ପୃଷ୍ଠା:Odisha Itihasa.pdf/୨୯୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଗଷ୍ଟ ବିପ୍ଳବ


୧୯୪୨ ମସିହା ଅଗଷ୍ଟ ୯ ତାରିଖରୁ ଭାରତଛାଡ଼ ଆନ୍ଦୋଳନ ଆରମ୍ଭ ହେଲା । ସେଥିପାଇଁ ଏହାକୁ ଅଗଷ୍ଟ ବିପ୍ଳବ ନାମରେ ଲୋକେ ଜାଣନ୍ତି । ଏହା ଥିଲା ଇଂରେଜ ସରକାର ବିରୁଦ୍ଧରେ ଜାତୀୟ କଂଗ୍ରେସର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟର ଗଣ ଆନ୍ଦୋଳନ । ଊନବିଂଶ ଶତାବ୍ଦୀର ଶେଷ ତିିନି ଦଶନ୍ଧିରେ ଶିକ୍ଷିତ ବୁଦ୍ଧିଜୀବୀଙ୍କ ମଧ୍ୟରେ ଏକ ରାଜନୈତିକ ସଚେତନତା ରୂପରେ ଆରମ୍ଭ ହୋଇଥିବା ଜାତୀୟତା ଆନ୍ଦୋଳନ, ୧୯୪୨ ମସିହା ବେଳକୁ ବ୍ୟାପକ ଗଣ ବିପ୍ଳବର ରୂପ ନେଲା । ଆଦିବାସୀ, ଚାଷୀ, ମୂଲିଆଙ୍କଠାରୁ ଆରମ୍ଭ କରି ସହରର ଶ୍ରମିକ, ଛାତ୍ର, ବୁଦ୍ଧିଜୀବୀ ଆଦି ସମସ୍ତ ବର୍ଗର ଲୋକ ଏଥିରେ ସାମିଲ ହୋଇଥିଲେ । ଆନ୍ଦୋଳନର ଏହି ସୁଦୂରପ୍ରସାରୀ ଭାବକୁ ଦୃଷ୍ଟିରେ ରଖି ଲୋକେ ଏହାକୁ ବିପ୍ଳବ ବୋଲି କହିଥାନ୍ତି । ସମଗ୍ର ଦେଶରେ ଏହା ଅଭୂତପୂର୍ବ ଆଲୋଡ଼ ସୃଷ୍ଟି କରିଥିଲା ଏବଂ ଆରମ୍ଭ ହେବାର ପାଞ୍ଚ ବର୍ଷ ଭିତରେ ଇଂରେଜ ସରକାରକୁ ଭାରତ ଛାଡ଼ି ଚାଲିଯିବାକୁ ବାଧ୍ୟ କରିଥିଲା ।

୧୯୩୯ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା । ଗୋଟିଏ ପକ୍ଷରେ ଇଂଲଣ୍ଡ ଓ ଫ୍ରାନ୍‍ସର ନେତୃତ୍ୱରେ ଥିଲେ ମିତ୍ରଶକ୍ତି ଏବଂ ଅନ୍ୟ ପକ୍ଷରେ ଥିଲେ ଜର୍ମାନୀ, ଇଟାଲି ଓ ଜାପାନର ଫାସୀବାଦୀ ଶକ୍ତିକୁ ନେଇ ଅକ୍ଷଶକ୍ତି । ଫାସୀବାଦୀ ଥିଲେ ଇଂରେଜ ସରକାର ଅପେକ୍ଷା ଅଧିକ ଧ୍ୱଂସାତ୍ମକ ଓ ମାନବତାବିରୋଧୀ । ଇଂରେଜମାନଙ୍କପାଇଁ ଅଧିକ ସମସ୍ୟା ସୃଷ୍ଟି କରିବା ଅର୍ଥ ଫାସୀବାଦକୁ ପ୍ରକାରାନ୍ତରେ ସହଯୋଗ କରିବା ହେବ ବୋଲି ମନେ କରି ଗାନ୍ଧୀ ଓ ଅନ୍ୟ କଂଗ୍ରେସ ନେତୃତ୍ୱ ତୃତୀୟ ଓ ଅନ୍ତିମ ପର୍ଯ୍ୟାୟର ଗଣ ସଂଗ୍ରାମକୁ କିଛି ସମୟପାଇଁ ଟାଳିବାକୁ ଚାହୁଁଥିଲେ । ଅନ୍ୟ ପକ୍ଷରେ ଗଣସଂଗ୍ରାମର ଡାକରା ଦେବାପାଇଁ ନେତୃତ୍ୱ ଉପରେ ଲୋକଙ୍କର ଚାପ ପଡ଼ୁଥିଲା । ଲୋକଙ୍କ ଦୃଷ୍ଟିରେ ଶତ୍ରୁ ବିପଦରେ ପଡ଼ିଥିବା ବେଳେ ତାକୁ ପରାସ୍ତ କରିବା ସହଜ । ତେଣୁ ବଡ଼ ଧରଣର ଏକ ଆନ୍ଦୋଳନ ଆରମ୍ଭ ହେବା କଥା । କଂଗ୍ରେସ ନେତୃତ୍ୱ ମଧ୍ୟରେ ସୁଭାଷ ଚନ୍ଦ୍ର ବୋଷ ଏବଂ ବାମପନ୍ଥୀମାନେ ମଧ୍ୟ ଆନ୍ଦୋଳନ ଆରମ୍ଭ କରିବାକୁ ଯୁକ୍ତି ବାଢ଼ୁଥିଲେ । ଇଂରେଜ{{right|ଓଡ଼ିଶା ଇତିହାସ . ୨୯୯