ପୃଷ୍ଠା:Odisha Itihasa.pdf/୩୨୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଧ୍ୟ ରହିଲା ନାହିଁ । ମାତ୍ର କେବଳ ଦୁଇ ମାସର ସ୍ୱଳ୍ପ ଅବଧିରେ ଏହା ଦୁଇ ଶହ ବର୍ଷର ଇଂରେଜ ଶାସନକୁ ଖଣ୍ଡିଆ ଖାବରା କରିଦେଲା । ଏହା ପରେ ଇଂରେଜମାନେ ଯେ ଭାରତ ଛାଡ଼ିବା ନିଶ୍ଚିତ- ତାହା ସମସ୍ତେ କଳନା କରିନେଲେ ।
ଅଗଷ୍ଟ ବିପ୍ଳବ ବେଳେ ଇଂରେଜ ସରକାରଙ୍କ କାର୍ଯ୍ୟକୁ ଔପଚାରିକ ଭାବରେ ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗ କରୁଥିବା ଭାରତୀୟବର୍ଗକୁ ସାଧାରଣତଃ ବିଶ୍ୱାସଘାତକ ଆଖ୍ୟା ଦିଆଯାଏ । ମାତ୍ର ଅନେକ ସ୍ଥଳରେ ଏଭଳି ଅଭିଯୋଗ ଅମୂଳକ ବୋଲି ମନେହୁଏ । ଏହାର ଏକ ଉଦାହରଣ ହେଉଛନ୍ତି, ମିଳିତ ସରକାରର ପାର୍ଲ୍ୟାମେଣ୍ଟାରୀ ସେକ୍ରେଟାରୀ ଯଦୁମଣି ମଂଗରାଜ । ବିହାରର ନେତା ରାମନନ୍ଦନ ମିଶ୍ର ଆତ୍ମଗୋପନପାଇଁ ଓଡ଼ିଶାରେ କିଛି ଦିନ ରହିଥିଲେ । ପୋଲିସ ସନ୍ଦେହରୁ ଦୂରେଇ ରଖିବାପାଇଁ ଯଦୁମଣି ତାଙ୍କୁ ନିଜ ସରକାରୀ ଗାଡ଼ିରେ କଟକ ସହରରେ ଯିବା ଆସିବାପାଇଁ ବ୍ୟବସ୍ଥା କରିଦେଇଥିଲେ । ଏହି ସହଯୋଗଯୋଗୁଁ ରାମନନ୍ଦନ ମିଶ୍ର ଓଡ଼ିଶାର ଭୂମିଗତ ନେତାଙ୍କ ସହ ସାକ୍ଷାତ୍‍ କରି ପାରିଥିଲେ ତଥା ପୋଲିସର ସନ୍ଦେହ ଚକ୍ଷୁରେ ପଡ଼ି ନଥିଲେ ।

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ୧୯୪୧ ଜୁନ୍‌ରେ ନାଜି ଜର୍ମାନୀ ସୋଭିଏତ୍‍ ରୁଷ୍‍ ଉପରେ ଅତର୍କିତ ଆକ୍ରମଣ କଲା । ଫଳରେ ରୁଷ୍‍ ଓ ଇଂଲଣ୍ଡ ନେତୃତ୍ୱାଧୀନ ମିତ୍ରଶକ୍ତି ମଧ୍ୟରେ ମେଣ୍ଟ ହେଲା । ଏହାର ପରିଣାମ ସ୍ୱରୂପ ଭାରତର କମ୍ୟୁନିଷ୍ଟମାନେ ବିଶ୍ୱଯୁଦ୍ଧରେ ଇଂଲଣ୍ଡର ସମର୍ଥନ କଲେ , ଔପଚାରିକ ଭାବେ ଓଡ଼ିଶାର ରାଜ୍ୟଶାଖା, ଇଂରେଜ ବିରୋଧୀ ଅଗଷ୍ଟ ଆନ୍ଦୋଳନରୁ ଓହରିଗଲା ଏବଂ ଯୁଦ୍ଧକୁ 'ମୁକ୍ତିଯୁଦ୍ଧ' ଘୋଷଣା କଲା । ମାତ୍ର ପାର୍ଟି ନିର୍ଦେଶକୁ ଉପେକ୍ଷା କରି ରାଜ୍ୟରେ ଅନେକ କମ୍ୟୁନିଷ୍ଟ ଅଗଷ୍ଟ ବିପ୍ଳବରେ ସକ୍ରିୟ ଯୋଗଦାନ କରିଥିଲେ । ଉଦାହରଣ ସ୍ୱରୂପ, ଢେଙ୍କାନାଳର ବୈଷ୍ଣବ ପଟ୍ଟନାୟକ, ନୀଳଗିରିର ବନମାଳୀ ଦାସ ଓ ସମ୍ବଲପୁରର ଦୟାନନ୍ଦ ଶତପଥୀ ଆଦି ଥିଲେ କମ୍ୟୁନିଷ୍ଟ ବିଚାରର କର୍ମୀ । ସେମାନଙ୍କର ଅଗଷ୍ଟ ବିପ୍ଳବରେ ସଂପୃକ୍ତି ଥିଲା ଅପରିମିତ ।

