ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଣ୍ତଳ ରାଜ୍ୟ ଓ ଶାସନ

ଖ୍ରୀଷ୍ଟୀୟ ଅଷ୍ଟମ ଓ ନବମ ଶତାବ୍ଦୀରେ ଓଡ଼ିଶାର ପାର୍ବତ୍ୟ ଅଞ୍ଚଳରେ ଅନେକ ଗୁଡ଼ିଏ ଛୋଟ ଛୋଟ ରାଜବଂଶ ରାଜତ୍ୱ କରୁଥିବାର ଦେଖାଯାଇଛି। ଏହି ଛୋଟ ଛୋଟ ରାଜ୍ୟ ତୋଷାଳୀ ନାମରେ ପରିଚିତ ଉପକୂଳ ଓଡ଼ିଶା କ୍ଷେତ୍ର ଓ ଦକ୍ଷିଣ କୋଶଳ ନାମରେ ପରିଚିତ ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ କ୍ଷେତ୍ରର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଥିଲେ। ସେତେବେଳେ ଭୌମକରମାନେ ତୋଷାଳୀ ଓ ସୋମବଂଶୀମାନେ ଦକ୍ଷିଣ କୋଶଳରେ ରାଜତ୍ୱ କରୁଥିଲେ। ଉକ୍ତ କ୍ଷୁଦ୍ର ରାଜ୍ୟଗୁଡ଼ିକ ଭୌମକରମାନଙ୍କ ବଶ୍ୟତା ସ୍ୱୀକାର କରି ସାମନ୍ତ ରାଜ୍ୟର ମର୍ଯ୍ୟାଦା ଲାଭ କରିଥିଲେ। ମାତ୍ର ଯୋଗାଯୋଗ ଓ ଗମନାଗମନର ଅସୁବିଧାଯୋଗୁଁ ସେମାନଙ୍କ ଉପରେ ଭୌମକରମାନେ ପୂର୍ଣ୍ଣ କର୍ତ୍ତୃତ୍ୱ ହାସଲ କରିପାରିନଥିଲେ। ଫଳରେ ବସ୍ତୁତଃ ଏହି କ୍ଷୁଦ୍ର ରାଜ୍ୟମାନେ ସ୍ୱତନ୍ତ୍ର ଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ସେମାନଙ୍କର ନିଜସ୍ୱ ସେନା ଥିଲେ; କର୍ମଚାରୀ ନିଯୁକ୍ତ ହୋଇ ରହିଥିଲେ; ଏପରିକି ତାମ୍ରଶାସନ ବା ଅନ୍ୟ ଆଦେଶ ଜାରି କଲା ବେଳେ ଉପରିସ୍ଥ ରାଜା ଭୌମକରଙ୍କର ନାମୋଲ୍ଲେଖ କରିବାପାଇଁ ସେମାନେ ବାଧ୍ୟ ନଥିଲେ। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ସୋମବଂଶୀ ଆକ୍ରମଣର ଶିକାର ମଧ୍ୟ ହେବାକୁ ପଡ଼ିଥିଲା।

ଓଡ଼ିଶା ଇତିହାସରେ ଏହି କ୍ଷୁଦ୍ର ରାଜ୍ୟଗୁଡ଼ିକ 'ମଣ୍ତଳ' ଭାବରେ ପରିଚିତ, କାରଣ ରାଜ୍ୟଗୁଡ଼ିକର ନାମ ସହିତ 'ମଣ୍ତଳ' ସଂଜ୍ଞା ଯୋଡ଼ି ହୋଇଥିବାର ଲକ୍ଷ୍ୟ କରାଯାଏ। ଉକ୍ତ ମଣ୍ତଳ ରାଜ୍ୟ ସମୂହ ହେଲେ: ୧- ଭଞ୍ଜଶାସିତ ଖିଞ୍ଜଳି ମଣ୍ତଳ, ୨-ଭଞ୍ଜଶାସିତ ଖିଜ୍ଜିଙ୍ଗ୍‍ ମଣ୍ତଳ,୩- ଶୁଳ୍କିବଂଶ ଶାସିତ କୋଦାଳକ ମଣ୍ତଳ, ୪- ତୁଙ୍ଗବଂଶଶାସିତ ଯମଗର୍ତ ମଣ୍ତଳ, ୫-ନନ୍ଦୋଦ୍ଭବ ଶାସିତ ଐରାବତ ମଣ୍ତଳ, ୬- ମୟୂରବଂଶଶାସିତ ବଣାଇ ମଣ୍ତଳ ଏବଂ ୭-ଗଙ୍ଗଶାସିତ ଶ୍ୱେତକ ମଣ୍ତଳ। ଓଡ଼ିଶା ଇତିହାସକୁ ଜାଣିବାକୁ ହେଲେ ମଣ୍ତଳ ରାଜ୍ୟ ଓ ତହିଁରେ ଚାଲିଥିବା ଶାସନ ଉପରେ ଏକ ଐତିହାସିକ ଆଲୋଚନାର ଆବଶ୍ୟକତା ରହିଛି ବୋଲି ଐତିହାସିକମାନେ ଦୃଢ଼ ଭାବେ ଅନୁଭବ କରନ୍ତି।୫୪ . ଓଡ଼ିଶା ଇତିହାସ