ପୃଷ୍ଠା:Odisha Rajanitira Itihasa.pdf/୫୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଷଷ୍ଠ ପରିଚ୍ଛେଦ
ଓଡ଼ିଶାର ଗଡ଼ଜାତ ରାଜ୍ୟ

ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେଲା । କିନ୍ତୁ ସେଥିରେ ଓଡ଼ିଶାର ଗଡ଼ଜାତ ରାଜ୍ୟଗୁଡ଼ିକ ମିଶିଲେ ନାହିିଁ । ଏହି ଗଡ଼ଜାତଗୁଡ଼ିକର ସଂଖ୍ୟା ଛବିଶ । ସେଗୁଡ଼ିକ ହେଲା, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ତାଳଚେର, ପାଲଲହଡ଼ା, ହିନ୍ଦୋଳ, ଆଠମଲ୍ଲିକ, ଆଠଗଡ଼, ବଣେଇ, ବାମଣ୍ଡା, ନୀଳଗିରି, ତିଗିରିଆ, ବଡ଼ମ୍ବା, ନରସିଂହପୁର, ଦଶପଲ୍ଲା, ଖଣ୍ଡପଡ଼ା, ନୟାଗଡ଼, ରଣପୁର, କଳାହାଣ୍ଡି, ସୋନପୁର, ପାଟଣା, ବୌଦ୍ଧ, ଗାଙ୍ଗପୁର, ରେଢ଼ାଖୋଲ, ଷଢେ଼ଇକଳା ଓ ଖରସୁଆଁ ।

ଇଂରେଜମାନେ ୧୮୦୩ ମସିହା ଅକ୍ଟୋବର ଚାରି ତାରିଖରେ ମରହଟ୍ଟାମାନଙ୍କ ହାତରୁ ଓଡ଼ିଶାର ଶାସନଭାର ଗ୍ରହଣ କଲେ । କର୍ଣ୍ଣେଲ ହାର୍କୋଟ ଓ ମିଲବିନ୍‍ ସାହେବ ଇଷ୍ଟଇଣ୍ଡିଆ କମ୍ପାନୀର ପ୍ରଥମ କମିଶନର ଭାବରେ ନିଯୁକ୍ତି ପାଇ କଟକଠାରେ ଅବସ୍ଥାନ କଲେ । ସେମାନେ ସର୍ବପ୍ରଥମେ ଏକ ଘୋଷଣାପତ୍ର ଦ୍ୱାରା ଓଡ଼ିଶାର ରାଜା, ଜମିଦାର ଆଦିଙ୍କୁ ଇଂରେଜ ସରକାରର ବଶ୍ୟତା ସ୍ୱୀକାର କରିବାପାଇଁ ଓ ଇଂରେଜ ସରକାରକୁ ରାଜସ୍ୱ ପ୍ରଦାନ କରିବାପାଇଁ ନିର୍ଦ୍ଦେଶ ପ୍ରଦାନ କଲେ । ଏଥିନିମନ୍ତେ ଇଂରେଜ ସରକାର ସହ ଚୁକ୍ତି କରିବାପାଇଁ ଏକ ଚୁକ୍ତିନାମା ଫର୍ମର ନକଲ ମଧ୍ୟ ପଠାଇଦେଲେ । କଟକକୁ ଆସି ଶୀଘ୍ର ଚୁକ୍ତିପତ୍ର ସ୍ୱାକ୍ଷର କରିବାପାଇଁ କଡ଼ା ନିର୍ଦେଶ ପ୍ରଦାନ କଲେ । ଗଡ଼ଜାତ ରାଜାମାନେ ଇଂରେଜ ସରକାର ବିରୁଦ୍ଧରେ ସ୍ୱର ଉତ୍ତୋଳନ ନକରି ଇଂରେଜମାନଙ୍କ ଅଧୀନରେ ରହିବାପାଇଁ ରାଜି ହୋଇ ଇଂଜେମାନଙ୍କର ବଶ୍ୟତା ସ୍ୱୀକାର କଲେ ।

୧୮୦୪ ମସିହାରେ କଟକଠାରେ ଇଂରେଜମାନଙ୍କ ତରଫରୁ କର୍ଣ୍ଣେଲ ହାର୍କୋଟ ଓ ଜନ ମିଲ୍‍ବିନ୍‍ ଓଡ଼ିଶାର ଗଡ଼ଜାତ ରାଜାମାନଙ୍କର ଏହି ଚୁକ୍ତିପତ୍ରରେ ଦସ୍ତଖତ କଲେ । ଗଡ଼ଜାତ ରାଜାମାନେ ଜଣ ଜଣ କରି ଚୁକ୍ତିପତ୍ର ସ୍ୱାକ୍ଷରକରି ନିଜ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରି ସ୍ଥାୟୀ ଭାବରେ ନିଜ ରାଜ୍ୟର ଶାସନ ପରିଚାଳନା କଲେ । ଏହା ପୂର୍ବରୁ ଏହି ରାଜାମାନେ ନିଜ ନିଜ