ପୃଷ୍ଠା:Odisha Rajanitira Itihasa.pdf/୬୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନୀଳଗିରି ରାଜ୍ୟ ଛୋଟନାଗପୁରର ରାଜପୁତ୍ରଙ୍କଦ୍ୱାରା ୧୧୨୫ ମସିହାରେ ପ୍ରତିଷ୍ଠିତ । ସେହି ରାଜପୁତ୍ର ଉତ୍କଳସମ୍ରାଟ ପ୍ରତାପରୁଦ୍ର ଦେବଙ୍କ କନ୍ୟାଙ୍କ ପାଣିଗ୍ରହଣ କରି ଏହି ରାଜ୍ୟକୁ ଯୌତୁକ ଆକାରରେ ଲାଭକରି ରାଜ୍ୟର ପ୍ରଥମ ରାଜା ଭାବରେ ପରିଚିତ ହୋଇଥିଲେ । ଏ ରାଜ୍ୟର କ୍ଷେତ୍ରଫଳ ୨୮୪ ବର୍ଗମାଇଲ । ୨୯୧ ଗ୍ରାମ ଏହି ରାଜ୍ୟର ଅନ୍ତର୍ଭୁକ୍ତ । ନୀଳଗିରି ଏ ରାଜ୍ୟର ରାଜଧାନୀ । ନୀଳଗିରିର ଶେଷ ସ୍ୱାଧୀନ ରାଜା କିଶୋର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ୧୯୦୪ ମସିହା ଫେବ୍ରୁଆରି ୨ ତାରିଖରେ ଜନ୍ମ ଲାଭକରି ୧୯୧୩ ଜୁଲାଇ ମାସ ୬ ତାରିଖରେ ସିଂହାସନ ଲାଭ କରିିଥିଲେ । ଏ ରାଜ୍ୟରେ ସେମିତି କିଛି ଆଖିଦୃଶିଆ ଉନ୍ନତି ହୋଇ ନଥିଲା । କିନ୍ତୁ ରାଜା ଥିଲେ ଜଣେ ଉଚ୍ଚମନା ଓ ପ୍ରଜାହିତୈଷୀ ।

ରେଢ଼ାଖୋଲ ରାଜ୍ୟ ପ୍ରଥମେ ସମ୍ବଲପୁର ଅଧୀନ ଜମିଦାରୀ ଥିଲା । ପରେ ସ୍ୱାଧୀନ ହେଲା । 'ପଦ୍ମ' ଏହି ରାଜ ବଂଶର ସନ୍ତକ । ଏ ରାଜ୍ୟର କ୍ଷେତ୍ରଫଳ ୮୩୩ ବର୍ଗମାଇଲ । ଗ୍ରାମ ସଂଖ୍ୟା ୩୧୨ ।

ଦଶପଲ୍ଲା ରାଜ୍ୟ ପ୍ରଥମେ ବୌଦ୍ଧ ରାଜ୍ୟ ଅନ୍ତର୍ଭୁକ୍ତ ଥିଲା । ବୌଦ୍ଧର ଶାଳଭଞ୍ଜ ନାମକ ଜଣେ ରାଜପୁତ୍‍ ପାଞ୍ଚଶହ ବର୍ଷ ତଳେ ଏହି ରାଜ୍ୟକୁ ସ୍ୱାଧୀନ କଲେ । ଦଶପଲା ରାଜବଂଶ 'ଭଞ୍ଜ' ନାମରେ କଥିତ । ରାଜବଂଶର ସଙ୍କେତ ମୟୂର । କଥିତ ଅଛି ଯେ ଏହି ବଂଶର ପ୍ରଥମରାଜା ଏକ ମୟୂରଡ଼ିମ୍ବରୁ ଜାତ ହୋଇଥିଲେ । ରାଜ୍ୟର ଶେଷ ସ୍ୱାଧୀନ ରାଜା କିଶୋର ଚନ୍ଦ୍ର ଦେବଭଞ୍ଜ । ସେ ୧୯୦୮ ଏପ୍ରିଲ ୧୬ ତାରିଖରେ ଜନ୍ମଗ୍ରହଣକରି ୧୯୧୩ ମସିହା ଡ଼ିସେମ୍ବର ୧୩ ତାରିଖରେ ଗାଦି ପାଇଥିଲେ । ଶ୍ରୀଜଗନ୍ନାଙ୍କ ରଥ ନିର୍ମାଣପାଇଁ ପ୍ରତିବର୍ଷ ଏ ରାଜ୍ୟରୁ କାଠ ପ୍ରେରଣ କରାଯାଏ ।

