ପୃଷ୍ଠା:Odisha Itihasa.pdf/୨୯୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

Ammendment Bill-1939) ଏବଂ 'ଓଡ଼ିଶା ନିଶା ନିବାରଣ ପ୍ରସ୍ତାବ' (The Orissa Prohibition Bill) ନାମକ ଦୁଇଟି ମହତ୍ତ୍ୱପୂର୍ଣ୍ଣ ପ୍ରସ୍ତାବକୁ ବିଧାନସଭାରେ ଗୃହୀତ କରି ସରକାର ନିଶାଦ୍ରବ୍ୟର ବିକ୍ରୀ ଉପରେ କଟକଣା ଜାରି କରିଥିଲେ । ୧୯୨୦ ଓ ୩୦ ଦଶକରେ ଓଡ଼ିଶାର ପତ୍ରପତ୍ରିକାରେ ମଠାଧିପତି ଓ ମହନ୍ତମାନଙ୍କ ଦୁର୍ନୀତି ବିରୁଦ୍ଧରେ ପ୍ରବଳ ଜନମତ ପ୍ରକାଶ ପାଇଥିଲା । ଜମିଦାରମାନଙ୍କ ପରି ମଠ ମହନ୍ତମାନେ ସରକାରର ସମର୍ଥନ କରୁଥିଲେ । ଦ୍ୱିତୀୟତଃ ଦେବୋତ୍ତର ସମ୍ପତ୍ତିକୁ ସେମାନେ ନିଜ ସ୍ୱାର୍ଥରେ ବ୍ୟବହାର କରୁଥିଲେ । ବିଶ୍ୱନାଥ ଦାସଙ୍କ ମନ୍ତ୍ରିମଣ୍ଡଳ ୧୯୩୮ରେ ଓଡ଼ିଶା ଦେବୋତ୍ତର ପ୍ରସ୍ତାବ (The Orissa Hindu Religions Endowment Bill)କୁ ବିଧାନସଭାରେ ଗୃହୀତ କରାଇଲେ । ଏହା ଫଳରେ ଦେବୋତ୍ତର ସମ୍ପତ୍ତି ଜଣେ କମିସନରଙ୍କ ତତ୍ତ୍ୱାବଧାନରେ ରହିବ ଏବଂ ଉନ୍ନତିମୂଳକ କାର୍ଯ୍ୟରେ ବିନିଯୁକ୍ତ ହେବ ବୋଲି ବ୍ୟବସ୍ଥା ରହିଲା । ଏହା କଂଗ୍ରେସ ମନ୍ତ୍ରିମଣ୍ଡଳର ଲୋକପ୍ରିୟତାକୁ ବୃଦ୍ଧି କଲା ।

ଶିକ୍ଷାର ଉନ୍ନତିପାଇଁ କଂଗ୍ରେସ ମନ୍ତ୍ରିମଣ୍ଡଳ କେତେକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲା । ରାଜ୍ୟର ପ୍ରାୟ ୨୫ଟି ସ୍କୁଲ୍‍ରେ ମହାତ୍ମା ଗାନ୍ଧୀଙ୍କ ମୌଳିକ ଶିକ୍ଷାର ପ୍ରୟୋଗ କରାଗଲା । ଏଥିରେ ଧନ୍ଦାମୂଳକ ଶିକ୍ଷାର ବ୍ୟବସ୍ଥା ରହିଲା । ଓଡ଼ିଶାପାଇଁ ଏକ ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ପ୍ରାରମ୍ଭିକ ଯୋଜନା ପ୍ରସ୍ତୁତ କରାଗଲା, ଯାହା ପାରଳା ମହାରାଜାଙ୍କ ନେତୃତ୍ୱରେ ଗଠିତ ମିଳିତ ମନ୍ତ୍ରିମଣ୍ଡଳ ଦ୍ୱାରା ୧୯୪୪ରେ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ଥାପନା ପରେ ମୂର୍ତ୍ତ ରୂପ ନେଲା । ପ୍ରକାଶଥାଉ କି, ଏ ସଂପର୍କିତ ଏକ ବିଲ୍‍ ୧୯୪୩ ବିଧାନସଭାରେ ଗୃହୀତ ହେବା ପରେ ଅସ୍ଥାୟୀ ଭାବରେ କଟକ ରେଭେ୍‍ସା କଲେଜରେ ଏହା ଆରମ୍ଭ ହୋଇଥିଲା ।

