ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏ ବ‌ହିର କଥା

ପ୍ରତିଦିନ ସକାଳୁ ଉଠିବା ବେଳ ଠାରୁ ରାତିରେ ଶୋଇବା ଯାଏଁ ମଣିଷ କେତେ ଜିନିଷ ବ୍ୟବହାର କରିଥାଏ । ସେଗୁଡ଼ିକ ଆମ ଜୀବନ ସହ ଏତେ ନିବିଡ଼ ଭାବରେ ଯୋଡ଼ା ଯେ ସେସବୁକୁ ଆମେ କିଛି ସ୍ୱତନ୍ତ୍ର ଦୃଷ୍ଟିରେ ଦେଖେ ନାହିଁ । ସାଧାରଣ ମଣିଷ ପାଇଁ ସେହିଭଳି ଗୋଟିଏ ଜିନିଷ ହେଉଛି ସାଇକେଲ ।
ସାଇକେଲ ଆମ ସମସ୍ତଙ୍କ ପାଇଁ ଏକ ଜଣାଶୁଣା ନାଁ । ବଡ଼ ସହରଠାରୁ ଆରମ୍ଭ କରି ଛୋଟ ଗାଁ ଯାଏଁ ସବୁଠାରେ ସାଇକେଲ ରହିଛି । ପିଲାଠାରୁ ବଡ଼ ଯାଏଁ ସମସ୍ତେ କେବେ ନା କେବେ ସାଇକେଲ ଚଲାଇଛନ୍ତି – ପିଲାଦିନେ ଅଧା ପେଡାଲ ଘୁରାଇବାର ମଜା ପାଇବା ପାଇଁ ହେଉ ବା କିଶୋର ବୟସରେ ସାଙ୍ଗ ମେଳ ରେ ସାଇକେଲ ଚଳାଇ ଦୂର ଜାଗାକୁ ବୁଲିଯିବାର ରୋମାଞ୍ଚଭରା ଅନୁଭୂତି ପାଇଁ ହେଉ କିମ୍ବା ନିତିଦିନିଆ ଜୀବନରେ ଯିବାଆସିବାର ଚାହିଦ ଭରଣା ପାଇଁ ହେଉ । କିନ୍ତୁ ଏହି ସାଇକେଲ ମଣିଷର ଜୀବନକୁ ପ୍ରଥମେ କିପରି ଆସିଲା ଏବଂ ଧୀରେ ଧୀରେ ବଦଳି ଆଜିର ଉନ୍ନତ ରୂପରେ ପହଞ୍ଚିଲା, ତାହା କେବେ କେହି ଭାବନ୍ତି ନାହିଁ । ଆମର ଏହି ଅତି ପରିଚିତ ଯନ୍ତ୍ରଟି କିପରି କାମ କରେ, ସେଥିରେ କେଉଁ ପ୍ରକାରର ଅଂଶ ସବୁ ରହିଛି, ତାହା ପଛରେ ଥିବା ବିଜ୍ଞାନର ତତ୍ତ୍ବ ଆଦି ଅଧିକାଂଶ ଲୋକଙ୍କ ପାଇଁ ପ୍ରାୟ ଅଜଣା ।