ବଡ଼ାମ୍ବା ରାଜ୍ୟ ୧୩୦୫ ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠିତ ହୋଇଥିଲା । ଓଡ଼ିଶାର ରାଜା କିଶୋର ନରସିଂହ ଦେବ ଏହି ଅଂଚଳର ହଟକେଶ୍ୱର ରାଉତ ନାମକ ଜଣେ ମଲ୍ଲଙ୍କ ଯୁଦ୍ଧବିଦ୍ୟାରେ ସନ୍ତୁଷ୍ଟ ହୋଇ ତାଙ୍କୁ ଶଙ୍ଖ ଓ ମହୁରୀ ନାମରେ ଦୁଇଟି ଗ୍ରାମ ପୁରସ୍କାର ସ୍ୱରୂପ ଦେଇଥିଲେ । ହଟକେଶ୍ୱର କନ୍ଧମାନଙ୍କୁ ହଟାଇ ଏହି ରାଜ୍ୟ ବସାଇଲେ । ତାଙ୍କର ସାନ ଭାଇ ମାଳକେଶ୍ୱର ରାଉତ ତାଙ୍କ ପରେ ରାଜା ହୋଇ ଓଗାଲପୁରଠାରେ ଭଟ୍ଟାରିକା ବା ବୃହଦମ୍ବା ଅବା ବଡ଼ମ୍ବା ଦେବୀଙ୍କ ମନ୍ଦିର ଆବିଷ୍କାର କଲେ । ଦେବୀଙ୍କ ନାମ ଅନୁସାରେ ଏହି ରାଜ୍ୟର ନାମ 'ବଡ଼ାମ୍ବା' ହୋଇଛି । ବଡ଼ାମ୍ବାର ଶେଷ ସ୍ୱାଧୀନ ରାଜା ନାରାୟଣ ଚଦ୍ର ବୀରବର ମଙ୍ଗରାଜ ମହାପାତ୍ର । ସେ ୧୯୧୪ ମସିହା ଜାନୁଆରି ୧୦ ତାରିଖରେ ଜନ୍ମ ଗ୍ରହଣ କରି ୧୯୨୨ ମସିହା ଅଗଷ୍ଟ ୨୦ ତାରିଖରେ ଗାଦି ଲାଭ କରିଥିଲେ । ଏ ରାଜ୍ୟର କ୍ଷେତ୍ରଫଳ ୧୪୨ ବର୍ଗମାଇଲ । ଗ୍ରାମସଂଖ୍ୟା ୧୨୭ । ମାଣିଆବନ୍ଦି ଲୁଗା ଏ ରାଜ୍ୟର ପ୍ରସିଦ୍ଧ ହସ୍ତକଳା ଭାବରେ ଖ୍ୟାତ ।

ପାଲଲହଡ଼ା ରାଜ୍ୟ ଅଷ୍ଟାଦଶ ଶତାବ୍ଦୀ ପୂର୍ବରୁ ସନ୍ତୋଷ ପାଳ ନାମରେ ଜଣେ ବ୍ୟକ୍ତି ପ୍ରତିଷ୍ଠା କରିଥିଲେ । ପୂର୍ବେ ଏହି ରାଜ୍ୟ କେନ୍ଦୁଝର ସହ ମିଶି କରିଥିଲା । ଏ ରାଜ୍ୟର ରାଜାମାନେ ରାଜଚିହ୍ନ ସ୍ୱରୂପ 'ସର୍ପ' ଛବି ବ୍ୟବହାର କରନ୍ତି । ଏ ରାଜ୍ୟର କ୍ଷେତ୍ରଫଳ ୪୫୨ ବର୍ଗମାଇଲ । ଗ୍ରାମ ସଂଖ୍ୟା

୬୪ . ଓଡ଼ିଶା ରାଜନୀତିର ଇତିହାସ