ପୃଷ୍ଠା:Odisha Rajanitira Itihasa.pdf/୧୫୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଷୋଡ଼ଶ ପରିଚ୍ଛେଦ
ମୁଖ୍ୟମନ୍ତ୍ରୀ ଆସନରେ ବୀରେନ୍‍ ମିତ୍ର

କାମରାଜ ପ୍ଲାନ୍‍ରେ ବିଜୁ ପଟ୍ଟନାୟକ ଓଡ଼ିଶା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଓଡ଼ିଶା ଶାସନ କଳକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଉଦ୍ୟମ ଆରମ୍ଭ କରିଦେଲେ । ତାଙ୍କ ମନଲାଖି ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହୁଅନ୍ତୁ, ଏହା ହେଲା ତାଙ୍କର ବାସନା । ତାଙ୍କର ମନଲାଖି ବ୍ୟକ୍ତି ଜଣକ ହେଲେ କଟକ ନଗର ବିଧାୟକ ବୀରେନ୍‍ ମିତ୍ର - ଯିଏକି ତାଙ୍କର ପରମ ବଂଧୁ ମଧ୍ୟ । ବିଜୁବାବୁଙ୍କର ଇଚ୍ଛା, ବୀରେନ୍‍ ବାବୁ ନିର୍ଦ୍ୱନ୍ଦ୍ୱରେ କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଆସନରେ ବସନ୍ତୁ ।

ହେଲେ ମହାତାବ ଗୋଷ୍ଠୀ ଏହାକୁ ଘୋର ବିରୋଧ କଲେ । ସେମାନେ ବିଧାୟକ ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ପଦପାଇଁ ବିଶ୍ୱନାଥ ଦାସ, ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବ, ନିତ୍ୟାନନ୍ଦ କାନୁନ୍‍ଗୋ ଏବଂ ରାଧାନାଥ ରଥଙ୍କ ନାମ ପ୍ରସ୍ତାବ ଦେଲେ । ଏମାନଙ୍କ ମଧ୍ୟରୁ କାହାକୁ ଯଦି ବିଜୁ ପଟ୍ଟନାୟକ ଗୋଷ୍ଠୀ ଦଳପତି ପଦ ନିମନ୍ତେ ଗ୍ରହଣ କରିନେବେ, ତେବେ ସମସ୍ୟାର ସମାଧାନ ହୋଇଯିବ ବୋଲି ଏହି ଗୋଷ୍ଠୀ ଖୋଲା ଖୋଲି ଭାବରେ ପ୍ରକାଶ କଲେ ।

ବିଜୁ ପଟ୍ଟନାୟକଙ୍କ ଇଚ୍ଛା କିନ୍ତୁ ଅନ୍ୟ ପ୍ରକାରର । ନିଜ ଗୋଷ୍ଠୀରୁ ନିଜର ପରମ ପ୍ରିୟ ବ୍ୟକ୍ତିଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ପଦରେ ବସାଇ ଦିଲ୍ଲୀ ରାଜନୀତି ତ‌ଥା ରାଜ୍ୟ ରାଜନୀତିକୁ ସେ ନିୟନ୍ତ୍ରଣ କରିବେ । 'ବୀରେନ୍‍ ମିତ୍ର ମୁଖ୍ୟମନ୍ତ୍ରୀ ହେବେ' ସେ ନିଜ ଜିଦ୍‍ରେ ଅଟଳ ରହିଲେ । ଓଡ଼ିଶା ବିଧାୟକ ଦଳର ନେତା ନିର୍ବାଚନ ନିର୍ଦ୍ୱନ୍ଦ୍ୱରେ କରାଇ ପାରିଲେ ଦିଲ୍ଲୀରେ ତାଙ୍କର ସୁନାମ ଯଥେଷ୍ଟ ବଢ଼ିଯିବ - ଏହା ମଧ୍ୟ ତାଙ୍କର ଆଉ ଗୋଟିଏ ଇଛା । ତାଙ୍କର ଆଶା ପୂରଣରେ ବିଡମ୍ବନା ସୃଷ୍ଟି ହେଉଛି - ତାଙ୍କ ମନୋନୀତ ପ୍ରାର୍ଥୀଙ୍କୁ ଦଳର ସମସ୍ତେ ଗ୍ରହଣ କରିବାକୁ ନାରାଜ - ଏହା ଜାଣିପାରି ସେ ବ୍ୟସ୍ତ ଓ ବିବ୍ରତ ହୋଇପଡିଲେ ।

୧୫୪ . ଓଡ଼ିଶା ରାଜନୀତିର ଇତିହାସ