ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୪୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରି ଆଦିବାସୀ, ହରିଜନ ,ଖିରସ୍ତାନ ଓ ମୁସଲମାନ ପ୍ରତ୍ୟେକ ସଂପ୍ରଦାୟର ପିଲାମାନଙ୍କୁ ସେ ନିଜର ପୁଅଝିଅ ପରି ସ୍ନେହ ଅଜାଡ଼ିଦିଅନ୍ତି । ସ୍କୁଲ୍‌ପାଠ ଶେଷ ହେବା ପରେ ମଧ୍ୟ ପୁରାତନ ଛାତ୍ରଟିଏ ଆସିଲେ ସେ କିଛି ବୁଝିବାକୁ ଚାହିଁଲେ ଅମ୍ଳାନ ବଦନରେ ତାର ସନ୍ଦେହ ଦୂର କରନ୍ତି । ଛାତ୍ରମାନେ ଯେତେବେଳେ ତାଙ୍କ ପାଖରୁ କିଛି ବୁଝିବାକୁ ଆସନ୍ତି ଯେତେକାମ ଥାଉ ପଛେ ତାକୁ ପାଠ ବୁଝେଇ ଦିଅନ୍ତି।

ମଝିରେ ସରକାରୀ କର୍ମଚାରୀଙ୍କର କାର୍ଯ୍ୟକାଳ ସୀମା ୫୫ ବର୍ଷକୁ ଧାର୍ଯ୍ୟହେଲା। ଏହି ପର୍ଯ୍ୟାୟରେ ପଡ଼ି ସେ ୧୯୬୦ ମସିହା ଅପ୍ରେଲ ୩୦ ତାରିଖରେ ତାଙ୍କର ହାତଗଢ଼ା ଅତି ପ୍ରିୟ ଅନୁଷ୍ଠାନ ଡ଼ି.ଏନ୍. ହାଇସ୍କୁଲ୍‌ରୁ ସେ ଅବସର ଗ୍ରହଣ କଲେ । ତାଙ୍କର ବିଦାୟକାଳୀନ ସଭା ଯେ କେବଳ ଛାତ୍ରମାନଙ୍କ ମନରେ ଗଭୀର ଦୁଃଖଦ ହୋଇଥିଲା ତା ନୁହେଁ, ଅଧିକାଂଶ ପୁରାତନ ଛାତ୍ର ଓ ଶିକ୍ଷକମାନେ ମଧ୍ୟ ତାଙ୍କ ବିଦାୟରେ ଦୁଃଖାଭିଭୂତି ହୋଇଥିଲେ । ସେ ଥିଲେ କର୍ମଯୋଗୀ, ରଜାଙ୍କ ଅଧୀନରେ ସେ ଚାକିରୀ କରିଥିଲେ ସତ ଦିନେ ହେଲେ ରାଜ ଦରବାରରେ ଯୋଗ ଦେଇ ନ ଥିଲେ । ଏହା ତାଙ୍କର ନିଜସ୍ୱ ସ୍ୱାଭିମାନ ଓ ନିର୍ଭୀକତାର ପ୍ରମାଣ ଦିଏ । ସରକାରୀ ଚାକିରୀରୁ ଅବସର ନେବା ପରେ ସେ ବ୍ରହ୍ମ‌ପୁର କରଞ୍ଜିଆ ହାଇସ୍କୁଲ ଓ ରାଇସୁଆଁ ହାଇସ୍କୁଲରେ ପ୍ରାୟ ଦଶବର୍ଷ ସଂସ୍କୃତ ଶିକ୍ଷକ ଭାବେ କାର୍ଯ୍ୟ କରି ସେଇ ଦୁଇଗୋଟି ହାଇସ୍କୁଲକୁ ଆଦର୍ଶ ଶିକ୍ଷାନୁଷ୍ଠାନଭାବେ ଗଢ଼ିପାରିଥିଲେ ।

କେବଳ ଶିକ୍ଷାନୁଷ୍ଠାନରେ ନୁହେଁ ସ୍କୁଲ୍ ବାହାରେ ସାଂସ୍କୃତିକ ଅନୁଷ୍ଠାନରେ ସେ ମଧ୍ୟ ସକ୍ରିୟ ସହଯୋଗ କରିବାରେ କୁଣ୍ଠା ପ୍ରକାଶ କରିନାହାନ୍ତି । ୧୯୩୬ ମସିହାରେ କେନ୍ଦୁଝରରେ ଗଠିତ ସାହିତ୍ୟ ଅନୁଷ୍ଠାନ 'ବଳଭଦ୍ର ସାହିତ୍ୟ ସଂଘ'ର ସେ ଥିଲେ ଜଣେ ସକ୍ରିୟ ସଦସ୍ୟ ତଥା ଅନୁଷ୍ଠାନର ସହ-ସଂପାଦକ । କରଞ୍ଜିଆ ସ୍କୁଲ୍‌ରେ ସେ ଯେଉଁ ପନିପରିବା ବଗିଚା କରାଇଥିଲେ ତାଙ୍କ ଆସିବ ପରେ ତାହା ଉଜୁଡ଼ି ଗଲା । ଗିବ୍‌ସନ୍ ହାଇସ୍କୁଲରେ ରୁଟିନ କରିବା ନିଶ୍ଚିତ ଭାବେ ଜଣେ ଅଭିଜ୍ଞ ତଥା ବିଜ୍ଞ ଶିକ୍ଷକଙ୍କର କାମ । କିନ୍ତୁ ପଣ୍ଡିତେ ସବୁ ଦିଗକୁ ବିଚାର କରି ସମସ୍ତ ଶିକ୍ଷକମାନଙ୍କ ସୁବିଧା ଅସୁବିଧା କଥାକୁ ପାଶୋରି ନ ଦେଇ ରୁଟିନ ତିଆରି କରିଦେଇ ପାରୁଥିଲେ । ଅଫିସ୍‌ରେ ଅନେକ ଫାଇଲ କାମ ସେ ତୁଲାଇ ଦେଉଥେଲେ । ଯେତେ କିଟିମିଟିଆ ତଥ୍ୟ ଉପରିସ୍ଥ କର୍ମଚାରୀ ଚାହିଁଥାନ୍ତୁ ନା କାହିଁକି ପଣ୍ଡିତଙ୍କୁ ତାର ଉତ୍ତର ଦେବାରେ ବେଶୀ ସମୟ ଲାଗୁ ନଥିଲା ।

୧୨୮