ପୃଷ୍ଠା:Odisha Itihasa.pdf/୨୪୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶୈଳୀ ଏବଂ ସ୍ଥାନୀୟ ଲକ୍ଷ୍ୟ ମଧ୍ୟ ବୈଶିଷ୍ଟ୍ୟପୂର୍ଣ୍ଣ । ଏହି ସବୁ କାରଣରୁ ସ୍ୱାଧୀନତା ସଂଗ୍ରାମ ବା ଜାତୀୟତା ଆନ୍ଦୋଳନରେ ଓଡ଼ିଶା ଅଧ୍ୟାୟର ଏକ ତାର୍କିକ ପର୍ଯ୍ୟାଲୋଚନା ଆଜି ଯେତିକି ପ୍ରାସଙ୍ଗିକ, ତତୋଽଧିକ ଆମୋଦଦାୟକ । ୧୯୨୦ ମସିହା ଡିସେମ୍ବର ମାସ ଶେଷ ସପ୍ତାହରେ ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ଓଡ଼ିଶାର ଅନେକ ନରମପନ୍ଥୀ ଜାତୀୟତାବାଦୀ ଜାତୀୟ କଂଗ୍ରେସର ନାଗପୁର ଅଧିବେଶନରେ ଯୋଗ ଦେଲେ । ସେଠାରୁ ଫେରି ସେମାନେ ଉତ୍କଳ ସମ୍ମିଳନୀର ଚକ୍ରଧରପୁର ଅଧିବେଶନରେ ଭାଗନେଲେ । ନାଗପୁର କଂଗ୍ରେସରେ ନିଷ୍ପତ୍ତି ହୋଇଥିଲା ଯେ, ଏଣିକି ଭାଷା ଭିତ୍ତିରେ ଜାତୀୟ କଂଗ୍ରେସର ପ୍ରାଦେଶିକ ଶାଖାମାନ ଗଠିତ ହେବ, ଇଂରାଜୀ ବଦଳରେ ବ୍ୟାବହାରିକ ହିନ୍ଦୁସ୍ତାନୀ କଂଗ୍ରେସର ଆନୁଷ୍ଠାନିକ ଭାଷା ହେବ ତଥା କଂଗ୍ରେସର ସଦସ୍ୟତା ଶୁଳ୍କ ହ୍ରାସ ପାଇ ମାତ୍ର ଚାରିଅଣା ରହିବ । ଅର୍ଥାତ କଂଗ୍ରେସ ଏଣିକି ଅଳ୍ପ କେତେକ ବୁଦ୍ଧିଜୀବୀଙ୍କ ସଂଗଠନ ନ ହୋଇ ସାଧାରଣ ଲୋକଙ୍କ ସଂଗଠନ ହେବ । ଓଡ଼ିଶାର ନରମପନ୍ଥୀ ଜାତୀୟତାବାଦୀ ଗୋଷ୍ଠୀକୁ କଂଗ୍ରେସର ଏହି ପରିବର୍ତ୍ତନ ଉତ୍କଳ ସମ୍ମିଳନୀରେ କଂଗ୍ରେସର ପକ୍ଷ ନେବାରେ ସାହାଯ୍ୟ କଲା । ଉତ୍କଳ ସମ୍ମିଳନୀକୁ ଜାତୀୟ କଂଗ୍ରେସରେ ମିଶାଇ ଦେବାକୁ ଯୁକ୍ତି କରି ଗୋପବନ୍ଧୁ ପ୍ରସ୍ତାବ ଦେଲେ:

"ସମ୍ମିଳନୀର ବର୍ତ୍ତମାନ ଯେ ଉଦ୍ଦେଶ୍ୟ ନିରୂପିତ ହୋଇଅଛି, ତାହା ସ୍ଥିର ରଖାଯାଇ, ଭାରତ ଜାତୀୟ ମହାସମିତିର ଯେ ଉଦ୍ଦେଶ୍ୟ ଓ ଆକାଂକ୍ଷା, ତାହା ଏହି ସମ୍ମିଳନୀର ଉଦ୍ଦେଶ୍ୟ ଓ ଆକାଂକ୍ଷା ରୂପେ ଗୃହୀତ ହେଉ ।

