ପୃଷ୍ଠା:Odisha Rajanitira Itihasa.pdf/୩୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନେଲେ । ତାଙ୍କ ସ୍ଥାନରେ ସାର୍ ୱିଲିଅମ୍ ହଥର୍ଣ୍ଣ ଲୁଇସ ନୂଆ ରାଜ୍ୟପାଳ ଭାବରେ ଯୋଗଦେଲେ ।

ଓଡ଼ିଶାରେ ମିଳିତ ମନ୍ତ୍ରିମଣ୍ଡଳ :

ଏହି ସମୟରେ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହେଲା ବ୍ୟକ୍ତିଗତ ସତ୍ୟାଗ୍ରହ । ଫଳରେ ଅନେକ କଂଗ୍ରେସ ନେତା ଜେଲ ଭିତରେ ରହିଗଲେ । ପ୍ରଦେଶର ଅନେକ ନିର୍ବାଚିତ କଂଗ୍ରେସ ବିଧାୟକ ମଧ୍ୟ ରହିଲେ ଜେଲରେ । ଏହାର ସୁଯୋଗ ନେଲେ ପଣ୍ଡିତ ନୀଳକଣ୍ଠ ଦାସ । ସେ ତ ଆଗରୁ ବିରକ୍ତ ହୋଇ ରହିିଲେ ପ୍ରଧାନମନ୍ତ୍ରୀ ପଦ ନପାଇ । ସେ ପଣ୍ଡିତ ଗୋଦାବରୀଶଙ୍କୁ ସାଙ୍ଗ କଲେ । ଦୁଇ ପଣ୍ଡିତ ମିଶି ପ୍ରଦେଶରେ ଅଣ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନ ପାଇଁ ଉଦ୍ୟମ ଆରମ୍ଭ କରିଦେଲେ । ସେହି ସମୟରେ କଂଗ୍ରେସ ଦଳରେ ଅନ୍ତର୍ଦ୍ୱନ୍ଦ୍ୱ ଆରମ୍ଭ ହୋଇଯାଇଥାଏ । ଗୋଟିଏ ପଟରେ ହରେକୃଷ୍ଣ ମହତାବ, ବିଶ୍ୱନାଥ ଦାସ ଓ ନିତ୍ୟାନନ୍ଦ କାନୁନ୍‍ଗୋଙ୍କ ସମେତ ତାଙ୍କ ସମର୍ଥକଗଣ । ଅନ୍ୟ ପଟରେ ପଣ୍ଡିତ ନୀଳକଣ୍ଠ, ପଣ୍ଡିତ ଗୋଦାବରୀଶ ଓ ସେମାନଙ୍କ ସମର୍ଥକଗଣ । କଂଗ୍ରେସ ଦଳରେ ଆଧିପତ୍ୟ ବିସ୍ତାରରେ ବିଫଳ ହେବାରୁ ପଣ୍ଡିତ ନୀଳକଣ୍ଠ ଓ ପଣ୍ଡିତ ଗୋଦାବରୀଶ ପ୍ରତିଶୋଧ ନେବାପାଇଁ ଅପେକ୍ଷା କରି ରହିଲେ ।

୧୯୩୯ ମସିହାରେ ତ୍ରିପୁରା କଂଗ୍ରେସ ଅଧିବେଶନ ଅନୁଷ୍ଠିତ ହେଲା । ସଭାପତି ପଦପାଇଁ ଏଠାରେ ପ୍ରତିଦ୍ୱନ୍ଦ୍ୱିତା ହେଲା । ମହତାବଙ୍କ ସମର୍ଥକମାନେ ଡକ୍ଟର ପଟ୍ଟାଭି ସୀତାରାମେୟାଙ୍କୁ ସମର୍ଥନ କଲେ । କିନ୍ତୁ କଂଗ୍ରେସ ସୋସାଲିଷ୍ଟମାନେ ସୁଭାଷ ବୋଷଙ୍କୁ ସମର୍ଥନ କଲେ । ପ୍ରଦେଶ କଂଗ୍ରେସ କମିଟି ସଭାପତି ଥାଇ ପଣ୍ଡିତ ନୀଳକଣ୍ଠ ଦାସ, କଂଗ୍ରେସର ବିଶିଷ୍ଟ ସଭ୍ୟ ଯଦୁମଣି ମଙ୍ଗରାଜ ଓ ଦିବାକର ପଟ୍ଟନାୟକ ପ୍ରମୁଖ ଓଡ଼ିଶାରୁ ନେତାଜୀ ସୁଭାଷ ବୋଷଙ୍କୁ ସମର୍ଥନ ଜଣାଇଲେ ।

ଏଠାରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଆତ୍ମଜୀବନୀରୁ କିଛି ଘଟଣା ଉଲ୍ଲେଖଯୋଗ୍ୟ: "୧୯୩୯ ମସିହାର କଥା । ସୁଭାଷ ବୋଷ ନିଜ ୩୮/୨ ଏଲ୍‌ଗିନ୍ ରୋଡ଼ ଘରକୁ ଆମକୁ ଡକାଇ ଥିଲେ । ଯଦୁମଣି ମଙ୍ଗରାଜ, ମୁଁ ଓ ଗୋଦାବରୀଶ ଯାଇଥିଲୁ । ଅନେକ ସମୟ କଥାବାର୍ତ୍ତା ହେବାପରେ ସେ କହିଲେ, "ଏ ନୀଳକଣ୍ଠ ଦାସ ମହାଯୁଦ୍ଧରେ ଜାପାନ ଜିଣିବାର ଖୁବ୍‍ ସମ୍ଭାବନା

ଓଡ଼ିଶା ରାଜନୀତିର ଇତିହାସ . ୩୭