ପୃଷ୍ଠା:Odisha Itihasa.pdf/୨୨୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

(୧୯୦୦: ତାଳଚେର ରାଜା) ଆଦି ହେଉଛି ସେହି ଧରଣର କେତେକ ପତ୍ରପତ୍ରିକା । ଏହି ପତ୍ରିକାଗୁଡ଼ିକର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ଥିଲା; ପ୍ରକାଶନରେ ପ୍ରାୟ ନିୟମିତତା ବି ରହୁଥିଲା । ପ୍ରକାଶକମାନେ ସ୍ୱଚ୍ଛଳ ଥିଲେ; ପତ୍ରିକାର ସମ୍ପାଦନାପାଇଁ ବେତନଭୋଗୀ ସଂପାଦକଙ୍କୁ ନିଯୁକ୍ତି ଦେଇଥିଲେ । ସେମାନଙ୍କ ପତ୍ରିକା ପ୍ରକାଶନ ପଛରେ ମଧ୍ୟ ସମାଜ ସଂସ୍କାରର ଲକ୍ଷ୍ୟ ରହିଥିଲା । ଅନେକ ବୁଦ୍ଧିଜୀବୀ ଏହି ପତ୍ରିକାଗୁଡ଼ିକ ସହିତ ସଂପୃକ୍ତ ଥିଲେ । ରାଧାନାଥ ରାୟ, ମଧୁସୂଦନ ରାଓ, ଗଙ୍ଗାଧର ମେହେର, ଫକୀରମୋହନ ଏବଂ ଗୋପୀନାଥ ନନ୍ଦଙ୍କ ଭଳି ବୁଦ୍ଧିଜୀବୀଙ୍କ ସାହିତ୍ୟ ପ୍ରକାଶନ ପଛରେ ମଧ୍ୟ ରାଜା-ଜମିଦାର ବା ସାମନ୍ତ ବର୍ଗର ଆର୍ଥିକ ସହଯୋଗ ରହିଥିଲା । ଏହି ଦୃଷ୍ଟିରୁ କେତେକ ରାଜା-ଜମିଦାର ଓ ସେମାନଙ୍କ ପତ୍ରପତ୍ରିକାକୁ, ଜାତୀୟତାର ଉନ୍ମେଷରେ ସେମାନେ ସହାୟକ ହୋଇଥିଲେ ବୋଲି କହିହେବ । ମାତ୍ର ପରବର୍ତ୍ତୀ ସ୍ତରରେ ଯେତେବେଳେ ଜାତୀୟତା ଆନ୍ଦୋଳନ ଅଧିକରୁ ଅଧିକ ବ୍ରିଟିଶ ବିରୋଧୀ ହେଲା, ସେତେବେଳେ ସାମନ୍ତ ବର୍ଗ ଜାତୀୟତାବାଦୀମାନଙ୍କ ସାଙ୍ଗଛଡ଼ା ହେଲେ, ସରକାରଙ୍କ ସମର୍ଥକ ସାଜିଲେ । ଏହି କାରଣରୁ ରାଜା-ଜମିଦାର ଗୋଷ୍ଠୀକୁ ଜାତୀୟତାବାଦୀ ବର୍ଗରେ ସାମିଲ୍‍ କରିବା ସହଜ ମନେହୁଏ ନାହିଁ । ଅନ୍ୟ ପକ୍ଷରେ, ଏହି ଗୋଷ୍ଠୀରେ କିଛି ଜାତୀୟତାବାଦୀ ଚରିତ୍ର ମଧ୍ୟ ରହିଥିବାରୁ, ଜାତୀୟତା ବିରୋଧୀ କହିବା ମଧ୍ୟ ସୁଖକର ହୁଏ ନାହିଁ । ସେ ଯାହାହେଉ, ସେତେବେଳର ସମସ୍ତ ପ୍ରମୁଖ ଜାତୀୟତାବାଦୀ ନେତା ପତ୍ରିକା ପ୍ରକାଶନ ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସଂଶ୍ଳିଷ୍ଟ ଥିଲେ । ଗୌରୀଶଙ୍କର ରାୟ, ଫକୀରମୋହନ ଓ ବିଶ୍ୱନାଥ କର ନିଜେ ପତ୍ରିକା ପ୍ରକାଶନ ଓ ସଂପାଦନା କରୁଥିଲେ । ମଧୁସୂଦନ ଦାସ ନିଜେ ପତ୍ରିକା ପ୍ରକାଶନ କରୁ ନଥିଲେ । ମାତ୍ର 'ଦି ଓଡ଼ିଆ' ଓ 'ଷ୍ଟାର୍‍ ଅଫ୍‍ ଉତ୍କଳ'ର ପ୍ରକାଶନ ସହ ସଂପୃକ୍ତ ଥିଲେ । ଏହା ବ୍ୟତୀତ 'ଉତ୍କଳ ଦୀପିକା'ର ଇଂରାଜୀ ଅଂଶର ସଂପାଦନା ଦାୟିତ୍ୱ ମଧ୍ୟ ତାଙ୍କ ହାତରେ ଥିଲା । ଓଡ଼ିଶାରେ ଜାତୀୟତା ଆନ୍ଦୋଳନକୁ ଏକ ଠୋସ ସ୍ୱରୂପ ଦେବାରେ ତାଙ୍କର ଦାନ ଅତୁଳନୀୟ । ବିଂଶ ଶତାବ୍ଦୀର ଆରମ୍ଭରେ ଜାତୀୟତାବାଦୀଙ୍କ ପତ୍ରପତ୍ରିକା ସହ ସଂପୃକ୍ତି ଆହୁରି ବୃଦ୍ଧିପାଇଲା । ଏହି ସମୟର ପ୍ରମୁଖ ନେତା ଗୋପବନ୍ଧୁ ଦାସ (୧୮୭୭- ୧୯୨୮), 'ଆଶା', 'ମୁକୁର'ର ପ୍ରକାଶନ ସହ ପରୋକ୍ଷ ଭାବରେ ଏବଂ 'ସତ୍ୟବାଦୀ' ଓ 'ସମାଜ' ସହ ପ୍ରତ୍ୟକ୍ଷ ଭାବରେ ସଂଶ୍ଳିଷ୍ଟ ଥିଲେ । ଏହା ଜାତୀୟତା ଓ ପତ୍ରିକା ପ୍ରକାଶନ ମଧ୍ୟରେ ଥିବା ନିବିଡ଼ତାକୁ ଦର୍ଶାଏ ।

ଜାତୀୟତାର ଉନ୍ମେଷ କାଳରେ ସାମାଜିକ ଓ ଧାର୍ମିକ ପ୍ରସଙ୍ଗକୁ ନେଇ ମଧ୍ୟ ବୁଦ୍ଧିଜୀବୀଙ୍କ ଦୃଷ୍ଟିଭଙ୍ଗୀରେ ଏକ ପ୍ରକାର ସମାନତା ଦେଖିବାକୁ ମିଳିଥାଏ । ସମାଜର ତଥାକଥିତ ନୀତିିନିୟମକୁ ସେମାନେ ଯୁକ୍ତି ଓ ହେତୁ ଆଧାରରେ ନିରୀକ୍ଷଣ କଲେ ଏବଂ ଅଯୌକ୍ତିକ ଓ ଅହେତୁକ ଚାଲିଚଳନକୁ କୁସଂସ୍କାର ତଥା ଜାତୀୟ ପ୍ରଗତିର ବାଧକ ବୋଲି ନିନ୍ଦା କଲେ । ଆଧୁିନିକ ରାଷ୍ଟ୍ରଗଠନ ବେଳେ ଏଭଳି ଚାଲିଚଳଣିର ସେମାନେ ଉଚ୍ଛେଦ କାମନା କଲେ । ଦେଶର ଦୁର୍ଗତି ଓ ଦୁର୍ବଳତାପାଇଁ ସେମାନେ ମୁଖ୍ୟତଃ କୁସଂସ୍କାର ଓ ରୂଢ଼ିବାଦିତାକୁ ଦାୟୀ କରୁଥିଲେ, କାରଣ ତା'ର ଫାଇଦା୨୨୨ . ଓଡ଼ିଶା ଇତିହାସ