ପୃଷ୍ଠା:Odisha Itihasa.pdf/୧୯୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମାସରେ ସେ ନିଜ ଭାଇଙ୍କ ପାଖକୁ ଲେଖିଥିବା ଏକ ପତ୍ର ଜବତ ହୋଇଥିଲା । ତହିଁରୁ ଚାଖି ଖୁଣ୍ଟିଆ ବିଦ୍ରୋହରେ ଲିପ୍ତ ଥିବାର କୌଣସି ପ୍ରମାଣ ମିଳି ନଥିଲା । ତଥାପି ସେ ପୁରୀରେ ପହଞ୍ଚିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ବିଦ୍ରୋହ ଦମନ ପରେ ତାଙ୍କୁ ନିଃସର୍ତ୍ତ କ୍ଷମା ଦିଆଯାଇଥିଲା ଏବଂ ବାଜ୍ୟାପ୍ତ ସମ୍ପତ୍ତି ମଧ୍ୟ ଫେରସ୍ତ ଦିଆଯାଇଥିଲା । ୧୮୫୭ ଗଣସଂଗ୍ରାମରେ ଓଡ଼ିଶାର ଏହିସବୁ ସଂଭାବ୍ୟ ସଂପୃକ୍ତି କଥା ବିଚାରକୁ ନେଲେ ଜଣାଯାଏ ଯେ, ସେତେବେଳେ କମ୍ପାନୀ ସରକାର ଅତି ସତର୍କତାମୂଳକ ପଦକ୍ଷେପମାନ ନେଇଥିଲେ ଏବଂ ସାମାନ୍ୟ ସନ୍ଦେହରେ ମଧ୍ୟ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ପଛାଇ ନଥିଲେ । ଉଭୟ କୁଜଙ୍ଗ ଓ ବାଲିଆରେ ଏବଂ ପୁରୀର ଚାଖି ଖୁଣ୍ଟିଆଙ୍କ କ୍ଷେତ୍ରରେ ହୋଇଥିବା ଦଣ୍ତାଦେଶର ବିଶେଷ ଆଧାର ନଥିଲା ବୋଲି ସରକାର ହୁଏତ ବୁଝି ପାରିଥିଲେ । ଏହା ଫଳରେ ବିଦ୍ରୋହ ଦମନ ପରେ ସେମାନଙ୍କୁ ମୁକ୍ତି ଦେଇଥିଲେ । ଅନ୍ୟ ପକ୍ଷରେ, ଏକଥା ମଧ୍ୟ ସତ୍ୟ ଯେ, ଦଣ୍ତ ପାଇବା ଭୟରେ ସେତେବେଳେ ବିଦ୍ରୋହରେ ଲିପ୍ତହେବା ବ୍ୟକ୍ତି ମଧ୍ୟ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ପ୍ରୟାସ କରୁଥିଲେ । ହୁଏତ ସେମାନଙ୍କ ମଧ୍ୟରୁ ଅନେକେ ପ୍ରକୃତରେ ଲିପ୍ତ ଥିବା ସତ୍ତ୍ୱେ ନିର୍ଦ୍ଦୋଷ ପ୍ରମାଣିତ ମଧ୍ୟ ହୋଇଥିଲେ । ଦେଶ ସ୍ୱାଧୀନତା ଲାଭ କଲା ପରେ ସେତେବେଳର ଇଂରେଜ ବିରୋଧୀ ସଂଗ୍ରାମରେ ଭାଗନେବା ଯେମିତି ଏକ ଗୌରବର ବିଷୟ ଥିଲା, ବିଦ୍ରୋହ ଦମନର ପରବର୍ତ୍ତୀ ସମୟରେ ତାହା ସେମିତି ନଥିଲା । ଦ୍ୱିତୀୟତଃ, ବିଦ୍ରୋହରେ ସଂପୃକ୍ତି କଥା ଜାଣିବାପାଇଁ ମୁଖ୍ୟତଃ ସରକାରୀ ଦସ୍ତାବିଜ୍‍ ଉପରେ ନିର୍ଭର କରାଯାଏ । କାରଣ ସେତେବେଳର ବିଦ୍ରୋହୀ ଛାଡ଼ି ଯାଇଥିବା ନଥିପତ୍ର ଆମର ହସ୍ତଗତ ହୁଏ ନାହିଁ । କିମ୍ବଦନ୍ତୀ ଓ ଜନଶ୍ରୁତି ମଧ୍ୟ ଇତିହାସ ଲେଖିବାପାଇଁ ଏକ ପ୍ରମୁଖ ସାମଗ୍ରୀ । ତାକୁ ଆଧାର କରି ବିଶ୍ଳେଷଣ କଲେ ମନେହୁଏ ଯେ, ଜଣେ ପରମ୍ପରାବାଦୀ ବ୍ରାହ୍ମଣ ଭାବରେ ଚାଖି ଖୁଣ୍ଟିଆଙ୍କର ଇଂରେଜ ଔପନିବେଶିକ ଶାସନ ପ୍ରତି ବିତୃଷ୍ଣା ଭାବ ରହିଥିବ । ନିଜ କାର୍ଯ୍ୟ କ୍ଷେତ୍ରରେ ବିଦ୍ରୋହୀ ସିପାହୀମାନଙ୍କ ସଂସର୍ଗରେ ଆସି ଏବଂ ସେମାନଙ୍କ ସାହସ ଦେଖି ଯୋଗସୂତ୍ରକାରୀ ହୋଇଥିବା ମଧ୍ୟ ଅସ୍ୱାଭାବିକ ନୁହେଁ । ପୁଣି ବିଦ୍ରୋହ ଦମନ ପରେ ସେ ନିର୍ଦ୍ଦୋଷ ପ୍ରମାଣିତ ହେବାରେ ମଧ୍ୟ ବିଶେଷ ଅସ୍ୱାଭାବିକତା ଦେଖିବାକୁ ମିଳେ ନାହିଁ । ଠିକ୍‍ ସେହିଭଳି କୁଜଙ୍ଗ ଓ ବାଲିଆର ବିଦ୍ରୋହରେ ସଂପୃକ୍ତିକୁ ମଧ୍ୟ ପର୍ଯ୍ୟାଲୋଚନା କରାଯାଇପାରେ ।

ଊନବିଂଶ ଶତାବ୍ଦୀ ଦ୍ୱିତୀୟାର୍ଦ୍ଧର ଗଡ଼ଜାତ ବିଦ୍ରୋହ ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଗଡ଼ଜାତ ଓ ଆଦିବାସୀ ଅଞ୍ଚଳରେ ଅନେକ ବିଦ୍ରୋହ ଦେଖିବାକୁ ମିଳେ । ଆଦ୍ୟକାଳୀନ ଜନ ଅସନ୍ତୋଷ ଓ ଦ୍ୱିତୀୟାର୍ଦ୍ଧର ବିଦ୍ରୋହ ମଧ୍ୟରେ ବିଶେଷ ପାର୍ଥକ୍ୟ ହେଲା ଯେ; ପରବର୍ତ୍ତୀ ସମୟରେ ରାଜା, ଜମିଦାରମାନେ ଆଉ ବିଦ୍ରୋହର ନେତୃତ୍ୱ ନେଇନଥିଲେ । ସାଧାରଣ ଲୋକ ହିଁ ଅସନ୍ତୋଷ ଓ ବିଦ୍ରୋହର ପୁରୋଭାଗରେ ରହିଥିଲେ । ଦ୍ୱିତୀୟତଃ, ପ୍ରତ୍ୟକ୍ଷ ଭାବରେ ଏହା ସ୍ଥାନୀୟ ରାଜା-ଜମିଦାରବର୍ଗ ବିରୁଦ୍ଧରେ ଉଦ୍ଦିଷ୍ଟ ଥିଲା ।{{right|ଓଡ଼ିଶା ଇତିହାସ . ୧୯୭