ପୃଷ୍ଠା:Odisha Itihasa.pdf/୧୯୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଛିନ୍ନ କରିଦେଲେ । କେତୋଟି ଡାକଘରେ ନିଆଁ ମଧ୍ୟ ଲଗାଇଦେଲେ । ସମ୍ବଲପୁର ସହର ପରିବର୍ତ୍ତେ ସେମାନେ ବଣ ଜଙ୍ଗଲରେ ଗରିଲା ପଦ୍ଧତିରେ ସରକାରୀ କଳ ଓ ଦଳ ଉପରେ ଆକ୍ରମଣ କରୁଥିଲେ । କଟକରୁ ସମ୍ବଲପୁର ଆସୁଥିବା ଦୁଇଜଣ ଇଂରେଜ ଡାକ୍ତରଙ୍କୁ ସେମାନେ ଯୁଯୁମୁରାଠାରେ ଆକ୍ରମଣ କଲେ । ଫଳରେ ମୁର ନାମକ ଜଣେ ଡାକ୍ତର ନିହତ ହେଲେ ଏବଂ ହାନସନ ନାମକ ଦ୍ୱିତୀୟ ଡାକ୍ତର ଜଣକ ପ୍ରାଣ ବିକଳରେ ଜଙ୍ଗଲକୁ ପଳାଇଲେ । କେପଟେନ୍‍ ଲେହ ଦୁଇ ଦିନ ପରେ ତାଙ୍କୁ ଜଙ୍ଗଲରୁ ଉଦ୍ଧାର କଲେ । ସୁରେନ୍ଦ୍ର ଓ ତାଙ୍କ ସହଯୋଗୀମାନେ ମୁଖ୍ୟତଃ ସରକାର ସମର୍ଥକ ଗାଁଗଣ୍ତା ଓ ତା'ର ଗୌନ୍ତିଆ ଜମିଦାରମାନଙ୍କୁ ଆକ୍ରମଣ କରୁଥିଲେ । ସେମାନଙ୍କ ପାଖରେ ଉନ୍ନତ ଅସ୍ତ୍ରଶସ୍ତ୍ର ନ ଥିଲା । ପାରମ୍ପରିକ ଅସ୍ତ୍ରଶସ୍ତ୍ର ନେଇ ସେମାନେ ଗରିଲା ଯୁଦ୍ଧରେ ଶତ୍ରୁକୁ ଜଡ଼ିତ ରଖିବାକୁ ପ୍ରୟାସ କରୁଥିଲେ । ସେମାନଙ୍କ ଆକ୍ରମଣରେ ୧୮୫୮ ଫେବ୍ରୁଆରି ୧୨ ତାରିଖରେ ପାହାଡ଼ ଶ୍ରୀଗିଡ଼ାରେ କେପ୍‍ଟେନ୍‍ ଉଡ଼୍‍ବ୍ରିଜ୍‍ ପ୍ରାଣ ହରାଇଲେ । ଅନ୍ୟ ଜଣେ ଇଂରେଜ ସେନାପତି ମେଜର ବେଟ୍‍ସ ଯୁଦ୍ଧଜନିତ ପରିଶ୍ରମଯୋଗୁଁ ପ୍ରାଣ ହରାଇଲେ । ଗରିଲା ଯୁଦ୍ଧରେ ଅନ୍ୟ କେତେକ ସିପାହୀ ମଧ୍ୟ ଆହତ ହୋଇଥିଲେ । ୧୮୫୭ ମସିହା ନଭେମ୍ବର ମାସରୁ ୧୮୫୮ ମାର୍ଚ୍ଚ ଶେଷ ଯାଏଁ ବିଦ୍ରୋହ ସମଗ୍ର ସମ୍ବଲପୁର ଅଞ୍ଚଳରେ ତୀବ୍ର ରୂପ ଧାରଣ କଲା, ଯଦିଓ ସମ୍ବଲପୁର ସହରରେ ବିଦ୍ରୋହୀମାନଙ୍କର ବିଶେଷ କର୍ତ୍ତୃତ୍ୱ ନଥିଲା ।

୧୮୫୮ ମାର୍ଚ୍ଚ ୨୯ ତାରିଖରେ କେପ୍‍ଟେନ୍‍ ଲେହଙ୍କ ସ୍ଥାନରେ ସମ୍ବଲପୁର ପ୍ରଶାସନ ଦାୟିତ୍ୱ ନେବାପାଇଁ କର୍ଣ୍ଣେଲ୍‍ ଫୋର୍‍ଷ୍ଟର୍‍ (Colonel Forster) ପହଞ୍ଚିଲେ । ତାଙ୍କୁ କମିସନରଙ୍କ କ୍ଷମତା ମିଳିଥିଲା । ତାଙ୍କ ପାଖରେ ଅଧିକ ସୈନ୍ୟବଳ ମଧ୍ୟ ଥିଲା । ୧୮୫୮ ଏପ୍ରିଲ୍‍ରୁ ୧୮୬୧ ଏପ୍ରିଲ୍‍ ମାସ ମଧ୍ୟରେ ସେ ଏକ ରକମ ଆତଙ୍କରାଜ ଆରମ୍ଭ କଲେ । ପାଟଣାର ରାଜାଙ୍କ ଉପରେ ଉଜ୍ଜ୍ୱଳ ସାଏଙ୍କୁ ଆଶ୍ରୟ ଦେବାର ସନ୍ଦେହରେ ୧୦୦୦ଟଙ୍କା ଜୋରିମାନା କରାଗଲା । ପରେ ଉଜ୍ଜ୍ୱଳ ସାଏଙ୍କୁ ଗିରଫ କରି ବିନା ବିଚାରରେ ଫାଶୀଦଣ୍ତ ଦିଆଗଲା । ପୂର୍ବରୁ ୧୮୫୭ ଡିସେମ୍ବରରେ ଛବିଳ ସାଏ ପପଙ୍ଗା ପାହାଡ଼ରେ ଯୁଦ୍ଧରେ ପ୍ରାଣ ହରାଇଥିଲେ ।

୧୮୬୧ ଏପ୍ରିଲ୍‍ ମାସରେ ଫୋରଷ୍ଟରଙ୍କ ସ୍ଥାନରେ ମେଜର ଇମ୍ପେ ସମ୍ବଲପୁରର ଡେପୁଟି କମିସନର ନିଯୁକ୍ତ ହୋଇ ଆସିଲେ । ସେତେବେଳକୁ ବିଦ୍ରୋହ ପ୍ରାୟ ଅବଦମିତ ହୋଇ ସାରିଥିଲା, ଯଦିଓ ସୁରେନ୍ଦ୍ର ସାଏ ଧରାପଡ଼ି ନଥିଲେ । ମେଜର ଇମ୍ପେ କୋହଳ ନୀତି ଅନୁସରଣ କରି ବିଦ୍ରୋହୀମାନେ ଆତ୍ମସମର୍ପଣ କଲେ କ୍ଷମା ଦିଆଯିବ ବୋଲି ଘୋଷଣା କଲେ । ୧୮୬୨ ଜାନୁଆରିରେ ସୁରେନ୍ଦ୍ରଙ୍କ ଏକମାତ୍ର ପୁତ୍ର ମିତ୍ରଭାନୁ ସାଏ, ଭାଇ ଧ୍ରୁବ ଓ ଉଦନ୍ତ ସାଏ ଆତ୍ମସମର୍ପଣ କଲେ । ସେହି ବର୍ଷ ମେ ମାସରେ ରାଜଗାଦି ମିଳିଲେ ସୁରେନ୍ଦ୍ର ସାଏ ଆତ୍ମସମର୍ପଣ କରିବେ ବୋଲି ଖବର ଦେଲେ । ତାଙ୍କର ଦାବିକୁ ପ୍ରତ୍ୟାଖ୍ୟାନ କରାଗଲା, କାରଣ ସେତେବେଳକୁ ସମଗ୍ର ଭାରତବର୍ଷକୁ ଇଂରେଜମାନେ ପ୍ରତ୍ୟକ୍ଷ ଶାସନାଧୀନ କରିବାକୁ ମସୁଧା କରି ସାରିଥିଲେ । ଯେଉଁଠି ରାଜାରାଜୁଡାମାନଙ୍କୁ ଶାସନ କରିବାପାଇଁ ଅଧିକାର ଦିଆଗଲା, ସେଠାରେ ମଧ୍ୟ ଇଂରେଜ ପ୍ରଭୁତ୍ୱ{{right|ଓଡ଼ିଶା ଇତିହାସ . ୧୯୩