ପୃଷ୍ଠା:Odishara Itihas.pdf/୧୬୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୪୭
ଅଷ୍ଟମ ଅଧ୍ୟାୟ ।

ଦେଶରୁ କେତେକ କୁସଂସ୍କାର ଦୂରୀକରଣାର୍ଥ ସେମାନଙ୍କର ଚେଷ୍ଟା ମଧ୍ୟ ପ୍ରଶଂସାର ଯୋଗ୍ୟ ଅଟେ ।

ଗବର୍ଣ୍ଣର ଜେନେରଲ ଓ ଲେଫ୍‌ଟନେଣ୍ଟ ଗବର୍ଣ୍ଣର-୧୮୨୮ ମସିହାରୁ ୧୮୩୫ ମସିହା ପର୍ଯ୍ୟନ୍ତ ଲର୍ଡ ବେଣ୍ଟିକ ଗବର୍ଣ୍ଣର ଜେନରଲ ପଦ ଧାରଣ କରିଥିଲେ । ତାଙ୍କ ଶାସନ ସମୟରେ ସହମରଣ ପ୍ରଥା ରହିତ ହୋଇଥିଲା । କଲିକତାରେ ପ୍ରଥମ ବ୍ରାହ୍ମସମାଜ ସଂସ୍ଥାପିତ ହେଲା (୧୮୨୯) । ଇଂରାଜୀ ଶିକ୍ଷା ପ୍ରଚାର ପ୍ରତି ବିଶେଷ ଦୃଷ୍ଟି ନିକ୍ଷିପ୍ତ ହେଲା । ମଧ୍ୟ ଡ଼େପୁଟୀକଲେକ୍‌ଟରୀ ଓ ପ୍ରଧାନ ସଦରଅମିନୀ ପଦମାନ ସୃଷ୍ଟି ହୋଇ ସେ କାର୍ଯ୍ୟମାନ ଦେଶୀୟ ଲୋକେ ପାଇବାର ସ୍ଥିର ହେଲା । ତଦନନ୍ତର ବର୍ଷେ କାଳ ମେଟକାଫ୍ ସାହେବ ଗବର୍ଣ୍ଣର ଜେନରଲ ହୋଇ ମୁଦ୍ରାଯନ୍ତ୍ରର ସ୍ୱାଧୀନତା ସଂସ୍ଥାପନ କଲେ । ତହିଁଉତ୍ତାରୁ ଲର୍ଡ ଅକ୍‌ଲେଣ୍ଡ, ଲର୍ଡ ଏଲେନ୍‌ବରା, ଲର୍ଡ ହାର୍ଡ଼ିଞ୍ଜ (୧୮୩୬-୧୮୪୮) ଭିନ୍ନ ଭିନ୍ନ ସମୟରେ ଗବର୍ଣ୍ଣର ଜେନରଲର ପଦ ଧାରଣ କରିଥିଲେ । ସେମାନଙ୍କ ଉତ୍ତାରୁ ୧୮୪୮ ମସିହାରେ ଲର୍ଜ ଡ଼େଲହାଉସୀ ଗବର୍ଣ୍ଣର ହେଲେ । ତାଙ୍କ ସମୟରେ କଲିକତା ବିଶ୍ୱବିଦ୍ୟାଳୟ ସ୍ଥାପନ, ସ୍କୁଲମାନଙ୍କରେ ଅର୍ଥସାହାଯ୍ୟ ପ୍ରଣାଳୀ ପ୍ରବର୍ତ୍ତନ ଓ ସ୍ତ୍ରୀଶିକ୍ଷାର ଚେଷ୍ଟା ହୋଇଥିଲା; ମଧ୍ୟ ଡ଼ାକ ବିଭାଗ ସ୍ଥାପନ ଓ ବିଧବା ବିବାହ ବ୍ୟବସ୍ଥା ବିଧିବଦ୍ଧ ହୋଇଥିଲା । ତାଙ୍କ ଉତ୍ତାରୁ ଲର୍ଡ କେନିଂ ଗବର୍ଣ୍ଣର ହେଲେ (୧୮୫୬) । ତାଙ୍କ ଶାସନ ସମୟରେ ସିପାହୀ ବିଦ୍ରୋହ ଘଟିଥିଲା ଓ ମହାରାଣୀ ସ୍ୱୟଂ କମ୍ପାନିଙ୍କ ହସ୍ତରୁ ଶାସନଭାର ଗ୍ରହଣ କରିଥିଲେ । ତାଙ୍କଦ୍ୱାରା ଭାରତବର୍ଷୀୟ ଦଣ୍ଡବିଧି, ଦେବାନୀ ଓ ଫଉଜଦାରୀ ଓ ଭୂମିସଂକ୍ରାନ୍ତ ୧୦ ଆଇନ ପ୍ରଚଳିତ ହୋଇଥିଲା । ତଦନନ୍ତର ଲର୍ଡ ଏଲଗିନ୍ ଓ ସର୍ ଉଇଲିୟମ ଡେନିସନ, ସର୍ ଜନ୍ ଲରେନ୍‌ସ ଓ ଲର୍ଡ ମେଓ ଭାରତରେ ଗବର୍ଣ୍ଣର ଜେନେରଲ ଓ ରାଜପ୍ରତିନିଧି ପଦ ଧାରଣ କରି ଶାସନ ଚଲାଇଥିଲେ । ଲର୍ଡ ମେଓ ଅଣ୍ଡାମାନ ଦ୍ୱୀପ ହୋଇ ଓଡ଼ିଶାକୁ ଆସିବାପାଇଁ ଯତ୍ନ କରୁଥିବା ସମୟରେ ଜଣେ ନିର୍ବାସିତ ମୁସଲମାନର ଛୁରିକାଘାତରେ ୧୮୭୨ ମସିହା ୮ ତାରିଖ ଫେବ୍ରୁଆରୀ ଦିନ ମାନବଲୀଳା ସମ୍ବରଣ କଲେ । ଲର୍ଡ଼ ମେଓଙ୍କ ମୃତ୍ୟୁ ଉତ୍ତାରୁ, ଲର୍ଡ ନର୍ଥବୃକ୍ ୧୮୭୬ ମସିହା ପର୍ଯ୍ୟନ୍ତ ଗବର୍ଣ୍ଣର ଜେନରଲ ଥାଇ ଏହି ବର୍ଷ ବିଲାତ ଯାଇଅଛନ୍ତି । ମହାରାଣୀଙ୍କ ଜ୍ୟେଷ୍ଠପୁତ୍ରଙ୍କର ଭାରତାଗମନ ନର୍ଥବୃକଙ୍କ ଶାସନ ସମୟର ସର୍ବପ୍ରଧାନ ଘଟନା । ବର୍ତ୍ତମାନ୍ ଲର୍ଡ ଲିଟନ ତାଙ୍କ କାର୍ଯ୍ୟରେ ନିଯୁକ୍ତ ହୋଇଅଛନ୍ତି ।