ପୃଷ୍ଠା:Odisha Itihasa.pdf/୨୯୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆସି ଜବାହରଲାଲ୍‍ ନେହେରୁ ୧୯୩୬ ନଭେମ୍ବର ମାସରେ ଅନେକ ସଭା ସମିତିରେ ଭାଷଣ ଦେଇଥିଲେ । ତାଙ୍କ ଭାଷଣରେ ଜମିଦାରୀ ପ୍ରଥାର ଉଚ୍ଛେଦ ଓ କୃଷି ସଂସ୍କାରପାଇଁ ପ୍ରାଥମିକତା ରହିଥିଲା । କଂଗ୍ରେସର ପ୍ରତିଦ୍ୱନ୍ଦ୍ୱୀ ଦଳ ଭାବରେ ଯେହେତୁ ରାଜା-ମହାରାଜାମାନେ ଦଳ ଗଢ଼ି ନିର୍ବାଚନ ଲଢ଼ୁଥିଲେ, ନେହେରୁଙ୍କ ବକ୍ତବ୍ୟ ସେମାନଙ୍କୁ ଲକ୍ଷ୍ୟ ରଖିଥିଲା । ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ଓ ରାଜା ମହାରାଜା ବର୍ଗର ଦାରୁଣ ପରାଜୟରୁ ସୁସ୍ପଷ୍ଟ ହେଲା ଯେ, ଲୋକେ କଂଗ୍ରେସକୁ ସେମାନଙ୍କ ପ୍ରକୃତ ପ୍ରତିିନିଧି ମନେ କରୁଥିଲେ । କଂଗ୍ରେସର ଜନ ଆନ୍ଦୋଳନ ପ୍ରତି ଜନ ସମର୍ଥନ ରହିଥିବା କଥା ମଧ୍ୟ ଏଥିରୁ ପ୍ରମାଣିତ ହେଲା । ଓଡ଼ିଶା କଂଗ୍ରେସ ବିଧାୟକ ଦଳର ନେତା ଭାବରେ ବିଶ୍ୱନାଥ ଦାସ ମନୋନୀତ ହୋଇଥିଲେ । ସଂଖ୍ୟାଗରିଷ୍ଠ ଦଳ ହିସାବରେ ମନ୍ତ୍ରିମଣ୍ଡଳ ଗଠନ କରିବା ପୂର୍ବରୁ କଂଗ୍ରେସ ସରକାରଙ୍କ ପାଖରୁ ମନ୍ତ୍ରିମଣ୍ଡଳର ଦୈନନ୍ଦିନ କାର୍ଯ୍ୟରେ ରାଜ୍ୟପାଳ ହସ୍ତକ୍ଷେପ କରିବେ ନାହିଁ ବୋଲି ପ୍ରତିଶ୍ରୁତି ମାଗିଲା । ସରକାର ଏଭଳି ପ୍ରତିଶ୍ରୁତି ନ ଦେବାରୁ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନ କଲା ନାହିଁ । ଫଳରେ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ ମନ୍ତ୍ରିମଣ୍ଡଳ ଗଠନ କରିବାକୁ ଆମନ୍ତ୍ରଣ ମିଳିଲା । ୧୯୩୭ ଏପ୍ରିଲ୍‍ ଓ ଜୁନା ଦୁଇ ମାସ ପ୍ରାୟ ପାରଳା ମହାରାଜା ପ୍ରଧାନମନ୍ତ୍ରୀ ଭାବରେ ମନ୍ତ୍ରିମଣ୍ଡଳ ଗଠନ କଲେ । ମାନ୍ଧାତା ଗୋରାଚାନ୍ଦ ପଟ୍ଟନାୟକ ଓ ମୌଲବୀ ଲତିଫୁର ରହମାନ ଥିଲେ ତାଙ୍କର ଅନ୍ୟ ଦୁଇଜଣ ମନ୍ତ୍ରୀ ।

୧୯୩୭ ଜୁଲାଇରେ ବିଶ୍ୱନାଥ ଦାସଙ୍କ ନେତୃତ୍ୱରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନ କଲା । ନିତ୍ୟାନନ୍ଦ କାନୁନ୍‌ଗୋ ଓ ବୋଧରାମ ଦୁବେ ଥିଲେ ମନ୍ତ୍ରିମଣ୍ଡଳର ଅନ୍ୟ ଦୁଇଜଣ ସଦସ୍ୟ । ଏହି ମନ୍ତ୍ରିମଣ୍ଡଳ ୧୯୩୯ ନଭେମ୍ବର ମାସ ୩ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ନିଜର ଦୁଇ ବର୍ଷ ଚାରିମାସର ସ୍ୱଳ୍ପ ଶାସନ କାଳରେ ପ୍ରଥମ କଂଗ୍ରେସ ମନ୍ତ୍ରିମଣ୍ଡଳ ଅନେକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିଲା । ତନ୍ମଧ୍ୟରେ ଓଡ଼ିଶା ମହାଜନ ପ୍ରସ୍ତାବ (Orissa Money Lender Bill) ହେଲା ଅନ୍ୟତମ । ୧୯୩୯ ଜୁନ୍ ମାସରେ ଗୃହୀତ ଏହି ପ୍ରସ୍ତାବ ଫଳରେ ମହାଜନମାନଙ୍କୁ ପଞ୍ଜୀକରଣ କରିବାକୁ ନିର୍ଦେଶ ଦିଆଗଲା । ଏଥିରେ ଋଣଗ୍ରହୀତାଙ୍କଠାରୁ ଅନ୍ୟାୟ ଭାବରେ ସୁଧ ଅସୁଲ କଲେ ସରକାର ଦଣ୍ଡବିଧାନ କରିବେ ବୋଲି ବ୍ୟବସ୍ଥା ରହିଲା । ଅନ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଆଇନ୍‍ 'ଓଡ଼ିଶା କ୍ଷୁଦ୍ରଚାଷୀ ରିଲିଫ୍‍ ଏକ୍ଟ୍' (Orissa Small Holders Relief) ଅନୁଯାୟୀ ଖଜଣା ଜମା କରି ପାରି ନଥିବା କ୍ଷୁଦ୍ରଚାଷୀର ଜମି ବାଜ୍ୟାପ୍ତ ହେବା ପୂର୍ବରୁ ସିଭିଲ୍‍ କୋର୍ଟର ସ୍ୱତନ୍ତ୍ର ଅନୁମତିକୁ ଜରୁରୀ କରାଗଲା । ଅଧିକ କର୍ମନିଯୁକ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ସରକାର ତାଳ ଓ ଖଜୁରି ରସରୁ ଗୁଡ଼ ତିଆରି, ଶିଙ୍ଗ ନିର୍ମିତ ଉପକରଣ, ରୁପା ତାରକସି କାମ, ଚମଡ଼ା ଶିଳ୍ପ ଓ ହସ୍ତତନ୍ତକୁ ପ୍ରୋତ୍ସାହିତ କଲେ । ଇଂରେଜ ଶାସନରେ ବନ୍ଦ ହୋଇ ଯାଇଥିବା ଲବଣ ଶିଳ୍ପକୁ ପୁନଃସ୍ଥାପନ କରିବା ସକାଶେ ସରକାର କେତେକ ପଦକ୍ଷେପ ନେଲେ । ସରକାରଙ୍କ ପକ୍ଷରୁ ସ୍ୱଦେଶୀ ପଦାର୍ଥର ଅଧିକରୁ ଅଧିକ ମାତ୍ରାରେ ବ୍ୟବହାରପାଇଁ ବିଭିନ୍ନ ବିଭାଗକୁ ନିର୍ଦେଶ ଦିଆଯାଇଥିଲା । 'ଓଡ଼ିଶା ନିଶା ସଂଶୋଧନ ପ୍ରସ୍ତାବ-୧୯୩୯' (The Opium (Orissa){{right|ଓଡ଼ିଶା ଇତିହାସ . ୨୯୩