ପୃଷ୍ଠା:Odisha Rajanitira Itihasa.pdf/୩୨୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅତନୁ ସବ୍ୟସାଚୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨-୮-୨୦୧୨ ତାରିଖ ସକାଳ ୯ଟା ବେଳେ ନିଜ ନିଜ ପଦରୁ ଇସ୍ତଫା ଦେବାପାଇଁ ନିର୍ଦ୍ଦେଶ ଦେଲେ । ମୁଖ୍ୟମନ୍ତ୍ରୀଙ୍କର ଅଚାନକ ଏପରି ପଦକ୍ଷେପରେ ମନ୍ତ୍ରୀମାନେ ଚକିତ ହୋଇଯାଇଥିଲେ । ଫୋନ୍‍ ଦ୍ୱାରା ଏହି ଅଚାନକ ନିର୍ଦ୍ଦେଶ ସମୟରେ ବିଭାଗୀୟ ମନ୍ତ୍ରୀମାନେ ଭିନ୍ନଭିନ୍ନ ସ୍ଥାନରେ ଥିଲେ । ପ୍ରଫୁଲ୍ଲ ଘଡ଼ାଇ ଥିଲେ ନିଜ ନିର୍ବାଚନମଣ୍ଡଳୀ ସୁକିନ୍ଦାରେ, ପ୍ରଫୁଲ୍ଲ ସାମଲ ଥିଲେ ବରଗଡ଼଼ ଜିଲ୍ଲାର ବରପାଲିରେ ସରକାରୀ ଗସ୍ତରେ, ପ୍ରତାପ ଜେନା ଥିଲେ ଭୁବନେଶ୍ୱରରେ, ଅତନୁ ସବ୍ୟସାଚୀ ନାୟକ ଥିଲେ ଭୁବନେଶ୍ୱର ସତ୍ୟନଗରସ୍ଥିତ ନିଜ ବାସଭବନରେ ଓ ପୁଷ୍ପେନ୍ଦ୍ର ସିଂହଦେଓ ଥିଲେ କୌଣସି ଏକ ଅଜଣା ସ୍ଥାନରେ । ଜଣାଯାଏ ଏହି ମନ୍ତ୍ରୀମାନେ ଉଭୟ ପ୍ୟାରୀବାବୁ ଓ ନବୀନବାବୁଙ୍କ ପାଖରେ ଦ୍ୱୈତ ଆନୁଗତ୍ୟ ପ୍ରକାଶ କରୁଥିବାରୁ ସେମାନଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଏମାନଙ୍କ ମଧ୍ୟରୁ ପ୍ରତାପ ଜେନା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରେ ଆନୁଗତ୍ୟ ପ୍ରକାଶ କରୁଥିଲେ ହେଁ ତାଙ୍କର ଦକ୍ଷତା ନେଇ ପ୍ରଶ୍ନ ଉଠିବାରୁ ତାଙ୍କୁ ଇସ୍ତଫା ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାର ଜଣାଯାଏ ।

ଏହା ପରେ ମୁଖ୍ୟମନ୍ତ୍ରୀ ନଅ ଜଣ ନୂତନ ମନ୍ତ୍ରୀଙ୍କୁ ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରି ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିବା ସହ ମନ୍ତ୍ରୀମାନଙ୍କର ବିଭାଗରେ ଅଦଳ ବଦଳ କରିଥିଲେ । ମାନ୍ୟବର ରାଜ୍ୟପାଳ ଏହି ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ଏହି ସଂପ୍ରସାରିତ ମନ୍ତ୍ରିମଣ୍ଡଳର ରୂପରେଖ ହେଲା-
କ୍ୟାବିନେଟ ମନ୍ତ୍ରୀ :

ନବୀନ ପଟ୍ଟନାୟକ : ମୁଖ୍ୟମନ୍ତ୍ରୀ; ଗୃହ, ସାଧାରଣ ପ୍ରଶାସନ, ପୂର୍ତ୍ତ, ଜଳସଂପଦ ଏବଂ
କୌଣସି ମନ୍ତ୍ରୀଙ୍କୁ ଦିଆଯାଇ ନଥିବା ବିଭାଗ
ବିଜୟଶ୍ରୀ ରାଉତରାୟ : ଜଙ୍ଗଲ ଓ ପରିବେଶ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ
ବିକ୍ରମ କେଶରୀ ଆରୁଖ : ଗ୍ରାମ୍ୟ ଉନ୍ନୟନ ଓ ସମବାୟ
ଡା. ଦାମୋଦର ରାଉତ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ
ଦେବୀ ପ୍ରସାଦ ମିଶ୍ର : କୃଷି, ମତ୍ସ୍ୟ ଓ ପଶୁ ସଂପଦ
କଳ୍ପତରୁ ଦାସ : ପଞ୍ଚାୟତିରାଜ ଓ ସଂସଦୀୟ ବ୍ୟାପାର
ଲାଲ୍‍ ବିହାରୀ ହିମିରିକା : ଅନୁସୂଚିତ ଜାତି ଓ ଉପଜାତି ବିକାଶ, ସଂଖ୍ୟାଲଘୁ ଓ ଅନୁନ୍ନତ
ବର୍ଗର କଲ୍ୟାଣ
ମହେଶ୍ୱର ମହାନ୍ତି : ପର୍ଯ୍ୟଟନ ଓ ସଂସ୍କୃତି, ଯୋଜନା ଓ ସମନ୍ୱୟ ବିଭାଗ
ନିରଞ୍ଜନ ପୂଜାରୀ : ଶିଳ୍ପ ଓ ଅବକାରୀ


୩୨୮ . ଓଡ଼ିଶା ରାଜନୀତିର ଇତିହାସ