କଂଗ୍ରେସ ମନ୍ତ୍ରିମଣ୍ଡଳ ସମୟରେ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରାଗଲା । ମନ୍ତ୍ରିମଣ୍ଡଳଯୋଗୁଁ ଲୋକ ନିଡ଼ର ହୋଇ ପ୍ରଜାମଣ୍ଡଳ ଆନ୍ଦୋଳନରେ ଯୋଗ ଦେଉଥିଲେ । କଂଗ୍ରେସଯୋଗୁଁ ଗଡ଼ଜାତରେ ପୋଲିସର ଦମନ ଉପରେ ମଧ୍ୟ ନିୟନ୍ତ୍ରଣ ରହିଥିଲା । ଏହି କାରଣରୁ ୧୯୩୮-୩୯ କଂଗ୍ରେସ ମନ୍ତ୍ରିମଣ୍ଡଳ ସମୟରେ ପ୍ରାୟ ସମସ୍ତ ଗଡ଼ଜାତରେ ଆନ୍ଦୋଳନ ଦେଖିବାକୁ ମିଳିଥିଲା । ସେହି ଦୃଷ୍ଟିରୁ ଦେଖିଲେ, କଂଗ୍ରେସ ମନ୍ତ୍ରିମଣ୍ଡଳ ସ୍ୱାଧୀନତା ସଂଗ୍ରାମକୁ ଗଡ଼ଜାତକୁ ବହୁଳ ଭାବେ ବିସ୍ତାରିତ ହେବାରେ ସହାୟକ ସିଦ୍ଧ ହେଲା । ଲୋକ କଂଗ୍ରେସକୁ ଇଂରେଜ ଶାସନର ବିକଳ୍ପ ରୂପରେ ଦେଖିଲେ । ମାତ୍ର ଦୁଇ ବର୍ଷର ଶାସନକାଳ ମଧ୍ୟରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଲୋକଙ୍କ ଭିତରେ ଇଂରେଜମାନଙ୍କ ପ୍ରତି ଏକ ନିର୍ଭୟ ଭାବ ସୃଷ୍ଟି କଲା । ବୋଧହୁଏ ଏହା ହିଁ ହେଉଛି ବିଶ୍ୱନାଥ ଦାସ ମନ୍ତ୍ରିମଣ୍ଡଳର ସବୁଠାରୁ ବଡ଼ ଉପଲବ୍ଧି ।

୧୯୩୯ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା । ଇଂରେଜ ସରକାର ଭାରତୀୟମାନଙ୍କ ବିନା ପରାମର୍ଶରେ ଭାରତକୁ ଯୁଦ୍ଧରେ ପକ୍ଷଭୁକ୍ତ କଲେ । ଏହି ନିଷ୍ପତ୍ତିର ବିରୋଧ କରି ଦେଶର ବିଭିନ୍ନ ପ୍ରଦେଶରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାକୁ ଜାତୀୟ କଂଗ୍ରେସ ନିଜ ଲୋକଙ୍କୁ ନିର୍ଦେଶ ଦେଲା । ଫଳରେ ୪ ନଭେମ୍ବର ୧୯୩୯ରେ ବିଶ୍ୱନାଥ ଦାସ ମନ୍ତ୍ରିମଣ୍ଡଳ ଇସ୍ତଫା ପ୍ରଦାନ୨୯୪ . ଓଡ଼ିଶା ଇତିହାସ