ପୃଷ୍ଠା:Prachina Odia Kabita.pdf/୨୩୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୨୬
ପ୍ରାଚୀନ ଓଡ଼ିଆ କବିତା
 


ପୁଲକିଲା ତନୁ ଶୁଣି ଏ ବାଣୀ
ପ୍ରସନ୍ନ ମୁଖ ବିଘଂସ ନଳିନୀ
ପ୍ରାପତ ନିଧିକି ଦରିଦ୍ର ହସ୍ତ
ପଦ୍ମବନେ କି ଉଦେ ଦିନନାଥ
ପଚାରଇ ନିଶି କେତେ ଗୋ,
ପାଶ ପରିଜନ ନିଦ୍ରାଗଲେ ସ‌ଖି
ସଜ କରାଇବୁ ମୋତେ ଗୋ । ।୨୧।
ଫରୁଣା ହୋଇ ନୀଳ ପାଟେ ପିନ୍ଧି
ଫେଡ଼ି କବରୀ ଆନ କରି ବାନ୍ଧି
ଫାଇ ଅଳଙ୍କାର ଅଙ୍ଗେ ଭୂଷଣ
ଫୁଲ ଚନ୍ଦନ କର୍ପୂର ଖଞ୍ଜିଣ ସେ,
ଫାଇ କୁଙ୍କୁମ ଲେପନ ଯେ,
ଫୁଲ-ଧନୁଶର ରାଜା ସଙ୍ଗେ ଆଜ
ହୋଇବ ସୁରତି ରଣ ଯେ । ।୨୨।
ବେଳ ଜାଣି ବେନି ସଖୀ ବାହାର
ବେଭାରେ ରଜନୀ ଅର୍ଦ୍ଧ ଅନ୍ଧାର
ବୃନ୍ଦାବନେ ବେଗେ ପ୍ରବେଶ ହୋଇ
ବନମାଳୀ ବନମାଳାଏ ନାଇ ଯେ,
ବାଟ ଚାହୁଁଛନ୍ତି ବସି ଯେ,
ବିଧୁବଦନୀକି ନିକଟେ ଦେଖିଣ
ମନ୍ଦ ମନ୍ଦ ହୋଇ ହସି ଯେ । ।୨୩।
ଭେଟ ହୋଇଲେ ସେ ରାଧାମାଧବ
ଭଲା ବଢ଼ିଲା ଖେଦ ନିଦଭାବ
ଭୋଖିଲା ଭୃଙ୍ଗ ଭେଟିଲା ମାଳତୀ
ଭେଟେ ଭେଳକୀ ଲାଗିଲା ଦୁହିଁଙ୍କି ଯେ
ଭେଟାଇ ଦୁତୀ ଅନ୍ତର ଯେ,
ଭୋଗ ସଂଯୋଗେ ଭୋଗ ଅନୁସରିଣ
ଭିଡ଼ିଲେ ଜଗୁ ସୋଦର ଯେ । ।୨୪।