ପୃଷ୍ଠା:Prachina Odia Kabita.pdf/୨୫୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୨୪୯
 

ନାହାକୁ ମାନ କରଇ ସେ କାଳେ
ରୋଷ କରଇ ତୋତେ ଦେଖି ଡୋଳେ
ୟେବେ ତୁ ମୋହୋରି ବୋଲ ନ କରି
ହିମ-କିରଣେ ଗ୍ୟାଂନ ଦେଉ ସାରି
ଶଶୀ ହେ,
ଔଷଧଙ୍କର ତୁମ୍ଭେ ପତି
ମଦନ ରୋଗ ହିଂ ସେ ତୁମ୍ଭେ ବଢ଼ାଅ
କିସ ବୋଲିବି ମୁହିଂ ଯୁବତୀ । ।୧୪।
ଭଲା ପଞ୍ଚବାଣ ବୋଲଇ ମୁହିଂ
ଧନୁବିଦ୍ୟା କିଛି ଶିଖିଛୁ ତୁହି
କୃଶ ତନୁକୁ ତୋର ଧନୁ ବଳ
ବାଣ କମ୍ପାଇଂ ତୁ ବିନ୍ଧୁ ବିଫଳ
କାମ ହେ,
ପୁଣି କିମ୍ପାଇଂ ତୋହର ରୋଷ
ଅବଳାଜନ ଛାରେ କିମ୍ପା ବିନ୍ଧୁଛୁ
ସମ ରିପୁ ମାରି ହୁଅ ସନ୍ତୋଷ । ।୧୫।
ପୁଣି ବୋଲଇ ଆହେ ପଞ୍ଚଶର
କିମ୍ପା ତୁ ପୀଡ଼ୁଛୁ ମୋର ଶରୀର
ନାଥହୀନ ମୁହିଂ ବିରହୀ ନାରୀ
ଅକାରଣେ କାମ ମତେ ନ ମାରି ।
କାମ ହେ,
ରଖସି ବାରେ ମୋର ପରାଣ
ତୋହର ଚରଣେ ଶରଣ ପଶିଲି
ତୁ ଦୟାକର କୁସୁମବାଣ । ।୧୬।
X Χ Χ
ବହେ ମନ୍ଦଗନ୍ଧ ଶୀତ ପବନ
ଲାଗି ବାଳୀମନ ହୋୟେ ଅଗ୍ୟାଂନ