ପୃଷ୍ଠା:Odisha Itihasa.pdf/୨୧୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଊନବିଂଶ ଶତାବ୍ଦୀରେ ସମଗ୍ର ଓଡ଼ିଆ ଭାଷା-ଭାଷୀ ଅଞ୍ଚଳ ଏକ ଶାସନାଧୀନ ନଥିଲା । ଦକ୍ଷିଣାଞ୍ଚଳ ମାଡ଼୍ରାସ୍‍ ପ୍ରେସିଡେନ୍‍ସିରେ ଓ ପଶ୍ଚିମାଞ୍ଚଳ କେନ୍ଦ୍ର ପ୍ରଦେଶ (ସେଣ୍ଟ୍ରାଲ୍‍ ପ୍ରଭିନସ)ରେ ଏବଂ ଓଡ଼ିଶା ଡିଭିଜନ ନାମରେ କଟକ, ପୁରୀ ଓ ବାଲେଶ୍ୱର ଜିଲ୍ଲା ବଂଗ ପ୍ରେସିଡେନ୍‍ସିରେ ଅନ୍ତର୍ଭୁକ୍ତ ହୋଇ ରହିଥିଲା । ଏହା ଫଳରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଲୌକିକ ସ୍ତରରେ ଓଡ଼ିଶା ବୋଲି କୁହାଯାଉଥିଲେ ସୁଦ୍ଧା, ଏହି ନାମକୁ ସରକାରୀ ମାନ୍ୟତା ମିଳି ନଥିଲା । ଶିକ୍ଷିତ ବୁଦ୍ଧିଜୀବୀ ବର୍ଗ ସମଗ୍ର ଓଡ଼ିଆ ଭାଷାଭାଷୀ ଲୋକଙ୍କୁ ଏକତାବଦ୍ଧ କରିବାକୁ ସଂଗଠନମାନ କରୁଥିଲେ, ସଭାସମିତି ଆୟୋଜନ କରୁଥିଲେ ତଥା ପତ୍ରପତ୍ରିକାର ତଦ୍ରୂପ ବିଚାର ଆଲୋଚନା କରୁଥିଲେ । ବୁଦ୍ଧିଜୀବୀ ବର୍ଗର ଏହି ସମସ୍ତ କାର୍ଯ୍ୟାବଳୀକୁ ଓଡ଼ିଶାରେ ଜାତୀୟତାର ଉନ୍ମେଷ ପରିପ୍ରେକ୍ଷୀରେ ଦେଖାଯାଇପାରେ । ୧୯୦୫ ମସିହାରେ ସମ୍ବଲପୁର ନାମରେ ପରିଚିତ ପଶ୍ଚିମାଞ୍ଚଳ କେନ୍ଦ୍ର ପ୍ରଦେଶରୁ ଆସି ଓଡ଼ିଶା ଡିଭିଜନରେ ମିଶିଲା । ୧୯୧୨ରେ ବଂଗ ପ୍ରେସିଡେନ୍‍ସିରୁ ସ୍ୱତନ୍ତ୍ର ବିହାର ଓ ଓଡ଼ିଶା ପ୍ରଦେଶ ଗଠିତ ହେଲା । ୧୯୩୬ ଏପ୍ରିଲ୍‍ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଗଠନ ହେଲା । ଏଥିରେ ମାଡ଼୍ରାସ୍‍ ପ୍ରେସିଡେନ୍‍ସିରୁ ଗଞ୍ଜାମକୁ କାଢ଼ିଆଣି ସଂଲଗ୍ନ କରାଗଲା । ଏବେ ବି ଷଢେଇକଳା, ଖରସୁଆଁ ଆଦି କିଛି ଓଡ଼ିଆ ଭାଷାଭାଷୀ କ୍ଷେତ୍ର ଓଡ଼ିଶାରେ ମିଶ୍ରିତ ହୋଇ ନାହାନ୍ତି । ଏହା ସତ୍ତ୍ୱେ ଓଡ଼ିଆ ଅସ୍ମିତାନିମନ୍ତେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଗ୍ରହଣ କରାଯାଏ ।