ପ୍ରସ୍ତାବ ବହୁ ମତରେ ଗୃହୀତ ହେଲା । ଏଣିକି ନରମପନ୍ଥୀ ଜାତୀୟତାବାଦୀ ହେଲେ ଓଡ଼ିଶାର ମୁଖ୍ୟ ନେତୃତ୍ୱ । ଓଡ଼ିଶା ଜାତୀୟତାର ରାଜନୀତିରେ ଉଦାରପନ୍ଥୀ ଏବଂ ସରକାରଙ୍କ ଅନୁଗତ ସାମନ୍ତ ବୁଦ୍ଧିଜୀବୀ ଗୋଷ୍ଠୀ ସଂଖ୍ୟାନ୍ୟୂନ ହେଲେ । ଫଳରେ ନରମପନ୍ଥୀ ଜାତୀୟତାବାଦୀ ନ କହି ଏଣିକି କଂଗ୍ରେସ ନେତୃତ୍ୱ ନାଁରେ ଏହି ଗୋଷ୍ଠୀକୁ ସ୍ୱାଧୀନତା ଇତିହାସରେ ଚିହ୍ନିବା ସହଜ ହେବ । ଅର୍ଥାତ୍‍ ୧୯୨୦ ପରେ ନରମପନ୍ଥୀ ଜାତୀୟତାବାଦୀ ନାଁର ଆଉ ଆବଶ୍ୟକତା ରହିବ ନାହିିଁ ।

ଚକ୍ରଧରପୁର ଅଧିବେଶନରେ ଅସହଯୋଗର ସଂଚାଳନ ପାଇଁ ଯେଉଁ ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହେଲା, ଏହାର ସଭାପତି ହେଲେ ଗୋପବନ୍ଧୁ ଦାସ ଏବଂ ଉପ-ସଭାପତି ହେଲେ ଏକରାମ ରସୁଲ । ଖିଲାଫତ୍‍ ଆନ୍ଦୋଳନର ମହତ୍ତ୍ୱ ଓ ମୁସଲମାନ ସଂପ୍ରଦାୟର ସହଯୋଗକୁ ଧ୍ୟାନରେ ରଖି ଏକରାମ ରସୁଲ ନେତୃତ୍ୱର ଶୀର୍ଷ ସ୍ଥାନରେ ରହିଥିଲେ । ଓଡ଼ିଶାକୁ ଛଅଟି ଜିଲ୍ଲା କଂଗ୍ରେସକମିଟିରେ ଭାଗ କରାଗଲା । ସେଗୁଡ଼ିକ ହେଲେ ଗଂଜାମ, ବାଲେଶ୍ୱର, ପୁରୀ, କଟକ, ସମ୍ବଲପୁର ଏବଂ ସିଂହଭୂମ । ଜିଲ୍ଲା କମିଟିର ସଭାପତି ହେଲେ ଯଥାକ୍ରମେ ନିରଞ୍ଜନ ପଟ୍ଟନାୟକ, ହରେକୃଷ୍ଣ ମହତାବ, ଜଗବନ୍ଧୁ ସିଂ, ଭାଗୀରଥି ମହାପାତ୍ର, ଧରଣୀଧର ମିଶ୍ର ଏବଂ ଗୋଦାବରୀଶ ମିଶ୍ର । ଜିଲ୍ଲାଗୁଡ଼ିକ ମଧ୍ୟରୁ ଗଞ୍ଜାମ ଓ ସିଂହଭୂମ ଥିଲେ ବିଚ୍ଛିନ୍ନାଞ୍ଚଳ । ଉଭୟ ଜିଲ୍ଲା ପ୍ରାଦେଶିକ କମିଟିର ଅଂଶଭୁକ୍ତ ହେବାଯୋଗୁଁ ଓଡ଼ିଶାର ଭାଷା-ସଂସ୍କୃତି ଆନ୍ଦୋଳନକୁ ଜାତୀୟ କଂଗ୍ରେସର ପୂର୍ଣ୍ଣ ସମର୍ଥନ ରହିଥିବା କଥା ସ୍ପଷ୍ଟ ହେଲା । ପ୍ରତିବଦଳରେ ଏହା ଓଡ଼ିଶାରେ ଅସହଯୋଗ ଆନ୍ଦୋଳନକୁ ବଳ ଦେଲା ।୨୪୪ . ଓଡ଼ିଶା ଇତିହାସ