ପୃଷ୍ଠା:Odisha Itihasa.pdf/୨୨୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପାରସ୍ପରିକ ସହଯୋଗ ବିନା ଜାତୀୟ ଉନ୍ନତି ଅସମ୍ଭବ ବୋଲି ପତ୍ର-ପତ୍ରିକାମାନେ ବୁଝି ପାରିଥିଲେ । ପତ୍ର-ପତ୍ରିକାର ସାମାଜିକ ଦାୟିତ୍ୱକୁ ବ୍ୟାଖ୍ୟାକରି ୧୯୨୦ ଦଶକର ଆରମ୍ଭରେ ସମ୍ବଲପୁରରୁ ପ୍ରକାଶିତ 'ସାଧନା'ର ସଂପାଦକ ସ୍ୱପ୍ନେଶ୍ୱର ଦାସ କହିଥିଲେ, "ସଂପାଦକ ନିଜର ଖାଇ ଘୋଡ଼ା ପଛରେ ଦୌଡ଼ୁଥାଏ" । ଅର୍ଥାତ୍‍ ନାନା ପ୍ରତିବନ୍ଧକ ସତ୍ତ୍ୱେ ସଂପାଦକ ପତ୍ରିକା ପ୍ରକାଶନ କରେ । ଊନବିଂଶ ଶତାବ୍ଦୀରେ ସଂପାଦକ ଆଗରେ ଏହି ପ୍ରତିବନ୍ଧକର ପରିମାଣ ନିଶ୍ଚିତ ରୂପେ ଖୁବ୍‍ ଅଧିକ ହୋଇଥିବ- ଏହା ଅନୁମାନ କରାଯାଇପାରେ । ଜାତୀୟତାର ଉନ୍ମେଷରେ ସହାୟକ ହୋଇଥିବା ଓଡ଼ିଆ ପତ୍ର-ପତ୍ରିକା ମଧ୍ୟରେ ସେତେବେଳେ କେବଳ କେତୋଟି ସାପ୍ତାହିକ, ପାକ୍ଷିକ ଓ ମାସିକ ପତ୍ରିକା ହିଁ ରହିଥିଲେ । ଦୈିନିକ ସମ୍ବାଦପତ୍ର ନ ଥିଲା । ତନ୍ମଧ୍ୟରୁ ଆର୍ଥିକ କାରଣରୁ ଅଧିକାଂଶ ଥିଲେ ଅନିୟମିତ । ନିୟମିତ ପ୍ରକାଶ ପାଉଥିବା ପତ୍ରିକା ମଧ୍ୟରେ ଥିଲେ 'ଉତ୍କଳ ଦୀପିକା' ଓ 'ଉତ୍କଳ ସାହିତ୍ୟ' (୧୮୯୭) । ପରେ ସାପ୍ତାହିକ ଭାବରେ ପ୍ରକାଶ ପାଉଥିବା 'ଆଶା'(୧୯୧୩) ଏବଂ ସତ୍ୟବାଦୀ ସ୍କୁଲ୍‍ ସାକ୍ଷୀଗୋପାଳରୁ ପ୍ରକାଶ ପାଉଥିବା 'ସମାଜ'(୧୯୧୯) ଦୈିନିକ ପତ୍ରିକା ହେଲେ । 'ଆଶା' ଦୈିନିକ ହେଲା ୧୯୨୭ରେ; 'ସମାଜ' ହେଲା ୧୯୨୯ରେ । ୧୮୬୬ରୁ ୧୮୭୮ ମଧ୍ୟରେ ୧୨ଟି ପତ୍ରିକା ମଧ୍ୟରୁ ଆର୍ଥିକ ସଂକଟଯୋଗୁଁ ମାତ୍ର ଦୁଇଟିକୁ ବାଦ ଦେଲେ ଅନ୍ୟଗୁଡ଼ିକ ମଝିରେ ବନ୍ଦ ହୋଇ ଯାଇଥିଲେ ବୋଲି 'ଉତ୍କଳ ଦୀପିକା' କ୍ଷୋଭ ପ୍ରକାଶ କରିଥିଲା । ୧୯୧୪ରେ ମଧ୍ୟ ଫକୀର ମୋହନ ଦୁଃଖ ପ୍ରକାଶ କରି କହିଥିଲେ ଯେ, କେବଳ ଦୁଇଟିକୁ ବାଦ ଦେଲେ ଓଡ଼ିଶାରେ ନିୟମିତ ଭାବେ ପ୍ରକାଶିତ ହେଉଥିବା ପତ୍ରିକା ନାହିଁ । ଅବସୋସର କଥା ଯେ ନିୟମିତତା ରକ୍ଷା କରିଥିବା ପତ୍ରିକାଗୁଡ଼ିକର ସୁଦ୍ଧା ସ୍ଥିତି ସ୍ୱଚ୍ଛଳ ନ ଥିଲା । 'ଉତ୍କଳ ସାହିତ୍ୟ'ର ଉଦାହରଣରୁ ଏହା ସ୍ପଷ୍ଟ ବୁଝି ହୁଏ । ଆରମ୍ଭରେ ଦୁଇବର୍ଷ କାଳ ପ୍ରକାଶିତ ହୋଇ ଏହା କିଛି ସମୟ ବନ୍ଦ ରହିଲା ଏବଂ ୧୯୦୦ ମସିହାରେ ପୁନରାରମ୍ଭ ହୋଇ ୧୯୩୪ ପର୍ଯ୍ୟନ୍ତ ଚାଲିଲା । ଓଡ଼ିଆ ଜାତିର ସାମାଜିକ ଓ ସାହିତ୍ୟିକ ଉନ୍ନତିିନିମନ୍ତେ ପ୍ରତିବଦ୍ଧ ଏହି ପତ୍ରିକାର ସଂପାଦକ ବିଶ୍ୱନାଥ କରଙ୍କୁ ପ୍ରକାଶନର ମାନ ଓ ନିୟମିତତା ବଜାୟ ରଖିବା ସକାଶେ ସ୍ୱ ପରିବାର ପୋଷଣର ଏକମାତ୍ର ମାଧ୍ୟମ ଶିକ୍ଷକତାରୁ ଇସ୍ତଫା ଦେବାକୁ ପଡ଼ିଥିଲା; ଋଣ କରିବାକୁ ପଡ଼ିଥିଲା; ଗଡ଼ଜାତ ରାଜା ଓ ଜମିଦାରଙ୍କଠାରେ ସାହାଯ୍ୟ ଭିକ୍ଷା କରିବାକୁ ପଡ଼ିଥିଲା । ଶେଷରେ ପତ୍ରିକା ଓ ସଂପାଦକଙ୍କର ଏକା ବର୍ଷ (୧୯୩୪)ରେ ମୃତ୍ୟୁ ଘଟିଲା । ଜାତୀୟତାନିମିତ୍ତ ଉତ୍ସର୍ଗୀକୃତ ଏକ ପତ୍ରିକା ଓ ତା'ର ସଂପାଦକଙ୍କ ମଧ୍ୟରେ ରହିଥିବା ଆତ୍ମିକ ସଂବଧକୁ ଦେଖିବାପାଇଁ ଏଥିରୁ ବଡ଼ ପ୍ରତୀକାତ୍ମକତା ବା ଆଉ କ'ଣ ହୋଇପାରେ ?

ଏହାର ସଂପୂର୍ଣ୍ଣ ବିପରୀତ ସ୍ଥିତି ଦେଖିବାକୁ ମିଳିଥାଏ ଗଡ଼ଜାତ ରାଜା ଓ ଜମିଦାରମାନଙ୍କ ଆର୍ଥିକ ସହଯୋଗରେ ପ୍ରକାଶିତ ପତ୍ରପତ୍ରିକାରେ । 'ଉତ୍କଳ ଦର୍ପଣ' (୧୮୭୩: ଜମିଦାର ବୈକୁଣ୍ଠନାଥ ଦେ), 'ଉତ୍କଳ ହିତୈଷିଣୀ'(୧୮୬୮: ଜମିଦାର କାଳିପଦ ବାନାର୍ଜୀ), 'ସମ୍ବଲପୁର ହିତୈଷିଣୀ'(୧୮୮୯: ବାମଣ୍ଡା ରାଜା ବାସୁଦେବ ସୁଢ଼ଳ ଦେବ) ଏବଂ 'ଗଡ଼ଜାତ ବାସିନୀ'{{right|ଓଡ଼ିଶା ଇତିହାସ . ୨୨୧