ପୃଷ୍ଠା:Odisha Rajanitira Itihasa.pdf/୭୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରେ ସେ କେନ୍ଦ୍ର ମନ୍ତ୍ରିପରିଷଦରେ ଯୋଗଦାନ କରି ଘରୋଇ, ଆଇନ୍‍ ଓ ବୈଦେଶିକ ବିଭାଗର ଦାୟିତ୍ୱରେ ରହିଲେ । କିଛି ଦିନପାଇଁ ମଧ୍ୟ ସେ ଦେଶରକ୍ଷା ବିଭାଗ ଦାୟିତ୍ୱରେ ଥିଲେ । ଏହା ପରେ କିଛି ଦିନ ପାଇଁ ମଧ୍ୟ ସେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଅବସ୍ଥାପିତ ହୋଇଥିଲେ । ଏହି ପଦବୀରୁ ଅବ୍ୟାହତି ନେବା ପରେ ସେ ଏହ୍ଲାବାଦ ଚାଲିଆସି ଜୀବନର ଶେଷଭାଗ ଅତିବାହିତ କରିଥିଲେ । ୧୯୬୮ ମସିହା ଫେବ୍ରୁଆରି ମାସରେ ତାଙ୍କର ମୃତ୍ୟୁ ହେଲା ।

ଓଡ଼ିଶାର ପ୍ରାଦେଶିକ ବିଧାନସଭା ପାଇଁ ୧୯୪୬ ମସିହାରେ ଅନୁଷ୍ଠିତ ନିର୍ବାଚନରେ ୫୬ ଜଣ ସଭ୍ୟ ନିର୍ବାଚିତ ହୋଇଥିଲେ ଓ ୪ ଜଣ ସଭ୍ୟ ମନୋନୀତ ହୋଇଥିଲେ । ଏହିପରି ଥିଲେ ୬୦ ଜଣ ସଭ୍ୟ । ଓଡ଼ିଶା ପ୍ରଦେଶରେ ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ଘଟିବାରୁ ୩୧ ଜଣ ସଭ୍ୟ ମନୋନୀତ ହୋଇଆସିଲେ ମାନ୍ୟବର ରାଜ୍ୟପାଳଙ୍କ ଦ୍ୱାରା । ଓଡ଼ିଶା ବିଧାନସଭାର ସଭ୍ୟ ସଂଖ୍ୟା ହେଲା ୯୧ । ଏହି ନବଗଠିତ ବିଧାନସଭାର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଲା ଭୁବନେଶ୍ୱରର ସର୍ଦ୍ଦାର ପଟେଲ ହଲରେ ୧୯୪୯ ମସିହା ଅକ୍ଟୋବର ମାସର ୧୦ ରୁ ୧୨ ତାରିଖ ଯାଏ । ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଏମ୍‍. ଆସଫ୍ଅଲ୍ଲୀ ଅଧିବେଶନରେ ଉଦ୍‍ବୋଧନ ଦେଇଥିଲେ । ଏହା ଥିଲା ନୂଆ ରାଜଧାନୀ ଭୁବନେଶ୍ୱରଠାରେ ଓଡ଼ିଶା ବିଧାନସଭାର ପ୍ରଥମ ଅଧିବେଶନ ।

ଏହି ସମୟରେ କେନ୍ଦ୍ରରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହେଲା । ସେଥିପାଇଁ ଗୋଟିଏ କାର୍ଯ୍ୟକାରୀ ସଂସଦ ଗଠନ କରାଗଲା । ଏଥିପାଇଁ ଓଡ଼ିଶାର ପ୍ରତିନିଧି ଥିଲେ- ବିଶ୍ୱନାଥ ଦାସ, ନନ୍ଦକିଶୋର ଦାସ, ଭୁବନାନନ୍ଦ ଦାସ, କୁଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ, ବିଜୟ କୁମାର ପାଣି, ଜଗନ୍ନାଥ ଦାସ, ଜଗନ୍ନାଥ ମିଶ୍ର, ମୌଲବୀ ମହମ୍ମଦ ହନିଫ୍‍, ମୋତିଲାଲ ପଣ୍ଡିତ, ମହେଶ୍ୱର ନାୟକ, ଯୁଧିଷ୍ଠିର ମିଶ୍ର, ସାରଙ୍ଗଧର ଦାସ, ଏନ୍‍.ମାଧବ ରାଓ ଓ ଲାଲା ରାଜ କନଓ୍ୱାର ।

ଏହି ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କୁ କେନ୍ଦ୍ରକୁ ନେଇଯିବା ପାଇଁ ପଣ୍ଡିତ ଜବାହରଲାଲ ନେହେରୁ ସମ୍ପୂର୍ଣ୍ଣ ଭାବରେ ସ୍ଥିର କରିନେଲେ । ଏହାର କେତେଗୁଡ଼ିଏ କାରଣ ଥିଲା । ସେଗୁଡ଼ିକ ହେଲା:

ହରେକୃଷ୍ଣ ମହତାବ ଅହମ୍ମଦ ନଗର ଫୋର୍ଟରେ ବନ୍ଦୀ ଥିଲେ । ସେଠାରେ ତାଙ୍କ ସହ ଥିଲେ ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ମୌଲାନା ଅବୁଲ କାଲାମ୍‍ ଆଜାଦ୍‍ ଆଦି ବିଶିଷ୍ଟ ନେତୃବର୍ଗ । ଏମାନେ ଦୀର୍ଘ ତିନିବର୍ଷରୁ ଅଧିକ କାଳ ଏହି ଜେଲ୍‍ରେ ବନ୍ଦୀ ହୋଇ ରହିିଥିଲେ । ସେମାନେ ପରସ୍ପର ମଧ୍ୟରେ ନିବିଡ଼ ବନ୍ଧୁତାରେ ଛନ୍ଦି ହୋଇଯାଇଥିଲେ । ଦେଶ ସ୍ୱାଧୀନ ହେବା ପରେ ନେହେରୁ, ପଟେଲ ଓ ଆଜାଦ୍‍ ଶାସନର ଶୀର୍ଷ ସ୍ଥାନରେ ରହିଲେ । ଏମାନଙ୍କର ମହତାବଙ୍କ ସହ ଉତ୍ତମ ସମ୍ପର୍କ ଥିଲା । ମହତାବଙ୍କର ଜ୍ଞାନ, ଗୁଣ, ଗାରିମା ଓ ପାଣ୍ଡିତ୍ୟ ସମ୍ପର୍କରେ ସେମାନେ ଥିଲେ ଖୁବ୍‍ ସଚେତନ ।

୭୮ . ଓଡ଼ିଶା ରାଜନୀତିର ଇତିହାସ