ି ନଥିଲା। ଏହି ପ୍ରତିଶ୍ରୁତିକୁ ସରକାର ଦୁଇ ବର୍ଷପାଇଁ ପାଳନ ମଧ୍ୟ କଲେ। ଅସଲରେ ଓଡ଼ିଶା ଦଖଲ କଲା ପରେ ମନ୍ଦିର ପରିଚାଳନା ସମ୍ବନ୍ଧରେ ନିଷ୍ପତ୍ତି ନେବା ପୂର୍ବରୁ ସେମାନେ କିଛି ସମୟ ଚାହୁଁଥିଲେ।

୧୮୦୬ରେ ଇଂରେଜ ସରକାର ମରାଠାମାନଙ୍କ ପରି ତୀର୍ଥଯାତ୍ରୀ କର ଲାଗୁ କଲେ। କାରଣ ମନ୍ଦିର ପରିଚାଳନାପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ଭରଣା ହେବା କଥା! କର ଆଦାୟପାଇଁ ଜଣେ କଲେକ୍ଟର ନିଯୁକ୍ତ ହେଲେ। ଜେମ୍‍ସ ହଣ୍ଟର ଥିଲେ ପୁରୀ ଜଗନ୍ନାଥ ମନ୍ଦିରର ପ୍ରଥମ କଲେକ୍ଟର। ହଣ୍ଟର ମନ୍ଦିରର ବିଧି ପରିଚାଳନା ଭାର ବ୍ରାହ୍ମଣ ପଣ୍ତିତମାନଙ୍କର ଏକ ସମିତି ଉପରେ ନ୍ୟସ୍ତ କଲେ। କଲେକ୍ଟରଙ୍କ ସୁପାରିଶ ଅନୁସାରେ ସରକାର ବ୍ରାହ୍ମଣମାନଙ୍କୁ ସମିତିର ସଦସ୍ୟ ନିଯୁକ୍ତ କରୁଥିଲେ। ପରେ ମନ୍ଦିରରେ ସଂପୃକ୍ତ ବ୍ୟକ୍ତିମାନଙ୍କଦ୍ୱାରା ଏହି ସଦସ୍ୟମାନେ ନିର୍ବାଚିତ ହେବେ ବୋଲି ବ୍ୟବସ୍ଥା ହେଲା।

୧୮୦୭ରେ ଜର୍ଜ ଓ୍ୱେବ୍‍ସ ମନ୍ଦିରର କଲେକ୍ଟର ନିଯୁକ୍ତ ହେଲେ। ମନ୍ଦିର ପରିଚାଳନା ସମ୍ବନ୍ଧରେ ସଂପୂର୍ଣ୍ଣ ଅନୁସନ୍ଧାନ କରି ସେ ସରକାରଙ୍କୁ ଏକ ରିପୋର୍ଟ ଦେଇଥିଲେ। ଏଥିରେ ସେ ମନ୍ଦିରର ବ୍ୟବସ୍ଥାନିମନ୍ତେ ଦୁଇଟି ପ୍ରସ୍ତାବ ଦେଇଥିଲେ। ପ୍ରଥମ- ଜଗନ୍ନାଥ ମନ୍ଦିରକୁ ମିଳିଥିବା ଜମିର ଖଜଣା ସରକାର ଅସୁଲ କରି ସେ ଅର୍ଥରେ ମନ୍ଦିର ଖର୍ଚ୍ଚ ପୂରଣ କରନ୍ତୁ। ଦ୍ୱିତୀୟ- ମନ୍ଦିରର ଅନାବଶ୍ୟକ ଖର୍ଚ୍ଚକୁ କାଟ କରାଯାଉ। ସରକାର ଦୁଇଟିଯାକ ପ୍ରସ୍ତାବକୁ ମାନିନେଲେ। ୧୮୦୯ରେ ମନ୍ଦିର ପରିଚାଳନା ଭାର ଖୋର୍ଦ୍ଧା ରାଜାଙ୍କୁ ବଂଶାନୁକ୍ରମିକ ଭାବେ ଦିଆଗଲା। କାରଣ, ବିଦେଶୀ ଭାବରେ ସରକାର ମନ୍ଦିରର ଦୈନନ୍ଦିନ ପରିଚାଳନାରେ ଅସୁବିଧା ଅନୁଭବ କରୁଥିଲେ। ଦ୍ୱିତୀୟତଃ, ଔପନିବେଶିକ ସ୍ୱାର୍ଥ ଦୃଷ୍ଟିରୁ ମନ୍ଦିର ପରିଚାଳନାର କୌଣସି ବିଶେଷ ତାତ୍ପର୍ଯ୍ୟ ସରକାର ଦେଖି ପାରୁ ନଥିଲେ। ତୃତୀୟତଃ, ମନ୍ଦିର ପରିଚାଳନାରେ ସରକାର ହସ୍ତକ୍ଷେପ କରିବାଦ୍ୱାରା ଖ୍ରୀଷ୍ଟିଆନ୍‍ ଧାର୍ମିକ ଗୋଷ୍ଠୀର କଟୁ ସମାଲୋଚନା ସହ୍ୟ କରିବାକୁ ପଡ଼ୁଥିଲା। ଅଧିକ ସମାଲୋଚନାର ଶରବ୍ୟ ନ ହେବାପାଇଁ ସରକାର ତୀର୍ଥଯାତ୍ରୀମାନଙ୍କଠାରୁ ଅସୁଲ ହେଉଥିବା କରକୁ ମନ୍ଦିର ସଂପର୍କୀୟ ବ୍ୟାପାରରେ ଖର୍ଚ୍ଚ କରୁଥିଲେ। ଉଦାହରଣ ସ୍ୱରୂପ, ୧୮୨୫ରେ ମନ୍ଦିରର ରାଜସ୍ୱ ଓ ତୀର୍ଥଯାତ୍ରୀ କରକୁ ଉପଯୋଗ କରି ଜଗନ୍ନାଥ ସଡ଼କର ପୁନଃନିର୍ମାଣ କାର୍ଯ୍ୟ କରାଯାଇଥିଲା।୧୬୬ . ଓଡ଼ିଶା ଇତିହାସ