ତଳ ସ୍ତରର ସରକାରୀ କର୍ମଚାରୀମାନେ ଆନ୍ଦୋଳନ ପ୍ରତି ଯଥେଷ୍ଟ ସହାନୁଭୂତିଶୀଳ ଥିଲେ ବୋଲି ପୋଲିସ୍‍ ରିପୋର୍ଟରେ ବାରମ୍ବାର ଅଭିଯୋଗ ହେଉଥିଲା । ବାଲେଶ୍ୱରର ଇରମରେ ସମାନ୍ତରାଳ ସରକାରର ସଫଳତା ପଛରେ ବଡ଼ କାରଣ ଥିଲା, ସ୍ଥାନୀୟ ସରକାରୀ କର୍ମଚାରୀ ଓ ଚୌକିଦାରମାନଙ୍କ ଆନ୍ତରିକ ସହଯୋଗ । ସେମାନେ ଉପର କର୍ତ୍ତୃପକ୍ଷଙ୍କୁ ସ୍ୱାଧୀନ ସରକାର ସମ୍ବନ୍ଧରେ ସୂଚନା ପ୍ରେରଣ କରି ନଥିଲେ । ଏହା ସମାନ୍ତରାଳ ସରକାରକୁ ଅଧିକ ଦିନ ଧରି ସୁସଂଗଠିତ କରିବାରେ ସହଯୋଗ କରିଥିଲା । ସରକାରଙ୍କ ରିପୋର୍ଟରେ ଉଲ୍ଲେଖ ଥିଲା, "...କେତେକ ସ୍ଥାନରେ ଅରାଜକତା ଦମନ କରିବାରେ ପୋଲିସ ଓ ମାଜିଷ୍ଟ୍ରେଟଙ୍କଠାରେ ଅନାବଶ୍ୟକ ଭୀରୁତା ଓ ସ୍ୱେଚ୍ଛାପୂର୍ଣ୍ଣ ଅସହଯୋଗ ଦେଖାଯାଇଥିଲା । କଂଗ୍ରେସର ପ୍ରାଧାନ୍ୟ ଥିବା ଅଞ୍ଚଳରେ ଶିକ୍ଷକ ସମୁଦାୟର ଆଭିମୁଖ୍ୟ ଆମ ପ୍ରତି ଉପଯୋଗୀ ସିଦ୍ଧ ହୋଇନାହିଁ । ଡାକ କର୍ମଚାରୀମାନଙ୍କର ସହଯୋଗ ମିଳି ନାହିଁ । ଡାକଘରଗୁଡ଼ିକ ଭଂଗା ହେଲା ପରେ ଅନେକ ଜାଗାରେ ତା'ର ଅନୁସନ୍ଧାନ ସରିନାହିଁ । କାରଣ କର୍ମଚାରୀମାନେ ସାକ୍ଷ ଦେବାକୁ ଅମଙ୍ଗ

ଓଡ଼ିଶା ଇତିହାସ ୩୨୩