ପୃଷ୍ଠା:Prachina Odia Kabita.pdf/୯୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୬
ପ୍ରାଚୀନ ଓଡ଼ିଆ କବିତା
 

ଏ ଭାବେ ଯେତେ ଜନ ଥାନ୍ତି । ତାହାଙ୍କୁ ବୋଲି ମହାମତି ।
ଏଣୁ ଏ ସଂସାର ସଙ୍ଗତେ । ପୀରତି ନ କରିବ ଚିତ୍ତେ ।
ଯେବେ କଳ୍ପିବ ମୋହ ପାଶ । କପୋତ ପ୍ରାୟେ ଯିବ ନାଶ ।
ଶୁଣ ରାଜନ ତୋଷ ମନେ | କପୋତ ପକ୍ଷୀ ଘୋର ବନେ ।
କପୋତୀ ସଙ୍ଗେ ସ୍ନେହଭରେ । ଅରଣ୍ୟେ ଗୃହବାସ କରେ ।
କପୋତୀ ସଙ୍ଗେ ଭୋଗ ଆଶେ । ଦୃଢ଼େ ଯନ୍ତ୍ର ତ ମୋହପାଶେ ।
ନିତ୍ୟେ କରନ୍ତି କ୍ରୀଡ଼ାରଙ୍ଗ । ନିମିଷେ ନ ଛାଡ଼ନ୍ତି ସଙ୍ଗ ।
ସ୍ନେହ ବନ୍ଧନ ସଙ୍ଗମେଳେ | କାଳ ବଞ୍ଚନ୍ତି କୁତୂହଳେ ।୯୦।
ସଙ୍ଗବିଚ୍ଛେଦ ତିଳ ମାତ୍ରେ । କେବେହେଁ ନ ଦେଖନ୍ତି ନେତ୍ରେ ।
ଏକତ୍ର ଶୟନ ଭୋଜନେ | ଏ ରୂପେ ବିହରନ୍ତି ବନେ |
କପୋତୀ ଚିତ୍ତେ ଯାହା ସ୍ମରେ । କପୋତ ଆଣଇ ତତ୍ପରେ ।
ସେବକ ପ୍ରାୟ ଆଣି ଦେଇ । ଯାହା ତା' ଘରଣୀ ମାଗଇ ।
ଏମନ୍ତେ କେତେ ଦିନ ଗଲା । କପୋତୀ ଗର୍ଭ ଉପୁଜିଲା ।
କେତେକ ଦିନ ଗର୍ଭେ ରହି । ଜନ୍ମ ହୋଇଲା ଡିମ୍ବ ଦୁଇ ।
ପକ୍ଷୀ ପକ୍ଷିଣୀ ସ୍ନେହ ବଶେ । ଡିମ୍ବ ତାପନ୍ତି ପୁତ୍ର ଆଶେ ।
ପୁଣି ହିଁ କିଛି ଦିନ ଅନ୍ତେ | ଫୁଟି ବାଳକ ଉପୁଜନ୍ତେ ।
ଅତି କୋମଳ ବେନି କାୟେ | ଦେଖି ସାନନ୍ଦ ବାପ ମାଏ ।
ସଭ୍ରମେ କପୋତା କପୋତୀ । ନିରତେ ବାଳକ ପୋଷନ୍ତି । ୧୦୦।
ପୁତ୍ରଙ୍କ କୋମଳ ବଚନ । ଶୁଣନ୍ତେ ମୁଦ୍ରିତ ଲୋଚନ ।
ପତଙ୍ଗ ଦେଇଣ ଆହାର । ପାଳନ୍ତି ହୋଇ ସ୍ନେହଭର ।
ଏମନ୍ତ ବେନି ଶିଶୁ ପାଳି । ପକ୍ଷୀ ସ୍ୱଭାବେ ରୋମାବଳୀ ।
ଉଠନ୍ତେ ବେନି ପୁତ୍ର ଦେହେ । ଦେଖି ସାନନ୍ଦ ବାପ ମାଏ ।
ପାଳନ୍ତି ଅତି ସ୍ନେହଭରେ । ବାଳକ କୋମଳ ଆହାରେ ।
ବିଷ୍ଣୁର ମାୟାବଳେ ଯନ୍ତ୍ରି । ପାଳନ୍ତି କପୋତ କପୋତୀ ।
ଆହାର ଅର୍ଥ ଏକାଦିନେ | ବନେ ପଶିଲେ ବେନି ଜନେ |
ଖୋଜନ୍ତି କୋମଳ ଆହାର । ଏମନ୍ତେ ଶୁଣ ନରବର ।
ପକ୍ଷୀ ବାଳକ ନିଜ ସ୍ଥାନେ । ବ୍ୟାଧ ମିଳିଲା ଘୋରବନେ ।
ବୃକ୍ଷୁ ଉତୁରି ବେନି ବାଳେ । ବନେ ଚରନ୍ତି ବୃକ୍ଷମୂଳେ । ୧୧୦ ।