ଯେଉଁ କେତୋଟି ସାମାଜିକ ସଂକଟଯୋଗୁଁ ଓଡ଼ିଶାରେ ଜାତୀୟତାର ଉନ୍ମେଷ ଏକ ଆବଶ୍ୟକତା ହୋଇ ପଡ଼ିଲା, ତନ୍ମଧ୍ୟରେ ପ୍ରମୁଖ ହେଲା ୧୮୬୫-୬୬ ମସିହାର ନଅଙ୍କ ଦୁର୍ଭିିକ୍ଷ । ଗଞ୍ଜାମ, ପୁରୀ, କଟକ ଓ ବାଲେଶ୍ୱର ଜିଲ୍ଲା ଏବଂ ତତ୍‍ସଂଲଗ୍ନ ଗଡ଼ଜାତ ମହଲରେ ଦୁର୍ଭିିକ୍ଷର କରାଳ ଛାୟା ଦେଖିବାକୁ ମିଳିଥିଲା । ଉକ୍ତ ଅଞ୍ଚଳରେ ଏହି ସମୟରେ ମୋଟ୍‍ ଦଶ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର ପ୍ରାଣହାନି ଘଟିଥିଲା । ସେତେବେଳେ ଉଦ୍ଦିଷ୍ଟ କ୍ଷେତ୍ରର ମୋଟ ଜନସଂଖ୍ୟା ଥିଲା ପ୍ରାୟ ୩୭ ଲକ୍ଷ । କେବଳ କଟକ ଜିଲ୍ଲାରେ ମୋଟ ପନ୍ଦର ଲକ୍ଷ ଜନସଂଖ୍ୟାରୁ ପ୍ରାୟ ଚାରି ଲକ୍ଷ ଲୋକ ଅନାହାରରେ ମୃତ୍ୟୁବରଣ କଲେ ଏବଂ ୫୩ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟକ ଲୋକ ଉଦ୍‍ବାସ୍ତୁ ହେଲେ, ଯାହାଙ୍କର ପରେ ମଧ୍ୟ କୌଣସି ଖୋଜଖବର ରହିଲା ନାହିଁ । ଫକୀରମୋହନ ସେନାପତି (୧୮୪୩-୧୯୧୮) ଥିଲେ ନଅଙ୍କ ଦୁର୍ଭିିକ୍ଷର ପ୍ରତ୍ୟକ୍ଷଦର୍ଶୀ । ତାଙ୍କ ହିସାବ ଅନୁଯାୟୀ, ଦୁର୍ଭିିକ୍ଷରେ ଅନ୍ୟୂନ ତିରିଶ ଲକ୍ଷ ପ୍ରାଣୀଙ୍କର ଅନାହାରରେ ଅଥବା ଅଖାଦ୍ୟ ଖାଇ ପ୍ରାଣହାନି ଘଟିଥିଲା । ମୃତ୍ୟୁବରଣ କରିଥିବା ଗୋରୁ ଗାଈ ଆଦି ଇତର ପ୍ରାଣୀଙ୍କର ଯଦି ହିସାବ ନିଆଯାଏ, ଏହା ଆଦୌ ଅତିରଞ୍ଜିତ ମନେ ହୁଏ ନାହିଁ ।

ଦୁର୍ଭିିକ୍ଷ ପଛର ପ୍ରମୁଖ କାରଣ ହେଲା ଯେ, ୧୮୬୫ ପୂର୍ବରୁ ଛଅ ବର୍ଷ ଧରି ହାରାହାରି ୨୦,୦୦୦ଟନ୍‍ ଚାଉଳରୁ ଅଧିକ ଓଡ଼ିଶାରୁ ବ୍ୟବସାୟୀମାନେ ରପ୍ତାନି କରି ନେଉଥିଲେ । ୧୮୬୪ରେ ମଧ୍ୟ ଅନ୍ୟୂନ ୩୩,୦୦୦ଟନ୍‍ ଚାଉଳ ରପ୍ତାନି ହୋଇଥିଲା । ଅର୍ଥାତ୍‍ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାସକାଶେ ଓଡ଼ିଶା ବଜାରରେ ଚାଉଳର ଘୋର ଅଭାବ ରହିଥିଲା ।{{right|ଓଡ଼ିଶା ଇତିହାସ . ୨୧୩