ଏହି ପୃଷ୍ଠାଟି ବୈଧ ହୋଇସାରିଛି

କ୍ଷେମଙ୍କର ଦେବଙ୍କୁ ପ୍ରଥମ ଭୌମରାଜା ବୋଲି ଗ୍ରହଣ କରାଯାଏ। ସେ ଭୌମ ସମ୍ବତ ଆରମ୍ଭ କରିଥିଲେ, ଯାହାର କାଳ ନିରୂପଣ କରି ଐତିହାସିକମାନେ ତାକୁ ୭୩୬ ଖ୍ରୀଷ୍ଟାବ୍ଦ ବୋଲି କହିଛନ୍ତି। ପ୍ରଥମ ଶୁଭକର ଦେବ ପ୍ରଦତ୍ତ ନେଉଳପୁର ତାମ୍ର ଶାସନରୁ ଜଣାଯାଏ ଯେ, କ୍ଷେମଙ୍କର ବୌଦ୍ଧ ଉପାସକ ଥିଲେ ଏବଂ ସମାଜରେ ଚତୁର୍ବର୍ଣ୍ଣ ପ୍ରଥା ମଧ୍ୟ ଆରମ୍ଭ କରିଥିଲେ। ଏଥିରୁ ଅନୁମିତ ହୁଏ ଯେ, ଆଦିବାସୀ ସମାଜରେ ଜାତିପ୍ରଥାକୁ ପ୍ରଚଳନ କରି ସେ ସମାଜ ଉପରେ ରାଜନିୟନ୍ତ୍ରଣକୁ ସୁଦୃଢ଼ କରିବାକୁ ତଥା ନିଜକୁ କ୍ଷତ୍ରିୟ ସମତୁଲ କରିବାକୁ ଆବଶ୍ୟକ ପଦକ୍ଷେପ ନେଇଥିଲେ। କ୍ଷେମଙ୍କର ଦେବଙ୍କ ସମ୍ପର୍କରେ ଆଉ ଅଧିକ ତଥ୍ୟ ହସ୍ତଗତ ହୋଇନାହିଁ।

ଯଦିଓ କ୍ଷେମଙ୍କର ଦେବଙ୍କ ସମୟରୁ ଭୌମବଂଶର ଆରମ୍ଭ ହୋଇଥିଲା, ପ୍ରଥମ ଶିବକର ଦେବ ଥିଲେ ଏହି ରାଜବଂଶର ପ୍ରକୃତ ପ୍ରତିଷ୍ଠାତା। ସେ ବଙ୍ଗର ରାଢ଼ରାଜ୍ୟର ରାଜାଙ୍କୁ ପରାସ୍ତ କରି ରାଜକନ୍ୟା ଜୟାକଲ୍ଲୀଙ୍କୁ ବିବାହ କରିଥିଲେ। ଶ୍ୱେତକ ଗଙ୍ଗବଂଶର ରାଜା ଜୟବର୍ମାଙ୍କୁ ଯୁଦ୍ଧରେ ପରାସ୍ତ କରି ତାଙ୍କୁ ସାମନ୍ତ ରାଜା ରୂପେ ସ୍ଥାପିତ କରିଥିଲେ। କଳିଙ୍ଗ ସହିତ ମଧ୍ୟ ତାଙ୍କର ଯୁଦ୍ଧ ହୋଇଥିଲା। ଜଣେ ବୌଦ୍ଧ ଉପାସକ ଭାବରେ ସେ ଚୀନ

ସମ୍ରାଟ ତେ. ସଙ୍ଗଙ୍କ ପାଖକୁ ବୌଦ୍ଧ ଗ୍ରନ୍ଥ 'ଗଣ୍ତବ୍ୟୂହ' ଉପହାର ପଠାଇଥିଲେ। ପ୍ରଥମ ଶୁଭକର ଦେବ ମଧ୍ୟ ପିତା ପ୍ରଥମ ଶିବକର ଦେବଙ୍କ ପରି ବୌଦ୍ଧ ଉପାସକ ପୁଣି ଯୁଦ୍ଧ ପିପାସୁ ଥିଲେ। ମାତ୍ର ପଶ୍ଚିମ ଭାରତର ରାଷ୍ଟ୍ରକୂଟ ରାଜାଙ୍କ ହାତରେ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା।ଭୌମକରଙ୍କ ତୋଷାଳୀ ରାଜ୍ୟ ସହିତ କଳିଙ୍ଗ, ବଙ୍ଗ, ଡହଳ ଓ ଓଡ୍ର ରାଜ୍ୟ ମଧ୍ୟ ରାଷ୍ଟ୍ରକୂଟ ରାଜାଙ୍କ ହାତରେ ପରାସ୍ତ ହୋଇଥିଲେ। ରାଷ୍ଟ୍ରକୂଟ ସୈନ୍ୟ ପ୍ରତ୍ୟାବର୍ତ୍ତନ ପରେ ଭୌମମାନେ ପ୍ରଥମ ଶୁଭକର ଦେବଙ୍କ ନେତୃତ୍ୱରେ ପୁଣି ଥରେ ନିଜକୁ ସ୍ୱାଧୀନ ଘୋଷଣା କରିଥିଲେ। ବୌଦ୍ଧଧର୍ମର ପୃଷ୍ଠପୋଷକତା କରି ପ୍ରଥମ ଶୁଭକର ବିହାର ନିର୍ମାଣ କରିଥିଲେ ଏବଂ ତହିଁରେ ଅବଲୋକିତେଶ୍ୱରଙ୍କ ମୂର୍ତ୍ତିି ସ୍ଥାପନ କରିଥିଲେ। ଅନ୍ୟ ପକ୍ଷରେ ତାଙ୍କ ରାଣୀ ମାଧବୀ ଦେବୀ ଯାଜପୁର ପାଖରେ ଶିବ ମନ୍ଦିର ନିର୍ମାଣ କରି ପୂଜାର୍ଚ୍ଚନାପାଇଁ ପୂଜକର ବ୍ୟବସ୍ଥା କରିଥିଲେ। ଏଥିରୁ ମନେହୁଏ ଯେ, ଭୌମ ରାଜ ପରିବାରରେ ଉଭୟ ବୌଦ୍ଧ ଓ ଶୈବ ଉପାସନା ଏକା ସାଙ୍ଗରେ ଚାଲିଥିଲା ଏବଂ ଗୋଟିଏ ଅନ୍ୟପାଇଁ ବାଧକ ନ ଥିଲା।

ଓଡ଼ିଶା ଇତିହାସ . ୫୧