ପୃଷ୍ଠା:Prachina Odia Kabita.pdf/୧୨୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଋଷ୍ୟଶୃଙ୍ଗ ଉପାଖ୍ୟାନ

ବଳରାମ ଦାସ


ଭୋ ଦେବ ଦଶରଥ ନୃପତି ଶିରୋମଣି
ଅପୂର୍ବ କଥାୟେକ ଅଇଲି ଦେବ ଶୁଣି ।
ଚମ୍ପାବତୀ ଦେଶେ ଦେବ ଲମ୍ବପାଦ ରାୟେ
ଇନ୍ଦ୍ର ଅନାବୃଷ୍ଟି ତାହାର ରାଜ୍ୟେ କୟେ ।
ବ୍ରାହ୍ମଣର କୋପେ ନ ପାଳଇ ବାସବ
ତୁ ତାହାର ଅଟୁ ମଇତ୍ର ବାନ୍ଧେବ ।
ପୂର୍ବେଣ ରାଜା ଯେ ଅନେକ ଦାନ ଦେଲା
ୟେକଇ ବ୍ରାହ୍ମଣେକ ଆହୁରି ମାଗିଲ। ।
ତାହାକଇ ରାଜା ବୋଇଲା ଅସ୍ତୁକାର
ଗଳଥି ବ୍ରାହ୍ମଣଙ୍କୁ କଲାକ ବାହାର । ।୧୦।
ଜଣଙ୍କର ଦୋଷେ ସବୁଙ୍କୁ ହିଁ ମନ୍ଦ ବୋଲି
ଥୋକାୟେକ ଦିଜଙ୍କୁ ପକାଇଲା ପେଲି ।
ଅପମାନ ପାଇ ବୋଇଲେ ବିଦୁଜନ
ସମସ୍ତେହେଁ କୋପ କରି ବୋଇଲେ ବଚନ ।
ତୁ ଯେ ନୃପତି ହୋଇ ଆମ୍ଭଙ୍କୁ କୋପ କଲୁ
ଦୋଷ ନ ବିଚାରି ଅନେକ ଦୋଷିଲୁ ।
ଆମ୍ଭେ ଯେବେ ବ୍ରାହ୍ମଣ ବେଦମନ୍ତ୍ର ଜାଣୁ
ଜପତପ ଧ୍ୟାୟେ ଧାରଣ ପରିମାଣୁ ।
ଅଦୋଷେ ଆମ୍ଭଙ୍କୁ କଲୁ ଉପହାସ
ଦେବ ଇନ୍ଦ୍ର ବୃଷ୍ଟି ନ କରୁ ତୋର ଦେଶ । ।୨୦।
ଶାପ୍ୟ ଦେଇ ଗଲେ ବ୍ରାହ୍ମଣ ସକଳ
ଜାଣି ଗୋଡ଼ାଇଲେ ଲମ୍ବପାଦ ମହୀପାଳ |
ଅନେକ କାର୍ପୂଣ୍ୟ ସେ ହୋଇ ବ୍ରାହ୍ମଣଙ୍କୁ ବୋଇଲା
ଭୋ ଦ୍ୱିଜବର ମୋର ଅଭାଗ୍ୟ ହୋଇଲା ।
ମୂର୍ଖପଣେ ନ ଜାଣି କଲି ମୁହିଁ ଦୋଷ
ସେ ଦୋଷ ଛାଡ ତୁମ୍ଭେ ମହତ ପୁରୁଷ ।