ପୃଷ୍ଠା:Prachina Odia Kabita.pdf/୨୧୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୨୦୯
 

ଧୋବା କି ଧୋବ ନ ଖଟିଲା । ତାମ୍ବୁଳି ପାନ କି ନ ଦେଲା ।
ଗଭା କି ନ ଖଟିଲା ମାଳି । କେ ଅବା ତୋତେ ଦେଲା ଗାଳି ।
କି ଅବା କରାଇବି ବିଭା । କାହିଁକି ରୁଷିଅଛୁ ଅବା ।
ଫେଡ଼ି ନ କହୁ କିମ୍ପା ମୋରେ । ରୁଷିଛୁ କେଉଁ ନିମିତ୍ତରେ । ୬୦ ।
ଚାଟୁ ନ ଶୁଣେ ତଅପୋଇ । ଶୋଇଛି ମାନଭର ହୋଇ ।
ସପତ ଭାଇ ଉଠାଇଲେ । ମାତା ହିଁ ଅନେକ କହିଲେ ।
କେବେହେଁ ନ ଉଠଇ ବାଳୀ । କୁଟୁମ୍ବଯାକ ଶୋଇ ଭାଳି ।
ନୀଳେନ୍ଦ୍ରୀ ନାମେ ସାନବୋହୂ । ତଅପୋଇର ପ୍ରିୟ ସେହୁ ।
ସେ ବୋହୂ ଅନେକ କହିଲା । ତାହାର ବଚନେ ଉଠିଲା ।
ବୋଇଲା ବାପାକୁ କହିବୁ । ସୁବର୍ଣ୍ଣ ଚାନ୍ଦ ମୋତେ ଦେବୁ ।
ନ ଦେଲେ ନ ଖାଇବି ଭାତ । ତୋ ଆଗେ କହିଲି ମୁଁ ସତ ।
ଶୁଣି ସମସ୍ତେ ତୋଷ ହେଲେ । ଝିଅକୁ ସମସ୍ତେ ବୋଇଲେ ।
ଏ ଛାର କଥାକୁ ଗୋ ମାୟେ । ଶୋଇଛୁ ନ ମିଳିଲା ପ୍ରାୟେ ।
କାଲି ଭିତରେ ଗଢାଇବି । ପନ୍ଦର ଦିନେ ଚାନ୍ଦ ଦେବି । ୭୦ ।
ଶୁଣି ଉଷତ ତଅପୋଇ । ଭୂଞ୍ଜିଲା ମାତା କୋଳେ ଯାଇ ।
ଏମନ୍ତ ରଜନୀ ପାହିଲା । ସାଧବ ବିନ୍ଧାଣୀ ଆଣିଲା ।
ସାଧବ ସାଧବାଣୀ ବସି । ଗଢ଼ାନ୍ତି ସୁବର୍ଣ୍ଣର ଶଶୀ ।
ଚାରୁ ପାରୁଶେ ବସି ହୀରା । ଚନ୍ଦ୍ରକୁ ବେଢିଛି ସେ ତାରା ।
ଏମନ୍ତ ଦିନାକେତେ ଗଲା । ସାଧବ ଅଧାଚାନ୍ଦେ ମଲା ।
ମାତା ହିଁ ମଲା ପୂରାଚାନ୍ଦେ କୁଟୁମ୍ବଯାକ ଶୋକେ କାନ୍ଦେ ।
କିଛି ଦିବସେ କ୍ରିୟା ସାରି । ବ୍ରାହ୍ମଣ ଜଉତିଷ ବରି ।
ଏମନ୍ତେ କେତେ ଦିନ ଗଲା । ବୋଇତ ପଦାର୍ଥ ସରିଲା ।
ସରିବା ଦେଖି ବିଚାରିଲେ । ବୋଇତ ମେଲିବା ବୋଇଲେ ।
ତନୟ ସାଧବର ସାତ । ସପର ଭାଇ ଗୁଣବନ୍ତ । ୮୦ ।
ବୋଇତ ଘେନି ବଣିଜକୁ । ବିଚାର କଲେ ଯେ ଯିବାକୁ ।
କନିଷ୍ଠ ଭାଇ ବରଗିଲେ । ସାତ ବୋହୂଙ୍କୁ ଡକାଇଲେ ।
ବୋଇଲେ ଅଭାଗ୍ୟ ଆମର । ମଲେ ସେ ଜନନୀ ପିଅର ।
ବୋଇତେ ଯାଉଅଛୁ ଆମ୍ଭେ । ଘର ସମ୍ଭାଳି ଥାଅ ତୁମ୍ଭେ ।
ତଅପୋଈକି ସେବିଥିବ । ଯେମନ୍ତେ ଏହୁ ନ ଝୁରିବ ।