ପୃଷ୍ଠା:Odisha Itihasa.pdf/୨୮୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରଚାର କରିବାକୁ ନିର୍ଦେଶ ଦିଆଗଲା । ସତ୍ୟାଗ୍ରହୀ ସାଧାରଣତଃ ହାଟ, ରେଳଷ୍ଟେସନ୍‍, କୋର୍ଟ ପରିସର, ମନ୍ଦିର ଓ ସହର ବଜାରରେ ଏକତ୍ରିତ ଲୋକଙ୍କୁ ଉଦ୍‍ବୋଧନ ଦେଉଥିଲେ ଏବଂ ତା' ମାଧ୍ୟମରେ ପୋଲିସ ଓ କର୍ତ୍ତୃପକ୍ଷଙ୍କ ଧ୍ୟାନ ଆକର୍ଷଣ କରୁଥିଲେ । ୧୯୪୧ ଏପ୍ରିଲ୍‍ ମାସଠାରୁ ପ୍ରାଦେଶିକ କଂଗ୍ରେସ କମିଟି ସତ୍ୟାଗ୍ରହୀ ପ୍ରଶିକ୍ଷଣ ଶିବିରମାନ ମଧ୍ୟ ଆୟୋଜନ କରିଥିଲେ । ତହିଁରେ ଶାନ୍ତି ଦଳ ଗଠନ, ଯୁଦ୍ଧ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା, ତନ୍ତବୁଣା, ଖଦିପ୍ରସାର ଆଦି ଉପରେ ଗୁରୁତ୍ୱ ଦିଆଯାଉଥିଲା । ଭଦ୍ରକର ଗଦାଧରପୁର ଓ ଗଂଜାମର ଆସ୍କାଠାରେ ଏହିଭଳି ଦୁଇଟି ଶିବିର ସେହି ସମୟରେ ଅନୁଷ୍ଠିତ ହୋଇଥିଲା ।

୧୯୪୧ ସୁଦ୍ଧା ଆଉ ଏକ ଗଣ ଆନ୍ଦୋଳନପାଇଁ ଲୋକ ପ୍ରସ୍ତୁତ ହୋଇ ସାରିଥିଲେ । ବରଂ କଂଗ୍ରେସ ତରଫରୁ ଏ ନେଇ ନିଷ୍ପତ୍ତି ନିଆ ଯାଉନଥିବାରୁ ଲୋକଙ୍କ ମଧ୍ୟରେ ଧୈର୍ଯ୍ୟଚ୍ୟୁତି ଘଟୁଥିଲା । ଜାତୀୟ କଂଗ୍ରେସପାଇଁ ମଧ୍ୟ ଏହା ଏକ ସଂଧିକ୍ଷଣ ଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଫାସୀବାଦୀ ଶକ୍ତି ବିରୁଦ୍ଧରେ ଲଢ଼ୁଥିବା ଇଂରେଜ ସରକାରକୁ ସମର୍ଥନ ନଦେଲେ ବି ଖୋଲା ଖୋଲି ବିରୋଧ କରିବା ଅର୍ଥ ଫାସୀବାଦୀ ବିରୋଧୀ ମେଣ୍ଟକୁ ପ୍ରକାରାନ୍ତରେ ଦୁର୍ବଳ କରିବା । ଏହି କାରଣରୁ ଜାତୀୟ କଂଗ୍ରେସ ନୂଆ ଗଣ ଆନ୍ଦୋଳନ ଆରମ୍ଭ କରି ପାରୁଥିଲା । ଅନ୍ୟ ପକ୍ଷରେ, ବିନା ଗଣ ଆନ୍ଦୋଳନରେ ଲୋକ ସମ୍ଭାବିତ ଜାପାନର ଭାରତ ଆକ୍ରମଣକୁ କାଳେ ସ୍ୱାଗତ କରିଦେବେ ବୋଲି ଆଶଙ୍କା ପ୍ରକାଶ ପାଉଥିଲା । ୧୯୪୨ରେ 'ଭାରତ ଛାଡ଼' ଆନ୍ଦୋଳନର ଡାକରା ଏହି ସମସ୍ତ ଅନିଶ୍ଚିତତାକୁ ଦୂର କରିଦେଲା ।

ସ୍ୱତନ୍ତ୍ର ପ୍ରଦେଶ ଗଠନ :୧୯୩୬ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ତଦ୍‍ଜନିତ କାର୍ଯ୍ୟକ୍ରମମାନ ଚାଲିଥିବା ବେଳେ ସରକାର ଓଡ଼ିଆ ଭାଷା-ଭାଷୀ କ୍ଷେତ୍ରକୁ ନେଇ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବାକୁ ସ୍ଥିର କଲେ । ୧୯୩୬ ଏପ୍ରିଲ୍‍ ୧ ତାରିଖରେ ଓଡ଼ିଶା ପ୍ରଦେଶ ଗଠିତ ହେଲା । ଉଭୟ ବୌଦ୍ଧିକ ଓ ଲୌକିକ ସ୍ତରରେ ଏଥିପାଇଁ ବହୁ ଆଗରୁ ଆନ୍ଦୋଳନ ଚାଲିଥିଲା ।

୧୯୧୯ରେ ମଣ୍ଟେଗୁ-ଚେମସ୍‍ଫୋର୍ଡ଼ ଶାସନ ସଂସ୍କାର ଅନୁଯାୟୀ ଭାରତ ସରକାର ଆଇନ ଲାଗୁକଲେ । ଏଥିରେ ଓଡ଼ିଆ ଭାଷା-ଭାଷୀ ଅଂଚଳଗୁଡ଼ିକର ଏକତ୍ରୀକରଣ ହେବ ବୋଲି ଓଡ଼ିଶାର ବୁଦ୍ଧିଜୀବୀ ଓ ନେତୃବର୍ଗ ଆଶା କରିଥିଲେ । ୧୯୧୭ରେ ମଣ୍ଟେଗୁଙ୍କ ଆଗମନ ସମୟରେ 'ଦ ଓଡ଼ିଆ ମୁଭ୍‍ମେଣ୍ଟ' ନାମକ ଏକ ପୁସ୍ତକରେ ଓଡ଼ିଶାର ଦାବିକୁ ସମ୍ମିଳିତ କରି ତାକୁ ସ୍ମାରକପତ୍ର ରୂପେ ପେଶ୍‍ କରାଯାଇଥିଲା । ଏହି ପୁସ୍ତକ ପ୍ରସ୍ତୁତ କରିଥିଲେ ଗଂଜାମର ଚକ୍ରପାଣି ପ୍ରଧାନ, ନିରଂଜନ ପଟ୍ଟନାୟକ ଓ ହରିହର ପଣ୍ଡା ଆଦି । ମଣ୍ଟେଗୁ ଓଡ଼ିଶାର ବିହାର ପ୍ରଦେଶ ସହିତ ମିଳିତ ହୋଇ ରହିବାଟା ଅଯୌକ୍ତିକ ବୋଲି କହୁଥିଲେ । ଏକ ଉପ-ପ୍ରଦେଶ ଭାବରେ ଓଡ଼ିଶା ରହିବା କଥା ବୋଲି ସେ କହୁଥିଲେ । ମାତ୍ର ରିପୋର୍ଟରେ ସେ ନେଇ କୌଣସି ଠୋସ୍‍ ନିର୍ଦେଶ ଦେଇ ନଥିଲେ, ଯାହା ଓଡ଼ିଶାର ନେତୃବୃନ୍ଦଙ୍କୁ ନିରାଶ କରିଥିଲା ।୨୮୦ . ଓଡ଼ିଶା ଇତିହାସ