ପୃଷ୍ଠା:Odisha Itihasa.pdf/୨୩୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କାଳ ଯାଏଁ ସାମନ୍ତବର୍ଗର କର୍ତ୍ତୃତ୍ୱ ଜାରି ରହିଲା । ଏହା କେତେକାଂଶରେ ଓଡ଼ିଶାର କଂଗ୍ରେସ ସହ ସମ୍ବନ୍ଧକୁ ପ୍ରଭାବିତ କଲା । ଫଳତଃ ୧୮୮୫ରେ କଂଗ୍ରେସ ପ୍ରତିଷ୍ଠା ହେବାର ଦୀର୍ଘ ୩୫ ବର୍ଷ କାଳ ଧରି ଅର୍ଥାତ ୧୯୨୦ ଯାକେ ଓଡ଼ିଶାରେ ତାର ଶାଖା ସ୍ଥାପନ ହୋଇ ପାରି ନଥିଲା । ସେହି ସମୟରେ ଓଡ଼ିଶାର ବୁଦ୍ଧିଜୀବୀ ସମୂହ ଜାତୀୟତା ଆନ୍ଦୋଳନର ମୁଖ୍ୟ ସ୍ୱର ଜାତୀୟ କଂଗ୍ରେସର ମୁହାଁମୁହିିଁ ବିରୋଧ କରୁ ନଥିଲା ସତ, ମାତ୍ର ଏକା ଏକା ସମତାଳରେ ଚାଲିବାକୁ ପ୍ରୟାସ କରିଥିଲା । ଗୋଟାଏ ବାକ୍ୟରେ କହିଲେ, ଏହି ସମୟରେ ଓଡ଼ିଶା ବୁଦ୍ଧିଜୀବୀଙ୍କ ମଧ୍ୟରେ ଏକାଧିକ ମତ ଦେଖିବାକୁ ମିଳୋ ତନ୍ମଧ୍ୟରୁ ଗୋଟାଏ ପ୍ରଧାନ ମତ ଯଦି ସମ୍ମିଳନୀ ଓ କଂଗ୍ରେସ ମଧ୍ୟରେ ପରିପୂରକତା କାମନା କରୁଥିଲା; ଅନ୍ୟ ଏକ ଗୋଷ୍ଠୀ, ଯାହା ରାଜା- ଜମିଦାର ଓ ସାମନ୍ତବର୍ଗକୁ ନେଇ ଗଠିତ, କଂଗ୍ରେସରୁ ଦୂରରେ ରହି ବ୍ରିଟିଶ ପ୍ରତି ଆନୁଗତ୍ୟ ଦେଖାଇଲା । ଏ ଦୁଇଟିକୁ ବାଦ ଦେଲେ ବିଂଶ ଶତାବ୍ଦୀର ପ୍ରାରମ୍ଭ ଦଶକରେ ତୃତୀୟ ଗୋଷ୍ଠୀର ଉଦ୍‍ଗମ ହେଲା, ଯାହା ପରବର୍ତ୍ତୀ କାଳରେ 'ସତ୍ୟବାଦୀ ଗୋଷ୍ଠୀ' ନାମରେ ଭାଷା, ସାହିତ୍ୟ, ରାଜନୀତି ଆଦି ବିଭିନ୍ନ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚିତି ରଖିଲା । ମଧୁସୂଦନ ଦାସ, ଫକୀର ମୋହନ ଆଦିଙ୍କ ଗୋଷ୍ଠୀକୁ ଯଦି ଉଦାରପନ୍ଥୀ ବା 'ଲିବରାଲ' ବୋଲି କୁହାଯିବ, ରାଜା-ଜମିଦାର ଗୋଷ୍ଠୀର ବୁଦ୍ଧିଜୀବୀଙ୍କୁ ବ୍ରିଟିଶ ଅନୁଗତ ଗୋଷ୍ଠୀ ବୋଲି ନାମିତ କରାଯାଇ ପାରେ । ଅନ୍ୟ ପକ୍ଷରେ ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ ଆଦିଙ୍କ ନେତୃତ୍ୱରେ ଗଠିତ ଯୁବ ଜାତୀୟତାବାଦୀ ସତ୍ୟବାଦୀ ଗୋଷ୍ଠୀକୁ 'ନରମପନ୍ଥୀ ଜାତୀୟତାବାଦୀ' ବୋଲି ନାମିତ କରାଯାଇପାରେ । ଏହି ନାମଗୁଡ଼ିକର ବ୍ୟବହାର ସୁବିଧା ଦୃଷ୍ଟିରୁ ଏବଂ କେବଳ ଓଡ଼ିଶା ରାଜନୀତି ପରିପ୍ରେକ୍ଷୀରେ କରାଯାଇଛି । ତେଣୁ, ତାକୁ ଅନ୍ୟଥା ନିଆଯିବା କଥା ନୁହେଁ ।

ଓଡ଼ିଶାରେ ଜାତୀୟତାର ଦୁଇ କାଳାଂଶ ଓଡ଼ିଶାରେ ଜାତୀୟତାର ଉନ୍ମେଷକୁ ଯଦି ଦୁଇ କାଳାଂଶରେ ବିଭକ୍ତ କରାଯାଏ, ତେବେ ଉତ୍କଳ ସମ୍ମିଳନୀର ଆରମ୍ଭ ଅର୍ଥାତ୍‍ ୧୯୦୩ ଯାକେ ହେବ ପ୍ରଥମ ପର୍ଯ୍ୟାୟ ଏବଂ ୧୯୦୩ରୁ ୧୯୨୦ ଯାକେ ହେବ ଦ୍ୱିତୀୟ ପର୍ଯ୍ୟାୟ । ୧୯୨୦ ମସିହାରେ ଅସହଯୋଗ ଆନ୍ଦୋଳନର ଆରମ୍ଭ ହେଲା ଏବଂ ସମଗ୍ର ଭାରତରେ ସ୍ୱାଧୀନତା ସଂଗ୍ରାମର ସ୍ୱରୂପ ବଦଳିଲା । ସେହି ବର୍ଷ ଉତ୍କଳ ସମ୍ମିଳନୀ ଜାତୀୟ କଂଗ୍ରେସରେ ସାମିଲ ହେଲା । ଅର୍ଥାତ ଆନୁଷ୍ଠାନିକ ଭାବରେ କଂଗ୍ରେସର ଶାଖା ଭାବରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ସ୍ଥାପନା ହେଲା । ୧୯୨୦ର ନାଗପୁର କଂଗ୍ରେସରେ ଭାଷା ଭିତ୍ତିରେ କଂଗ୍ରେସର ଶାଖା ଗଠନ କରିବାକୁ ନିଷ୍ପତ୍ତି ନିଆହେଲା ପରେ ଉତ୍କଳ ସମ୍ମିଳନୀର ପ୍ରମୁଖ ଲକ୍ଷ୍ୟ - ଭାଷାଭିତ୍ତିକ ପ୍ରଦେଶ ଗଠନକୁ - କଂଗ୍ରେସର ସମର୍ଥନ ମିଳିଲା । ଓଡ଼ିଶା ଜାତୀୟତା ଯେହେତୁ ଏକ ଓଡ଼ିଆ ଜାତିର ଅସ୍ମିତାନିମନ୍ତେ ଆନ୍ଦୋଳନ, ତାକୁ ସରକାରୀ ମାନ୍ୟତା ମିଳିବା ପୂର୍ବରୁ ସର୍ବଭାରତୀୟ ଲୋକ ସ୍ତରରେ ମାନ୍ୟତା ମିଳିଗଲା । ଅନ୍ୟ ଶବ୍ଦରେ କହିଲେ, ୧୯୦୩ରେ ମାଡ୍ରାସ କଂଗ୍ରେସରେ ଓଡ଼ିଆ ଭାଷା-ଭାଷୀ କ୍ଷେତ୍ରର ଏକତ୍ରୀକରଣକୁ{{right|ଓଡ଼ିଶା ଇତିହାସ . ୨୩୫