ପୃଷ୍ଠା:Prachina Odia Kabita.pdf/୧୧୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୦
ପ୍ରାଚୀନ ଓଡ଼ିଆ କବିତା
 

ଜଗନ୍ନାଥ କହୁଛନ୍ତି ଏମନ୍ତ କରିବୁ
ମାଣେ ମାଣେ ପଡ଼ି ତୋତେ ନିତ୍ୟ ଦେଉଥିବୁ । ।୧୪୦।
ଭାଇଙ୍କୁ ବୁଝାଇ ପଛେ ତୁମ୍ଭଙ୍କୁ ଆଣିବୁଁ
ଭାଇଙ୍କ ଆଜ୍ଞା ଅବଜ୍ଞା କେଭେ ନ କରିବୁଁ ।
ଲକ୍ଷ୍ମୀଦେବୀ କହନ୍ତି ପଡ଼ିରେ କାର୍ଯ୍ୟ ନାହିଁ
ଅନାଥ ଅରକ୍ଷ ପ୍ରାୟେ ଯାଉଅଛି ମୁହିଁ ।
ରାଣ୍ଡୀ ଅଲକ୍ଷଣୀ ଝିଅ ମୁହିଁ ଯେ ନୁହଇ
ପିତାଙ୍କ ଘରକୁ ମୁଁ ଯେ ବାହାରି ଯିବଇଁ ।
ତୁମ୍ଭ ଅଳଙ୍କାରମାନ ପ୍ରଭୁ କାଢ଼ି ନିଅ
ପଛରେ ମୋତେ ଯେ ଆଉ ବୋଲଣା ନ ଦିଅ ।
ଗୋବିନ୍ଦ ବୋଲନ୍ତି ଲକ୍ଷ୍ମୀ ହୋଇଲ କି ବାଇ
ଅଙ୍ଗୁ ଅଳଙ୍କାର ଆମ୍ଭେ ନେବୁ କାହିଁ ପାଇଁ । ।୧୫୦।
ଭାରିଯାର ଅଙ୍ଗେ ଯେଉଁ ଅଳଙ୍କାର ଥାଏ ।
ସ୍ୱାମୀ ହୋଇ ତାହାଠାରୁ କାଢ଼ିଣ କି ନିଏ ।
ଠାକୁରାଣୀ କହୁଛନ୍ତି ଶ୍ରୀମୁଖକୁ ଚାହିଁ
ତୁମ୍ଭର ଅଟଇ ମୁଁ ଯେ ପ୍ରଥମ ବିବାହୀ ।
ପଛରେ କହିବ ଲକ୍ଷ୍ମୀ ଆମ୍ଭ ଘରେ ଥିଲା
ସହସ୍ର ଟଙ୍କାର ଅଳଙ୍କାର ଘେନି ଗଲା ।
ଏମନ୍ତ ଅଖ୍ୟାତି ମୋତେ ନ ଦିଅ ଗୋସାଇଁ
ତୁମ୍ଭ ଅଳଙ୍କାରମାନ ନିଅ ବାହୁଡ଼ାଇ ।
ଶିରରୁ କାଢ଼ିଲେ ଲକ୍ଷ୍ମୀ ମୁକୁତାର ଜାଲି
ହୃଦରୁ କାଢ଼ିଲେ ଇନ୍ଦ୍ର ଗୋବିନ୍ଦ କାଞ୍ଚୁଲି । ୧୬୦ |
ଅଣ୍ଟାରୁ କାଢ଼ିଲେ ମାଏ ରତ୍ନ ଓଢ଼ିଆଣୀ
ନାସିକାରୁ କାଢ଼ିଲେ ଯେ ମୁକୁତା ବସଣୀ ।
ଦୁଇ କର୍ଣ୍ଣରୁ କାଢ଼ିଲେ ହୀରାର କୁଣ୍ଡଳ
ଗଳାରୁ କାଢ଼ିଲେ ଯେ ଦୋସରୀ ଚିନାମାଳ |
ପାଦରୁ କାଢ଼ିଲେ ଦେବୀ ବାଜେଣୀ ନୂପୁର
ଅଙ୍ଗରୁ କାଢ଼ିଲେ ମାତ ଝୁଣ୍ଟିଆ ସତ୍ୱର ।