ପୃଷ୍ଠା:Odisha Itihasa.pdf/୨୬୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତୀୟ ବିଦ୍ୟାଳୟ ବା ଖଦି କେନ୍ଦ୍ର ବା ସମ୍ବାଦପତ୍ର ଆଦି ଅନୁଷ୍ଠାନ ଗୁଡ଼ିକ ଯେ ଅସହଯୋଗ ଆନ୍ଦୋଳନକୁ ଓଡ଼ିଶାର ସ୍ଥାନୀୟ ପରିବେଶରେ ସ୍ଥାପନ କଲେ, ତହିିଁରେ ସନ୍ଦେହ ନାହିିଁ । ଜାତୀୟତାର ବିଚାରକୁ ରଙ୍ଗ ରୂପ ଦେବାପାଇଁ ତଥା ଲୋକ ସ୍ତରରେ ପହଞ୍ଚାଇବାପାଇଁ ଅସହଯୋଗର ଡାକରା ଯେମିତି ସୁଯୋଗ ଦେଲା, ଆନ୍ଦୋଳନକୁ ମାଟି, ପାଣିରେ ଖୁଣ୍ଟ ଭଳି ପୋତି ରଖିବାପାଇଁ ଅନୁଷ୍ଠାନ ମାନେ ସେମିତି ସହଯୋଗ କଲେ । ଆଜି ଅସହଯୋଗ ଆନ୍ଦୋଳନର ପ୍ରାୟ ଏକ ଶତାବ୍ଦୀ ପରେ ସେ ନେଇ ଆଲୋଚନା କଲାବେଳେ ତଥା ତା ପଛରେ ଥିବା କାରଣଗୁଡ଼ିକୁ ବିଶ୍ଳେଷଣ କରିବା ପାଇଁ ସାମଗ୍ରୀ ଖୋଜିଲାବେଳେ, ସେହି ଅନୁଷ୍ଠାନ ଗୁଡ଼ିକ ଉପରେ ନିର୍ଭର କରିବାକୁ ପଡ଼େ । ଐତିହାସିକ ଉପାଦାନ ଭାବରେ ସେତେବେଳର ପ୍ରକାଶିତ ପତ୍ର-ପତ୍ରିକା ଏବଂ ଜାତୀୟ ବିଦ୍ୟାଳୟର ଲିଖିତ ସ୍ମୃତି ବିନା ଆଜି ଆମ ଆଲୋଚନା ଓ ଅଧ୍ୟୟନ ଅତ୍ୟନ୍ତ କଠିନ ହୁଅନ୍ତା,ଏଥିରେ ଦ୍ୱିରୁକ୍ତି ନାହିିଁ । ସାମାଜିକତା ଦୃଷ୍ଟିରୁ ଦେଖିଲେ ଜାତୀୟତାବାଦୀ ଆଦର୍ଶର ଆଜି ରକ୍ଷଣାବେକ୍ଷଣ ଏବଂ ତାର ସମୀକ୍ଷା ହେବା ଯେତେ ଆବଶ୍ୟକ, ଐତିହାସିକ ଦୃଷ୍ଟିକୋଣରୁ ଦେଖିଲେ, ସେହି ଉପାଦାନଗୁଡିକର ରକ୍ଷଣାବେକ୍ଷଣ ଓ ସମୀକ୍ଷା ହେବା ମଧ୍ୟ ଅନୁରୂପ ମାତ୍ରାରେ ଆବଶ୍ୟକ ।

...

୨୬୮ . ଓଡ଼ିଶା ଇତିହାସ