ପୃଷ୍ଠା:Odisha Rajanitira Itihasa.pdf/୫୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବାଚସ୍ପତି ଲାଲମୋହନ ପଟ୍ଟନାୟକ :

ଏହି ବିଧାନସଭାରେ ଲାଲମୋହନ ପଟ୍ଟନାୟକ ବାଚସ୍ପତି ଭାବରେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇ କାର୍ଯ୍ୟଭାର ଗ୍ରହଣ କଲେ । ସେ ବର୍ତ୍ତମାନର ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ଶ୍ରୀକାକୁଲମ ଜିଲ୍ଲାର ବୁଦ୍ଧରସିଙ୍ଗ ଗ୍ରାମର ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲ ୧୮୯୧ ମସିହାରେ । ବ୍ରହ୍ମପୁରର ଖଲିକୋଟ କଲିଜିଏଟ୍‍ ହାଇସ୍କୁଲରୁ ୧୯୧୦ରେ ମାଟ୍ରିକ ପାସ୍‍ କଲେ । ତାପରେ ସେ ମାଡ୍ରାସ ଓ କଲିକତାରେ ଉଚ୍ଚଶିକ୍ଷା ଲାଭ କରି ବି.ଏ. ବି.ଏଲ୍‍ ପାସ କରିିଥିଲେ । ଏହା ପରେ ବ୍ରହ୍ମପୁର ସହରରେ ଓକିଲାତି ବ୍ୟବସାୟ ଆରମ୍ଭ କରି ବେଶ୍‍ ନାଆଁ କମେଇଲେ । ଲାଲମୋହନ ପଟ୍ଟନାୟକ ଭି.ଭି.ଗିରି., ସାର୍‍ ପର୍ଶୁରାମ ପାତ୍ର, ବିଶ୍ୱନାଥ ଦାସ, ଲିଙ୍ଗରାଜ ପାଣିଗ୍ରାହୀ ଓ ରାମକୃଷ୍ଣ ରଥ ଥିଲେ ତାଙ୍କର ସହକର୍ମୀ ଓକିଲ । ସେ ୧୦ ବର୍ଷ ଓକିଲାତି କରିିଥିଲେ । ତାପରେ ୧୯୨୧ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଲେ । ଏହା ସହିତ ଓଡ଼ିଆ ଆନ୍ଦୋଳନରେ ମଧ୍ୟ ସେ ସକ୍ରିୟ ଅଂଶ ଗ୍ରହଣ କରିିଥିଲେ । ଏହି ସମୟରେ ସେ ଖ୍ରୀଷ୍ଟଧର୍ମ ପ୍ରତି ଆକୃଷ୍ଟ ହୋଇ ଖ୍ରୀଷ୍ଟଧର୍ମ ଗ୍ରହଣ କଲେ । ୧୯୪୪ ମସିହାରେ ଖ୍ରୀଷ୍ଟୀୟ ମିଶନାରୀ କାର୍ଯ୍ୟ ପାଇଁ ସେ ବ୍ରହ୍ମପୁର ଓ କଟକରେ ଅବସ୍ଥାନ କଲେ । ଦ୍ୱିତୀୟ ସାଧାରଣ ନିର୍ବାଚନରେ ସେ ଓଡ଼ିଶା ଖ୍ରୀଷ୍ଟିଆନ ସଂରକ୍ଷଣ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବରେ ବିଜୟ ଲାଭ କଲେ । ସେ ଥିଲେ ଖ୍ରୀଷ୍ଟିଆନ୍‍ ଶିକ୍ଷା ପରିଷଦର ସଭାପତି, ଜେଲ ରିଫର୍ମ କମିଟିର ଅଧ୍ୟକ୍ଷ । ସେ ଓଡ଼ିଆ ଭକ୍ତି ସଙ୍ଗୀତ ଗାଇବା ଓ ଶୁଣିବାପାଇଁ ଭାରି ଭଲ ପାଉଥିଲେ । 'ରିସରେକ୍ଟେଡ ଓଡ଼ିଶା' ନାମରେ ଏକ ପୁସ୍ତକ ରଚନା କରି ସେଥିରେ ଓଡ଼ିଶାର ବନ୍ୟା, ପ୍ରାକୃତିକ ବିପର୍ଯ୍ୟୟ, ମହମାରୀ ଏବଂ ଦାରିଦ୍ର୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ପୁସ୍ତକଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ଭାଷାରେ ସେ ଲେଖିଥିଲେ । 'ଜୀବନଚମ୍ପୂ' ଓ 'ବନ୍ଦନା' ନାମରେ ଦୁଇଟି ପୁସ୍ତକ ମଧ୍ୟ ସେ ପ୍ରକାଶ କରିଥିଲେ । ସେ ଥିଲେ ଅତ୍ୟନ୍ତ ମେଳାପୀ ଓ ସାହାଯ୍ୟକାରୀ ବ୍ୟକ୍ତି । ତାଙ୍କ ଜୀବନଟା ପୂରାପୂରି ଶୃଙ୍ଖଳା ମଧ୍ୟରେ ପରିଚାଳିତ ଥିଲା । ତାଙ୍କର ଶୃଙ୍ଖଳାବୋଧକୁ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଖୁବ୍‍ ତାରିଫ୍‍ କରୁଥିଲେ । ସେ ୧୯୫୬ ମସିହା ଫେବ୍ରୁଆରି ୨୭ ତାରିଖରେ ପରଲୋକ ଗମନ କଲେ । ତାଙ୍କ ପରି ଶୃଙ୍ଖଳିତ ଜାତୀୟବାଦୀ ବ୍ୟକ୍ତି ମିଳିବା କଷ୍ଟକର ।

ଏହି ବିଧାନସଭା ଓ ମନ୍ତ୍ରିମଣ୍ଡଳ ସମୟରେ ଦେଶ ସ୍ୱାଧୀନ ହୋଇଥିଲା ।

* * *

୫୨ . ଓଡ଼ିଶା ରାଜନୀତିର ଇତିହାସ