ପୃଷ୍ଠା:Prachina Odia Kabita.pdf/୭୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆଉ ଏଣିକିରେ ମନ
ଜଗନ୍ନାଥ ଦାସ

ଆଉ ଏଣିକିରେ ମନ ଭୁଲୁ କାହିଁକି ?
ଉଡ଼ୁଛି କାଳ ଛଞ୍ଚାଣ ମନେ କାହିଁକି ?
ଅଇରି ତୋ କଳ ପଣା ଛେଦିପକା ବେନି ଡ଼େଣା
ଶୂନ୍ୟରେ ବାଜୁଛି ବୀଣା ଶୁଣା ନାହିଁକି ?
ହାଟରେ ପାଞ୍ଚ ପାଇକ ହେଉଛନ୍ତି ଡ଼ାକ‌ହାକ
ହାଟ ସରିଲେ ବଣିକ ଆଉ ଥାଇ କି ?
ସୁନା ପଞ୍ଜରୀରେ ଶୁଆ ଦିନା କେତେ ନୂଆ ନୂଆ
ଉଡ଼ିଗଲେ ଶାରୀ ଶୁଆ ଧରା ପାଇ କି?
ଭ୍ରୂଲତା ମଧ୍ୟରେ ଅନା ତ୍ରିକୂଟେ ଉଡ଼ୁଛି ବାନା
ହଜିଲେ ପରମ ସୁନା ଆଉ ପାଇକି ? ।୧୦।
ଓକାର ମଧ୍ୟରେ ଦେଖ ଓଲଟି ରହିଛି ହଂସ
କ‌ହେ ଜଗନ୍ନାଥ ଦାସ ଅନୁସରି କି?