ପୃଷ୍ଠା:Odisha Rajanitira Itihasa.pdf/୪୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପଞ୍ଚମ ପରିଚ୍ଛେଦ
ସ୍ୱାଧୀନତା ପୂର୍ବର ଦ୍ୱିତୀୟ ବିଧାନସଭା ଓ ମନ୍ତ୍ରିମଣ୍ଡଳ

୧୯୪୫ ମସିହାର କଥା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସରିଲା । କିନ୍ତୁ ଭାରତବର୍ଷରେ ଲାଗିରହିଥାଏ ରାଜନୈତିକ ଅସ୍ଥିରତା । ଭାରତର ବଡ଼ଲାଟ ଥାଆନ୍ତି ଲର୍ଡ ଉଏଲଭେଲ । ଭାରତର ରାଜନୈତିକ ପରିସ୍ଥିତି ସମ୍ପର୍କରେ ବ୍ରିଟିଶ୍‍ କ୍ୟାବିନେଟ୍‍ ସହ ଆଲୋଚନାପାଇଁ ସେ ଲଣ୍ଡନ ଯାତ୍ରା କଲେ ୧୯୪୫ ମାର୍ଚ୍ଚ ମାସରେ । ସେଠାରେ ଭାରତର ସଚିବ ଆଦିଙ୍କ ସହ ପରାମର୍ଶ କରି ଭାରତ ଫେରିଲେ । ଜୁନ୍‍ ୧୫ ତାରିଖରେ ଘୋଷଣା କଲେ, 'ଭାରତରେ ନୂତନ ଶାସନ ପରିଷଦ ଗଠନ ସମ୍ପର୍କରେ ଭାରତୀୟ ନେତାମାନଙ୍କ ସହ ଆଲୋଚନା ପାଇଁ ସେ ଇଚ୍ଛା କରୁଛନ୍ତି । ପ୍ରସ୍ତାବିତ ନୂତନ ପରିଷଦରେ ସମାନ ସଂଖ୍ୟକ ସବର୍ଣ୍ଣ ହିନ୍ଦୁ ଓ ମୁସଲମାନ ରହିବେ । ଭାଇସ୍‍ରୟ ଓ ମୁଖ୍ୟ ସେନାଧ୍ୟକ୍ଷଙ୍କୁ ଛାଡିଦେଲେ ପରିଷଦଟି କେବଳ ଭାରତୀୟମାନଙ୍କୁ ନେଇ ଗଠିତ ହେବ ଓ ବର୍ତ୍ତମାନ ଥିବା ସମ୍ବିଧାନର ନିୟମ ଅନୁଯାୟୀ କାର୍ଯ୍ୟ କରିବ । ନୂତନ ଓ ସ୍ଥାୟୀ ସମ୍ବିଧାନ ଗୃହୀତ ହୋଇ କାର୍ଯ୍ୟ କରିବା ଯାଏ ମଧ୍ୟବର୍ତ୍ତୀ କାଳୀନ ସରକାର ଭାରତର ଶାସନ ଚଳାଇବେ ।'

ଏହା ପରେ ଭାରତର ବଡ଼ଲାଟଙ୍କ ଆଦେଶରେ ଜେଲରେ ଥିବା ସମସ୍ତ କଂଗ୍ରେସ ନେତାଙ୍କୁ ଖଲାସ କରିଦିଆଗଲା । ତାଙ୍କ ପରିକଳ୍ପନାକୁ ସାକାର କରିବା ପାଇଁ ବଡ଼ଲାଟ ଜୁନ୍‍ ୨୫ ତାରିଖରୁ ଜୁଲାଇ ୧୪ ତାରିଖ ଯାଏ ସିମ୍‍ଲାରେ ଏକ ସମ୍ମିଳନୀ ଆୟୋଜନ କଲେ । ସମ୍ମିଳନୀ ବିଫଳ ହେଲା । କାରଣ ଜିନ୍ନା ଦାବିକଲେ-ମୁସଲିମ୍‍ ଲିଗ୍‍ର ସଭ୍ୟ ହୋଇନଥିଲେ କୌଣସି ମୁସଲମାନଙ୍କୁ ଭାରତର ଭାଇସ୍‍ରୟଙ୍କ ଶାସନ ପରିଷଦକୁ ନିଆ ନଯିବା ଉଚିତ । ଏହି ଦାବିକୁ କଂଗ୍ରେସ ଗ୍ରହଣ କରିବା ସମ୍ଭବ ହେଲାନାହିଁ ।

ଓଡ଼ିଶା ରାଜନୀତିର ଇତିହାସ . ୪୩