ପୃଷ୍ଠା:Prachina Odia Kabita.pdf/୨୮୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚଉତିଶା
ବୀର ସିଂଘ


କହେ ବୀର ସିଂଘ ଶୁଣ କାୟାର ବିଚାର
କାଳ କମଳ ନିରଞ୍ଜନ ଅଛଇ ୟେକଠାର
କଳା ଧଳା ଲୋହିତ କୁଙ୍କୁମ ଚାରିବର୍ଣ୍ଣ
କହିଦେଲେ ବୀରସିଂଘ ନୋହଇ ୟେ ଗ୍ୟାନ ।୧।
କ୍ଷୀରସିନ୍ଧୁ ମଧ୍ୟରେ ଯେ ଅନନ୍ତ ଶୋୟନ
ଖିନ ନାଳ ପରେ ସିନା ଜୋତି ଦରଶନ
ଖୋଜି ଖୋଜି ଦେଖ ଯେତେ ରଙ୍ଗ ୟେ ବିରଙ୍ଗ
ଖିଦ୍ର କଥା ଗ୍ୟାନ ଯେହ୍ନେ କହେ ବୀରସିଂଘ । ।୨।
ଗୋଲାହାଟ ପରେ ଦେଖ ଅନହତ ଧୁନି
ଗୁପତ କରିଣ ଯାହା ରଖିଛନ୍ତି ମୁନି
ଗତ କଥାମାନ ଯେତେ ଶର୍ବଣରେ ଶୁଣି
ଗ୍ୟାନ ନୋହେ ଶବଦ ୟେ ବୀରସିଂଘ ଭଣି । ।୩।
ଘଟରେ ଯେଉଂ ପୁରୁଷ ଲୀଳା ଆରମ୍ଭିଛି
ଘଟଣ ମୁରତି ନାନା ଆକାର ହୋଇଛି
ଘେନ ତୁ ନଛିନ୍ଦ୍ର ମନେ ଜୀବର ବିଧାନ
ଘୋଷି ବୀରସିଂଘ କହେ ନୋହଇ ୟେ ଗ୍ୟାନ । ।୪।
ଅକାର ଉକାର ଯେ ମକାର ତିନି ଗୁଣ
ଓଁକାର ଉପରେ ମାତ୍ର ବିନ୍ଦୁଟି ପ୍ରମାଣ
ଉତ୍ପତି ଥିତି ପ୍ରଳୟ ସତ ରଜ ତମ
ଉଚାରିଲେ ବୀରସିଂଘ ନୋହଇ ଏ ବ୍ରହ୍ମ । ।୫।
ଚାରିଖାନି ଭିତରେ ଛପନାକୋଟୀ ଛନ୍ତି
ଚିତ୍ର ଯେ ବିଚିତ୍ର ନାନା ଆକାର ହୋଇଛି
ଚିଆଂ ଚଇତନ ବିନ୍ଦୁ କଳ୍ପଣା ୟେ ମାନ
ଚେତି ବୀରସିଂଘ କହେ ନୋହଇ ଏ ଗ୍ୟାନ । ।୬।