ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆମିଟିସ୍‍ଙ୍କ ଦେହ ଓ ମନ କିନ୍ତୁ ଗ୍ରହଣ କରିପାରୁନଥିଲା ମରୁଭୂମି ମଧ୍ୟରେ ଅବସ୍ଥିତ ମେସୋପୋଟାମିଆ ସାମ୍ରାଜ୍ୟର ଭୌଗୋଳିକ ସ୍ଥିତିକୁ । ସେ ଝୁରି ହେଉଥିଲେ ସବୁଜିମା, ପାହାଡ଼ ଓ କୁଳୁକୁଳୁ ବହୁଥିବା ଝରଣାକୁ । ବେବିଲୋନ୍‍ର କଳା, ସ୍ଥାପତ୍ୟ ଓ ରାଜମହଲ ତାଙ୍କ ମନରୁ ପ୍ରକୃତିର ନିକଟତର ହେବାର ଲୋଭକୁ ଦୂରେଇ ପାରିନଥିଲା । ମରୁଭୂମିର ଶୁଷ୍କ ଜଳବାୟୁ ଓ ସେ ଝୁରୁଥିବା ସବୁଜିମା, ଆମିଟିସ୍‍ଙ୍କୁ ରୋଗାକ୍ରାନ୍ତ କରିଦେଲା । ନେବୁଚାଦେନେଯର ସହିପାରିଲେନି ନିଜ ପ୍ରେୟସୀଙ୍କ ଦୁଃଖ । ନିଶ୍ଚୟ କଲେ, ଶୁଷ୍କ ମରୁଭୂମି ମଧ୍ୟରେ ବେବିଲୋନ୍‍ ଠାରେ ନିର୍ମାଣ କରିବେ ଏକ ମାନବ ନିର୍ମିତ ସବୁଜିମା ଭରା ପାହାଡ଼ । ଆଉ ଏହି ପରିକଳ୍ପନାରୁ ଜନ୍ମ ନେଲି ମୁଁ ।
ମେସୋପଟାମିଆ ଥିଲା ନଦୀ ଉପତ୍ୟକାରେ ଗଢ଼ିଉଠିିଥିବା ଏକ ମହାନ ସଭ୍ୟତା । ଏହାର ଦୁଇ ପାର୍ଶ୍ୱରେ ପ୍ରବାହିତ ହେଉଥିଲେ ଟାଇଗ୍ରୀସ୍‍ ଓ ଇଉଫ୍ରେଟସ୍‍ ନଦୀ । ରାଜଧାନୀ ବେବିଲୋନର ପ୍ରାଣ ଥିଲା ଇଉଫ୍ରେଟସ୍‍ ନଦୀ । ଏହି ନଦୀର ପାଣି ମୋତେ ବଞ୍ଚାଇ ରଖିଥିଲା ମରୁପ୍ରାନ୍ତର ମଧ୍ୟରେ । 'ପୁଲି'ରେ ବନ୍ଧା ଯାଇଥିବା ପାତ୍ରଗୁଡ଼ିକଦ୍ୱାରା ନଦୀର ପାଣିକୁ ଉଠାଯାଉଥିଲା ମୋର ସର୍ବୋଚ୍ଚ ଛାତକୁ । ସେଠାରୁ ଏହି ପାଣିକୁ ପଠାଯାଉଥିଲା ତଳେ ଥିବା ଛାତମାନଙ୍କର ସବୁଜିମାକୁ ବଞ୍ଚାଇ ରଖିବାକୁ । ମୋ ସୁନ୍ଦରତାର ଗର୍ଭରେ ଲୁଚି ରହିିଥିଲା ଅତ୍ୟାଚାରର କାଳିମା ।

୨୬ ସପ୍ତାଶ୍ଚର୍ଯ୍ୟ